ପୁରୀ ୦୪/୦୧: ସାମ୍ନାକୁ ଆସିଲା  ବଡ଼ଦେଉଳର ନାଟମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ସୁଲଭ  ଜଗା ଦର୍ଶନ ବ୍ୟବସ୍ଥା ନିମନ୍ତେ ତିଆରି ହୋଇଥିବା ର‌୍ୟାମ୍ପ ଓ ବ୍ୟାରିକେଡ୍‌ ବ୍ୟବସ୍ଥାର ଫଟୋ ଓ ଭିଡିଓ । ଏହି ବ୍ୟାରିକେଡ୍‌ରେ ଠିଆ ହୋଇ ଶ୍ରଦ୍ଧାଳୁମାନେ  କିପରି ଆଖି ପୂରାଇ ଠାକୁର ଦର୍ଶନ କରିପାରିବେ  ତାହାର ପରୀକ୍ଷଣ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ  ଭାର ନେଇଥିବା ଦିଲ୍ଲୀପ କନଷ୍ଟ୍ରକସନ ପକ୍ଷରୁ  କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଚାହିଦା  ମୁତାବକ ଓବିସିସି ପକ୍ଷରୁ ଦିଲ୍ଲୀପ କନଷ୍ଟ୍ରକସନକୁ  ଏହି ବ୍ୟାରିକେଡ୍‌ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ।  ଉକ୍ତ ସଂସ୍ଥା ଏହାର କାର୍ଯ୍ୟାଳୟ ଭୁବନେଶ୍ୱର  ନୂଆପଲ୍ଲୀଠାରେ ଠାକୁର ଦର୍ଶନ ର‌୍ୟାମ୍ପ ଓ  ବ୍ୟାରିକେଡ୍‌ ନିର୍ମାଣ କରାଯାଇଛି । 

ଏନେଇ ଦିଲ୍ଲୀପ କନଷ୍ଟ୍ରକସନର ମାଲିକ  ଦିଲୀପ ଖଟେଇ ସୂଚନା ଅନୁସାରେ, ଏହି ର‌୍ୟାମ୍ପ  ଓ ବ୍ୟାରିକେଡ୍‌ରେ ମହାପ୍ରଭୁଙ୍କ ଦର୍ଶନ ଖୁବ୍‌ ଭଲ  ଭାବେ ହୋଇପାରିବ । ଆଉ ବଡ଼ଦେଉଳ ବାହାର  କାଠ ପାଖରୁ ଶ୍ରଦ୍ଧାଳୁଙ୍କୁ ପାଦ ଟିପରେ ଟେକି ହୋଇ  ମହାପ୍ରଭୁଙ୍କ ଦର୍ଶନ କରିବା ଲାଗି ଭିଡ଼ରେ ଦୁର୍ଦ୍ଦଶା  ଭୋଗିବାକୁ ପଡ଼ିବନି । ବ୍ୟାରିକଡ୍‌ରେ ଯାଇ ର‌୍ୟାମ୍ପ  ଉପରେ ଠିଆ ହୋଇଗଲେ ମହାପ୍ରଭୁଙ୍କ ଦୁର୍ଲ୍ଲଭ  ଦର୍ଶନ ମିଳିଯିବ । ଆଗରେ ଥିବା ଶ୍ରଦ୍ଧାଳୁ ଓ ପଛରେ  ଥିବା ଶ୍ରଦ୍ଧାଳୁ ସମସ୍ତେ ମହାପ୍ରଭୁଙ୍କ ଆଖି ପୂରାଇ  ବାହାର କାଠ ପାଖରୁ ଠାକୁର ଦର୍ଶନ କରିପାରିବେ ।  ପ୍ରାୟ ୧୫ରୁ ୧୩ ଫୁଟ ପର୍ଯ୍ୟନ୍ତ ଲମ୍ବା ୬ ଥାକିଆ  ର‌୍ୟାମ୍ପ ଯୁକ୍ତ ବ୍ୟାରିକେଡ୍‌ କରାଯାଇଛି । ଯେପରି  ପ୍ରେକ୍ଷାଳୟରେ ସିଟ୍‌ଗୁଡ଼ିକ ପଛକୁ ଉଚ୍ଚ ହୋଇଥାଏ  ଠିକ୍‌ ସେହିପରି ଏହି ର‌୍ୟାମ୍ପ ପଛକୁ ପଛ ୪ଇଞ୍ଚ  ଲେଖାଏଁ ଉଚ୍ଚ ହୋଇ ୬ ଥାକରେ ରହିଛି । 

ର‌୍ୟାମ୍ପର ଦୁଇପାଶ୍ୱର୍ ନୁଆଁଣିଆ ଓ ମଝି ଢ଼ାଲୁଆ । ଫଳରେ  ଶ୍ରଦ୍ଧାଳୁଙ୍କୁ ର‌୍ୟାମ୍ପ ଉପରେ ଚଢ଼ିବାରେ ଠାକୁର ଦର୍ଶନ  କରିବେ ସୁବିଧା ହେବ । ଥରକରେ ପ୍ରାୟ ୧୫୦ରୁ  ୨୦୦ ଶ୍ରଦ୍ଧାଳୁ ଏହି ର‌୍ୟାମ୍ପରେ ଚଢ଼ି ବ୍ୟାରିକେଡ୍‌  ଭିତରେ ଠାକୁର ଦର୍ଶନ କରିପାରିବେ । ଏଠାରେ ଠେଲାପେଲା ହେବାକୁ ପଡ଼ିବନି । ଆଗ ଲୋକ  ଯେପରି ଭଲଭାବେ ଠାକୁର ଦର୍ଶନ କରିବ, ପଛରେ  ରହିଥିବା ଲୋକମାନେ ମଧ୍ୟ ଠିକ୍‌ ସେହିପରି  ଠାକୁର ଦର୍ଶନ କରିବେ । ଏହି ବ୍ୟାରିକେଡ୍‌ ଓ  ର‌୍ୟାମ୍ପ ବର୍ମାଟିକ୍‌ କାଠରେ ନିର୍ମିତ ହୋଇଛି ।  ଏହି କାଠ ପୂରା ହାଲୁକା । ଭିତର କାଠ ସନ୍ନିକଟ  ପ୍ରଥମ ୩ ର‌୍ୟାମ୍ପ ସଂଯୁକ୍ତ ଧାଡ଼ିରେ ଶିଶୁ, ମହିଳା,  ବୟସ୍କମାନେ ଯିବେ ବାକି ୩ଟିରେ ସର୍ବସାଧାରଣ  ସମସ୍ତେ ଯାଇପାରିବେ ।  

ସୂଚନା ଥାଉକି, ଶ୍ରଦ୍ଧାଳୁମାନେ ବାହାର କାଠ  ଠାରୁ ଜଗା ଦର୍ଶନ ବେଳେ ସବୁଠାରୁ ଅଧିକ  ଠେଲାପେଲାରେ ଯାଉଛନ୍ତି । ଅନେକ ସମୟରେ ଦଳାଚକଟା ଭଳି ସ୍ଥିତି ଉପୁଜୁଛି । ତେଣୁ ଶ୍ରଦ୍ଧାଳୁଙ୍କ  ସୁରକ୍ଷାକୁ ଲକ୍ଷ୍ୟରେ ରଖି ପ୍ରଶାସନ ପକ୍ଷରୁ  ନାଟମଣ୍ଡପର ବାହାର କାଠ ପାଖରେ ୬ ଥାକିଆ  ର‌୍ୟାମ୍ପ ଥିବା ବ୍ୟାରିକେଡ୍‌ ଦର୍ଶନ ବ୍ୟବସ୍ଥା ଆସନ୍ତା  ୨୦ରୁ ୨୨ ତାରିଖ ଭିତରେ କରିବାକୁ ଯୋଜନା  ରହିଛି । ଏହି ବ୍ୟାରିକେଡ୍‌ ଓ ର‌୍ୟାମ୍ପ ନିର୍ମାଣ  ସରିଥିବା ମଧ୍ୟ ସରକାର ସୂଚନା ଦିଆଯାଇଛି ।  ଶ୍ରଦ୍ଧାଳୁଙ୍କ ଭିଡ଼ ପ୍ରବଳ ହେବା ଅନୁମାନ  କରି ନୂଆବର୍ଷ ପୂର୍ବରୁ ଏହି ବ୍ୟାରିକେଡ୍‌ରେ  ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା ହୋଇପାରିନଥିଲା ।  ଏହାକୁ ପ୍ରଶାସନ ପକ୍ଷରୁ ଆଗକୁ କାର୍ଯ୍ୟାକାରୀ  କରିବାକୁ ସମୟ ଧାର୍ଯ୍ୟ ହୋଇଛି । 

ଶ୍ରୀମନ୍ଦିରକୁ ପ୍ରତି ସପ୍ତାହରେ ପ୍ରାୟ ଦେଢ଼  ଲକ୍ଷ ଶ୍ରଦ୍ଧାଳୁ ଜଗା ଦର୍ଶନ ନିମନ୍ତେ ଆସୁଛନ୍ତି ।  ଯାହା ଭିତରେ କେବଳ ଶନିବାର ଓ ରବିବାର ପ୍ରାୟ  ଲକ୍ଷେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ପର୍ବପର୍ବାଣୀ  ଦିନମାନଙ୍କରେ ଭିଡ଼ ଖୁବ୍‌ ଅଧିକ ରହୁଛି ।  ଶ୍ରୀମନ୍ଦିରରେ ସର୍ବଦା ଭିତର କାଠ ଦର୍ଶନ ସୁବିଧା  ଶ୍ରଦ୍ଧାଳୁଙ୍କ ମିଳିପାରୁନି । ଅନ୍ୟପଟେ ବାହାର  କାଠ ଓ ଭିତର କାଠ ଦର୍ଶନ ବେଳେ ଶ୍ରଦ୍ଧାଳୁଙ୍କୁ  ଠେଲାପେଲା ଭଳିଅପ୍ରୀତିକର ପରିସ୍ଥିତିର  ସାମ୍ନା କରିବାକୁ ପଡ଼ୁଛି । ତେଣୁ ପ୍ରଥମେ ବାହାର  କାଠଠାରେ ପରୀକ୍ଷାମୂଳକ ଦର୍ଶନ ବ୍ୟବସ୍ଥା  କରାଯାଉଛି । ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସ୍ଲଟ୍‌  ବୁକିଂ କରି ଠାକୁର ଦର୍ଶନର ସୁବିଧା ଦେବାକୁ  ଆଗକୁ ଯୋଜନା ମଧ୍ୟ ରହିଛି । ତେଣୁ ନୀତି ବହୁଳ  ଶ୍ରୀମନ୍ଦିର ଭିତରେ ସେବାୟତ ଓ ସର୍ବସାଧାରଣଙ୍କୁ  ବୁଝାଇ ଏସବୁ ବ୍ୟବସ୍ଥା କରିବା ଏବେ ପ୍ରଶାସନ  ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।