ଭୁବନେଶ୍ୱର,୨୪/୦୭: ଆଉଟ୍‌ରିଚ୍‌ ପକ୍ଷରୁ ଜାତୀୟ ପ୍ରସାରଣ  ଦିବସ ପାଳିତ ହୋଇଛି । ବୁଧବାର  ଜୟଦେବ ଭବନରେ ଆୟୋଜିତ ଏହି  କାର୍ଯ୍ୟକ୍ରମ ଅବସରରେ ନୂଆ ଗୋଷ୍ଠୀ  ବେତାର କେନ୍ଦ୍ର ରେଡିଓ ଭୁବନେଶ୍ୱର  ୮୯.୨ ଏଫଏମ ଲୋକାର୍ପିତ ହୋଇଥିଲା ।  କାର୍ଯ୍ୟକ୍ରମରେ ଆଉଟରିଚ ରେଡିଓ  ନେଟୱର୍କର ଅଧ୍ୟକ୍ଷ ସୁବ୍ରତ କୁମାର ପତି  ପୌରୋହିତ୍ୟ କରିଥିଲେ । 

କାର୍ଯ୍ୟକ୍ରମରେ ଅତିଥିଭାବରେ ବରିଷ୍ଠ  ନ୍ୟୁରୋସର୍ଜନ ପଦ୍ମଶ୍ରୀ ଡାକ୍ତର ଅଶୋକ  ମହାପାତ୍ର, ଚଇତି ଘୋଡ଼ାନାଚ ଗୁରୁ ପଦ୍ମଶ୍ରୀ  ଉତ୍ସବ ଚରଣ ଦାସ, ବର୍ଷିଆନ କଣ୍ଠଶିଳ୍ପୀ  ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ, ସ୍ୱନାମଧନ୍ୟ  ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି,  ହକି ଇଣ୍ଡିଆର ସଭାପତି ତଥା ଭାରତୀୟ  ହକି ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ  ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ ।  ଅତିଥିମାନେ ରେଡିଓର ଗୁରୁତ୍ୱ ବିଷୟରେ  କହିଥିଲେ । ଯୁବପିଢି ରେଡିଓର ମହତ୍ତ୍ୱ  ବୁଝିବା ଆବଶ୍ୟକ । ଲୋକାର୍ପଣ ହୋଇଥିବା  ରେଡ଼ିଓ ଷ୍ଟେସନଟି ଭୁବନେଶ୍ୱରବାସୀଙ୍କ ସ୍ୱର ହେଉ ବୋଲି ଅତିଥିମାନେ କହିଥିଲେ ।  କମ୍ୟୁନିଟି ମିଡ଼ିଆ ଏକ୍ସପର୍ଟ ତଥା  ଆଉଟରିଚର ପରାମର୍ଶଦାତା ଏନ.ଏ ଶାହ  ଆନସାରୀ ସ୍ୱାଗତ ଭାଷଣ ଦେଇଥିଲେ ।  ରେଡିଓ ଭୁବନେଶ୍ୱରର ଉପସ୍ଥାପକ  ପାର୍ଥସାରଥୀ ମହାନ୍ତି ମଞ୍ଚ ସଂଚାଳନ କରିଥିବା  ବେଳେ ରେଡିଓ ଜକି ଲିପ୍ସା ଦାଶ କାର୍ଯ୍ୟକ୍ରମ  ପରିଚାଳନାରେ ସହଯୋଗ କରିଥିଲେ ।  ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ  ଓ ସଂସ୍କୃତି ବିଭାଗ ସହାୟତାରେ ନୃତ୍ୟପ୍ରଭା  ଡ୍ୟାନ୍‌ସ ଏକାଡେମୀର କଳାକାରମାନେ  ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।