ନୂଆଦିଲ୍ଲୀ,୧୪।୧୦: ସ୍କୁଲରେ ହିଜାବ ଉପରେ କଟକଣା ଲଗାଇବା ପ୍ରସଙ୍ଗ ପୁଣି ଥରେ ଜୋର ଧରିଛି। କେରଳର ଏକ ସ୍କୁଲରେ ଜଣେ ଛାତ୍ରୀଙ୍କୁ ହିଜାବ ପିନ୍ଧିବାରୁ ବାରଣ କରାଯାଇଥିଲା, ଯାହା ପରେ ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ଏହି ଘଟଣା କେରଳର ଏର୍ନାକୁଲମରେ ଘଟିଛି। ଜଣେ ମୁସଲିମ ଛାତ୍ରୀ ହିଜାବ ପିନ୍ଧି ଚର୍ଚ୍ଚ ଦ୍ୱାରା ପରିଚାଳିତ ‘ସେଣ୍ଟ ରିଟା ପବ୍ଲିକ୍ ସ୍କୁଲରେ ପହଞ୍ଚିଥିଲେ, ଯାହା ଯୋଗୁଁ ତାଙ୍କୁ ସ୍କୁଲରେ ପ୍ରବେଶ ଦିଆଯାଇ ନଥିଲା। ଛାତ୍ରୀଙ୍କୁ ହିଜାବ କାଢିବାକୁ କୁହାଯାଇଥିଲା, ଯାହା ଏବେ ବିବାଦ ସୃଷ୍ଟି କରିଛି।
ଛାତ୍ରୀଙ୍କ କହିବା ଅନୁସାରେ, ସ୍କୁଲକୁ ମୋତେ ହିଜାବ ପିନ୍ଧି ଯିବାକୁ ଦିଆଯାଇନଥିଲା। ସେମାନେ ମୋତେ କ୍ଲାସ ରୁମ୍ ଆଗରେ ଠିଆ କରି ରଖଥିଲେ। ଏହା ସହ ହିଜାବ ଓହ୍ଲାଇବାକୁ କହିଥିଲେ। ଶିକ୍ଷକ ବହୁତ କଡା ମିଜାଜ୍ର। ମୁଁ ଆଉ ଏଠାରେ ପଢିବିନି।
ଏହାକୁ ନେଇ ଛାତ୍ରୀଙ୍କ ବାପା-ମା ଓ ସ୍କୁଲ ପ୍ରଶାସନ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ପ୍ୟାରେଣ୍ଟସ୍ ଟିଚର ଆସୋସିଏସନ୍ ଅଧ୍ୟକ୍ଷ ଯୋଶୀ କେଥାଭଲ୍ଲାପିଲ୍ଲଙ୍କ ଅନୁସାରା, ହିଜାବ ସ୍କୁଲ ଡ୍ରେସ୍ କୋଡ୍ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସେ ଏହି ପୁରା ମାମଲା ପଛରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆର ହାତ ରହିଛି ବୋଲି କହିଛନ୍ତି, ଯିଏକି ଇସ୍ଲାମ ସପକ୍ଷବାଦୀ। ସ୍କୁଲ ସମସ୍ତ ଅବିଭାବକଙ୍କୁ ଚିଠି ଲେଖି କହିଛି ସବୁ ଛାତ୍ରଛାତ୍ରୀଙ୍କୁ ଡ୍ରେସ୍ କୋଡ୍ ନିୟମ ପାଳନ କରିବାକୁ ହେବ। ମାମଲା ଏତେ ବଢିଗଲା ଯେ, ସ୍କୁଲରେ ୧୩-୧୪ ଅକ୍ଟୋବରକୁ ଛୁଟି ଘୋଷଣା କରିବାକୁ ପଡିଲା। ଏହା ସହ ସ୍କୁଲ ପ୍ରଶାସନ କେରଳ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି।