ନୂଆଦିଲ୍ଲୀ,୦୪/୧୧: ମଣିପୁର ଚୁରାଚାନ୍ଦପୁରରେ ଏନ୍‌କାଉଣ୍ଟର ।  ସୁରକ୍ଷା ବାହିନୀଙ୍କ ଗୁଳିରେ ୪ ଉଗ୍ରବାଦୀ ନିହତ। ସମସ୍ତ ଆତଙ୍କୀ ନିଷିଦ୍ଧ ମଣିପୁର ସଂଗଠନ, ୟୁନାଇଟେଡ୍ କୁକି ନ୍ୟାସନାଲ୍ ଆର୍ମି ବା ୟୁକେଏନଏ  ସହିତ ଜଡିତ ଥିବା ଜଣାପଡିଛି । 

ଖାନପି ଗାଁ ନିକଟରେ ସୁରକ୍ଷା ବାହିନୀ, ଉଗ୍ରବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇଥିଲା । ସକାଳ ୫ଟା ୩୦ରେ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ସୁରକ୍ଷା ବାହିନୀର ଯବାନ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଭାରତୀୟ ସେନାର ପାଲଟା ଆକ୍ରମଣରେ ୪ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି ।

ମଣିପୁରରେ ଶାନ୍ତି ପ୍ରତିଷ୍ଠା ପ୍ରୟାସର ଅଂଶ ସ୍ୱରୂପ, ଅନେକ କୁକି ଏବଂ ଜୋମି ଉଗ୍ରବାଦୀ ଗୋଷ୍ଠୀ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷର କରିଥିଲେ, କିନ୍ତୁ UKNAର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିଲା। ଅପରେସନ୍ ବିଷୟରେ ସୂଚନା ଦେଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସୁରକ୍ଷା ବାହିନୀ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା। ଗୁଳିବିନିମୟ ସମୟରେ ଅନେକ ଉଗ୍ରବାଦୀ ଆହତ ହୋଇଥିଲେ ଏବଂ ଚାରି ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କିଛି ଉଗ୍ରବାଦୀ ସେନାର ପ୍ରଚଣ୍ଡ ଆକ୍ରମଣ ସତ୍ତ୍ବେ ଫେରାର ହେବାରେ ସଫଳ ହୋଇଥିଲେ । ଏନକାଉଣ୍ଟର ପରେ, ସେନା ଘଟଣାର ବିସ୍ତୃତ ବିବରଣୀ ପ୍ରଦାନ କରି ଏକ ବିବୃତ୍ତି ଜାରି କରିଛି। ଘଟଣାସ୍ଥଳରୁ ପଳାଇଯାଇଥିବା ଉଗ୍ରବାଦୀଙ୍କୁ ଖୋଜିବା ପାଇଁ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଯଥାଶୀଘ୍ର ସେମାନଙ୍କୁ ଠାବ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।...