ନୂଆଦିଲ୍ଲୀ ୨୬/୧୧:  ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗିଜ କୁରିଅନଙ୍କ ସମ୍ମାନରେ ପ୍ରତି ବର୍ଷ ଭାରତରେ ପାଳିତ ହୁଏ ଜାତୀୟ ଦୁଗ୍ଧ  ଦିବସ । ଅପରେସନ୍‌ ଫ୍ଲଡ୍‌ରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା  ନିର୍ବାହ କରିଥିଲେ, ଯାହା ଦେଶର ସର୍ବବୃହତ ନିଜସ୍ୱ  ସ୍ଥାୟୀ ଉଦ୍ୟୋଗର ସ୍ଥିତି ଅଭିମୁଖେ ଭାରତର ଦୁଗ୍ଧ  ଉଦ୍ୟୋଗକୁ ବଳ ଦେଇଥିଲା । ଭାରତୀୟ ଦୁଗ୍ଧ ସଂଗଠନ  (ଆଇଡିଏ) ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅଧୀନରେ  ୨୦୧୪ ମସିହାରୁ ପ୍ରତି ବର୍ଷ ଦେଶରେ ଏହି ଦିବସ  ପାଳିତ ହେଉଛି ।  

ଭାରତର ଅର୍ଥନୈତିକ  ସର୍ଭେ ୨୦୨୧-୨୦୨୨  ଅନୁସାରେ, ଦୁଗ୍ଧ  ଉତ୍ପାଦନରେ ଭାରତ  ପ୍ରଥମ ସ୍ଥାନ ହାସଲ  କରିଛି । ବିଶ୍ୱ ଦୁଗ୍ଧ  ଉତ୍ପାଦନର ୨୩  ପ୍ରତିଶତ ଯୋଗଦାନ  ମଧ୍ୟ ଭାରତର ରହିଛି । ସେତିକି ନୁହେଁ, ଦୁଗ୍ଧ ହେଉଛି  ଏକକ ସର୍ବବୃହତ କୃଷିଜାତ ଦ୍ରବ୍ୟ, ଯାହାର ଜାତୀୟ  ଅର୍ଥନୀତିକୁ ୫ ପ୍ରତିଶତ ଯୋଗଦାନ ରହିଛି । ସିଧାସଳଖ  ୮ କୋଟିରୁ ଉଦ୍ଧ୍ୱର୍ କୃଷକଙ୍କୁ ଏହା ନିଯୁକ୍ତି ଦେଉଛି ।  ଭାରତରେ ଦୁଗ୍ଧ ଉତ୍ପାଦନ ବର୍ଷକୁ ୬.୨ ପ୍ରତିଶତ ହାରରେ  ବଢ଼ିଛି । ଦୁଗ୍ଧ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ  କରିଥିବା ଡ. ଭର୍ଗିଜ କୁରିଅନଙ୍କ ପ୍ରୟାସ ଯୋଗୁ ଏ ସମସ୍ତ  ଉପଲବ୍ଧି ସମ୍ଭବ ହୋଇଛି ।