ମନାଲି: ହିମାଚଳ ପ୍ରଦେଶର ମନାଲିରେ ପ୍ରକୃତିର ତାଣ୍ଡବ। ଭୟଙ୍କର ବାଦଲଫଟା ବର୍ଷାରେ ସୃଷ୍ଚି ହୋଇଥିବା ବନ୍ୟାରେ ଧୋଇ ହୋଇଗଲା ଦୋକାନ, ବଜାର, ଘର ଓ ରାସ୍ତା। ଚାହୁଁଚାହୁଁ ଭାସିଗଲା ସୁଉଚ୍ଚ ଅଟ୍ଟାଳିକା। ଏହା ସହ ଜାତୀୟ ରାଜପଥ ଧୋଇ ହୋଇଯିବା କାରଣରୁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇଗଲା ମନାଲି।
ଆଜ୍ଞା ହଁ ଆପଣଙ୍କୁ କେଉଁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିଲେ ମଧ୍ୟ ମଙ୍ଗଳବାର ମନାଲିରେ ଆସିଥିବା ବନ୍ୟା ଯୋଗୁଁ ଏପରି ଘଟିଛି। ଖବର ମୁତାବକ ଦ୍ୱିପ୍ରହର ସମୟରେ ମନାଲିର ଉପର ମୁଣ୍ଡରେ ହଠାତ୍ ଜୋରରେ ବର୍ଷା ହୋଇଥିଲା। ବର୍ଷାର ପରିମାଣ ଏତେ ତୀବ୍ର ଥିଲା ଯେ ମନାଲି ଦେଇ ବହୁଥିବା ବିଆସ ନଦୀରେ ହଠାତ୍ ବନ୍ୟା ପାଣି ମାଡି ଆସିଥିଲା। କେହି କିଛି ବୁଝିବା ପୂର୍ବରୁ ନଦୀର ପ୍ରଖର ସୁଅ ସ୍ଥାନୀୟ ଅଞ୍ଚଳରେ ଥିବା ବହୁତଳ ହୋଟେଲ ଓ ଚାରିରୁ ଅଧିକ ଦୋକାନ ଘର ସହ ଅନେକ ଘରକୁ ଭସାଇ ନେଇଥିଲା। ଏହାସହ ମନାଲି-ଲେହ ହାଇୱେରେ ପାଣି ମାଡିଯିବା ଯୋଗୁଁ ମଧ୍ୟ ଅନେକ ପଏଣ୍ଟ ବ୍ଲକ ହୋଇଯାଇଥିଲା। ଏହି ପ୍ରଳୟଙ୍କାରି ବର୍ଷାରେ ଶତାଧିକ ଲୋକ ଅନେକ ସ୍ଥାନରେ ଫସି ରହିଛନ୍ତି ବୋଲି ସ୍ଥାନିୟ ପ୍ରଶାସନିକ ଅଧିକାରୀମାନେ ସୂଚନା ପ୍ରଦାନ କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ନେଇ ଖବର ଆସିନଥିବା ବେଳେ ଏକ ମାଲ୍ ଭର୍ତ୍ତୀ ଟ୍ରକ ଏହି ବର୍ଷାରେ ଭାସିଯାଇଥିବା ସୂଚନା ମିଳିଛି। ବନ୍ୟା ଯୋଗୁଁ ଲେହ-ମନାଲି ଜାତୀୟ ରାଜପଥ ଧୋଇହୋଇଯିବା କାରଣରୁ ଗାଡି ଚଳାଚଳ ଉପରେ ରୋକ ଲଗାଯାଇଛି। ଏହି କାରଣରୁ ବୈଷ୍ଣୋଦେବୀ ଯାତ୍ରାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଏହାସହ କୁଲୁ-ମନାଲି ଜାତୀୟ ରାଜପଥ ମଧ୍ୟ ଧୋଇହୋଇଯାଇଥିବା ଜଣାପଡିଛି।
ବିଆସ ନଦୀରେ ହଠାତ୍ ବନ୍ୟା ଆସିବା କାରଣରୁ ପାଟିଲକୁହାଲ ଅଞ୍ଚଳରେ ମଧ୍ୟ ଅନେକ କ୍ଷୟକ୍ଷତି ଦେଖିବାକୁ ମିଳିଛି। କୁଲୁ ଅଞ୍ଚଳରେ ମଧ୍ୟ ବନ୍ୟା ଯୋଗୁଁ ଅନେକ ଜଣଙ୍କ ଘରେ ପାଣି ପଶିଯାଇଥିବା ଜଣାପଡିଛି। ଦୀର୍ଘ ଦୁଇଦିନ ହେବ ହିମାଚଳର ଅନେକ ଅଞ୍ଚଳରେ ଭାରି ବର୍ଷା ଲାଗି ରହିଛି। ତେବେ ବିଆସ ନଦୀରେ ବନ୍ୟା ଆସିବା ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।
ଚଳିତ ବର୍ଷର ମୌସୁମୀ ବର୍ଷା ହିମାଚଳପ୍ରଦେଶ ପାଇଁ ଅତ୍ୟନ୍ତ ଖରାପ ସାବ୍ୟସ୍ତ ହୋଇଛି। ଗତ ଜୁନ ୨୦ ତାରିଖରୁ ହିମାତଳରେ ଲଗାତାର ଭାବେ ବାଦଲ ଫଟା ବର୍ଷା, ଫ୍ଲସ ଫ୍ଲୋଡ, ଭୂସ୍ଖଳନ, ବନ୍ୟା ଆଦି ଦେଖା ଦେଇଛି। ଯାହାଫଳରେ ଯୋଗାଯୋଗ, ପାୱାର ସପ୍ଲାଏ ଓ ପାନୀୟ ଜଳ ଯୋଗାଣରେ ବାଧା ସୃଷ୍ଚି ହୋଇଛି। ରାଜ୍ୟ ଜରୁରୀକାଳୀନ ଅପରେସନ୍ସ ସେଣ୍ଟର (SEOC) ଅନୁଯାୟୀ, ଜୁନ ୨୦ ରୁ ଅଗଷ୍ଟ ୨୫ ମଧ୍ୟରେ ମୋଟ୍ ୧୫୬ ଜଣ ଲୋକଙ୍କ ମୃତ୍ୟୁ ହେବା ସହ ଏଯାଏ ୩୮ ଜଣ ଲୋକ ନିଖୋଜ ରହିଛନ୍ତି।