ଭୁବନେଶ୍ୱର ୦୧/୦୪:  ଏପ୍ରିଲ ୧, ଉତ୍କଳ ଦିବସ । ୮୯ ବର୍ଷରେ ପାଦ ଥାପିଛି ଓଡିଶା। ଉତ୍କଳ ଦିବସକୁ ନେଇ ସବୁଠି ଉତ୍ସାହ। ଆଜିର ଏଭଳି ଏକ ପବିତ୍ର ଦିନରେ ଅନେକ ନେତା ମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ଶୁଭେଚ୍ଛା। ଏଥିରୁ ବାଦ୍‌ ପଡିନାହାଁନ୍ତି, ବିରୋଧି ଦଳ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । 

ସେ ନିଜର ଅଭିଷାଷଣ ରଖି କହିଛନ୍ତି, ଜୟ ଜଗନ୍ନାଥ...ନମସ୍କାର... ଆଜି ଓଡ଼ିଶା ଦିବସ। ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିବସ।ସମସ୍ତଙ୍କୁ ଅଭିନନ୍ଦନ। ଏହି ଦିବସରେ ଉତ୍କଳ ଗୌରବ ମଧୁସୂଦନ ଦାସ, କୃଷ୍ଣ ଚନ୍ଦ୍ର ଗଜପତି, ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପରି ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି। ସ୍ୱତନ୍ତ୍ର ପ୍ରଦେଶ ଭାରତ ଇତିହାସର ଗୌରବମୟ ଦିନ। ଦେଶରେ ଓଡ଼ିଶା ହେଉଛି ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଦେଶର ବିକାଶ ଯାତ୍ରାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହି ଆସିଛି। ନୂଆ ପରିଚୟ ମିଳିଛି। ଦେଶ ବିଦେଶରେ ନୂଆ ପରିଚୟ ସୃଷ୍ଟି କରୁଛନ୍ତି ଓଡ଼ିଆ। 


ସେ ଆହୁରି କହିଛନ୍ତି, ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ ଥିଲା। ଗରିବ ୭୦% ରୁ ୧୦% କୁ ଖସିଛି। ଓଡ଼ିଶାର ବିକାଶକୁ କେହି ରୋକି ପାରିବେ ନାହିଁ। ଆଉ ଅଳ୍ପ କିଛି ବର୍ଷ ପରେ ଆମେ ସ୍ୱତନ୍ତ୍ର ଓଡ଼ିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ବିଜୁ ବାବୁଙ୍କ ସ୍ବପ୍ନ ଥିଲା ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବା। ସମସ୍ତଙ୍କ ସହଯୋଗ ରହିଲେ ଏ ସ୍ୱପ୍ନ ପୂରଣ ହେବ। ଖୁସିର କଥା ଦେବୀ ପ୍ରସନ୍ନ ପଟ୍ଟନାୟକ, ଦିନେଶ ଷଡ଼ଙ୍ଗୀ, ମମତା ରାଉତ ଆଜି ଏଠାରେ ଉପସ୍ଥିତ ଅଛନ୍ତି। ଆପଣମାନଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗର୍ବିତ। ଆସନ୍ତୁ ଗର୍ବରେ କହିବା ଆମେ ଓଡ଼ିଆ।