ଭୁବନେଶ୍ୱର, ୦୯/୦୨ : ମଣ୍ଡିରେ ଚାଷୀ ହଇରାଣ। ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଲେଖିଛନ୍ତି ଯେ, କୃଷି ହେଉଛି ଓଡିଶାର ଜୀବନରେଖା। ତଥାପି ପ୍ରଶାସନିକ ଉଦାସୀନତା ଓ ଲୋକଙ୍କୁ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଳନରେ ବିଫଳତା ଯୋଗୁ ଚଳିତ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆମ ଚାଷୀମାନଙ୍କ ପାଇଁ ଏକ ସଂଘର୍ଷମୟ ସ୍ଥିତି ସୃଷ୍ଟି କରିଛି। ମଣ୍ଡିରେ ଚାଷୀଙ୍କୁ ହଇରାଣ କରାଯାଉଛି। ଏବେ ସବୁଠି କଟନି ଛଟନି ଚାଲିଛି। ୧୫୦ କ୍ଵିଣ୍ଟାଲ ଉପରେ ଇନପୁଟ୍ ସବସିଡି ଅଙ୍କୁଶ, ଧାନର ଅଭାବୀ ବିକ୍ରିକୁ ନେଇ ନବୀନ ପ୍ରଶ୍ନ ଉଠାଇଛନ୍ତି।
ସେପଟେ ନବୀନଙ୍କ ଚିଠି ପରେ କାଉଣ୍ଟର କରିଛନ୍ତି ମନମୋହନ, ଯେଉଁମାନେ ଧାନ କିଣା ବ୍ୟବସ୍ତାରେ ବିଭ୍ରାଟ କରିଥିଲେ ସେମାନଙ୍କ ଧାନ କିଣା ବିଷୟରେ କହିବାକୁ ନୈତିକ ସାହସ ନାହିଁ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି, ସରକାର ଇନପୁଟ ସବସିଡି ୮୦୦ ଟଙ୍କା କେମିତି ଦେଉଛନ୍ତି ତାହାକୁ ସେମାନେ ସହି ପାରୁନାହାନ୍ତି । ୮୦୦ ଟଙ୍କା ପ୍ରସଙ୍ଗକୁ ବାଟବଣା କରିବା ପାଇଁ ସେମାନେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି । ଧାନ କିଣାକୁ ଷ୍ଟ୍ରିମ ଲାଇନ କରିବାକୁ ସରକାର ସମସ୍ତ ବ୍ୟବସ୍ତା କରିଛନ୍ତି | ଧାନ କ୍ଵ୍ୟୁଣ୍ଟାଲ ୮୦୦ ଟଙ୍କା ଅଧିକ ଦିଆଯାଉଛି, କିନ୍ତୁ ସେମାନେ ୫୦ ଟଙ୍କା ୧୦୦ ଟଙ୍କା ଅଧିକ ଦେଇ ପାରୁନଥିଲେ ।
ନବୀନ ଲେଖିଛନ୍ତି ଯେ, ୨୦୨୪ ନିର୍ବାଚନ ସମୟରେ ବିଜେପିର ନିର୍ବାଚନୀ ଇସ୍ତାହାରର ଦୁଇ ନମ୍ବର ପଏଣ୍ଟରେ ଧାନର ସର୍ବାଧିକ ସହାୟକ ମୂଲ୍ୟ ବୃଦ୍ଧି ଓ କଟନୀ-ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରିବା ସମ୍ପର୍କରେ ଚାଷୀ ଭାଇଭଉଣୀମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ବାସ୍ତବ ଚିତ୍ର ଭିନ୍ନ। ମଣ୍ଡି ଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି। ଆଦ୍ରତା ଓ ନିମ୍ନ ମାନର ଧାନ ଆଳ ଦେଖାଇ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି ପର୍ଯ୍ୟନ୍ତ କଟନୀ-ଛଟନୀ କରାଯାଉଛି। ଯାହାକି ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ମିଲର ଓ ସ୍ଥାନୀୟ ଅଧିକାରୀମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଚାଷୀମାନଙ୍କ କଠିନ ପରିଶ୍ରମର ମୂଲ୍ୟ ପାଉନାହାନ୍ତି। ଏ କଟନୀ ଛଟନୀ କେବେ ବନ୍ଦ ହେବ ? ସରକାର କେବେ ପ୍ରତିଶ୍ରୁତି ପାଳନ କରିବେ ବୋଲି ନବୀନ ପ୍ରଶ୍ନ କରିଛନ୍ତି।
ନବୀନ ପୁଣି ଲେଖିଛନ୍ତି ଯେ, ରାଜ୍ୟର ସବୁ ଚାଷୀ ଭାଇ ଭଉଣୀଙ୍କୁ କ୍ୱିଣ୍ଟାଲ ପିଛା ଇନପୁଟ୍ ସବ୍ସିଡି ୮୦୦ ଟଙ୍କା ଲେଖାଏଁ ଦେବା ପାଇଁ ବିଜେପି ସରକାର ଘୋଷଣା କରିଥିଲେ। କିନ୍ତୁ ନିକଟରେ ସରକାର ଏହି ସବ୍ସିଡି ପାଇଁ ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ଧାର୍ଯ୍ୟ କରି ପ୍ରତିଶ୍ରୁତି ଭାଙ୍ଗିଛନ୍ତି। ଏହି ସିଲିଙ୍ଗ୍ ଅଧିକ ଉତ୍ପାଦନ କରୁଥିବା ଚାଷୀମାନଙ୍କ ପାଇଁ ଦଣ୍ଡ ପାଲଟିଛି। ଚାଷୀଙ୍କୁ ସେମାନଙ୍କର ସମଗ୍ର ଉତ୍ପାଦନ ଉପରେ ୩୧୦୦ ଟଙ୍କା ଇନପୁଟ୍ ସବ୍ସିଡି ଦେବା ଘୋଷଣାରୁ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ? ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଭାରତ ସରକାର ଧାନର ସଂଗ୍ରହ ମୂଲ୍ୟରେ ୬୯ ଟଙ୍କା ବୃଦ୍ଧି କରିଛନ୍ତି । ଓଡ଼ିଶାର ଚାଷୀଙ୍କୁ ଏହି ବର୍ଦ୍ଧିତ ୬୯ ଟଙ୍କା ନଦେବା ଏକ ପ୍ରତାରଣା ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଧାନ ସଂଗ୍ରହ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି । ତେଣୁ ଧାନକୁ କାକର ଓ ଚୋରୀରୁ ରକ୍ଷା କରିବା ପାଇଁ ଚାଷୀମାନଙ୍କୁ ରାତିସାରା ଜଗି ରହିବାକୁ ପଡୁଛି। ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧାର ଅଭାବ, ଟୋକନ ବ୍ୟବସ୍ଥାରେ ବିଫଳତା ଏବଂ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଆଦି ସମସ୍ୟା ଚାଷୀମାନଙ୍କୁ ଆନ୍ଦୋଳନାତ୍ମକ ମାର୍ଗ ବାଛିବାକୁ ବାଧ୍ୟ କରୁଛି। ବିଜେପି ନିର୍ବାଚନୀ ଇସ୍ଥାହାରର ଦୁଇ ନମ୍ବର ପଏଣ୍ଟରେ ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରାପ୍ୟ ଦେବା ପାଇଁ କୁହା ଯାଇଥିଲା, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଚାଷୀମାନଙ୍କୁ ସେମାନଙ୍କର ହକ୍ ପାଇବାକୁ ଏକ ସପ୍ତାହରୁ ଅଧିକ ସମୟ ଲାଗୁଛି। ସେହିପରି କଟନୀ-ଛଟନୀ, ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ଏବଂ ଧାନ ସଂଗ୍ରହ ଓ ପ୍ରାପ୍ୟ ପ୍ରଦାନରେ ଅହେତୁକ ବିଳମ୍ବ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି, ଯାହା ଦ୍ୱାରାକି ଚାଷୀମାନେ ଅସାଧୁ ବ୍ୟବସାୟୀ ଓ ମିଲରମାନଙ୍କ ଶୋଷଣର ଶିକାର ହେଉଛନ୍ତି। ଚାଷୀକୁ ତାର ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ବହୁତ କମ୍ ଦରରେ ଧାନ ବିକିବାକୁ ପଡୁଛି ।
କଟନୀ-ଛଟନୀ ବନ୍ଦ କରିବା ପାଇଁ ତୁରନ୍ତ ମଣ୍ଡି ଗୁଡିକରେ ସ୍ପେଶାଲ ସ୍କ୍ୱାର୍ଡ ନିୟୋଜିତ, ଦୋଷୀ ମିଲ୍ ମାଲିକ ଓ ସରକାରୀ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ, ଇନପୁଟ୍ ସବ୍ସିଡି ପ୍ରଦାନ ପାଇଁ ରଖାଯାଇଥିବା ଚାଷୀ ପିଛା ସର୍ବାଧିକ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍ ସର୍ତ୍ତ ପ୍ରତ୍ୟାହାର, ରେଜେଷ୍ଟ୍ରିଭୁକ୍ତ ସବୁ ଚାଷୀଙ୍କ ଠାରୁ ସବୁ ଧାନ କିଣିବା, ସବୁ ଚାଷୀଙ୍କୁ ଧାନ ସଂଗ୍ରହର ୪୮ ଘଣ୍ଟା ମଧ୍ୟରେ DBT ଜରିଆରେ ପ୍ରାପ୍ୟ, ୭୨ ଘଣ୍ଟା ମଧ୍ୟରେ ମଣ୍ଡିରୁ ଧାନ ଉଠାଣ ପାଇଁ ନବୀନ ଦାବି କରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଇସ୍କନ-ବାଣୀବିହାର ଭୂତଳ ଡ୍ରେନ୍,ଅନୁମୋଦନ ପାଇଁ ନଗର ଉନ୍ନୟନ ବିଭାଗରେ ଡିପିଆର୍