ଭୁବନେଶ୍ୱର, ୨୧/୧୧: ପୁରୀ ବ୍ଲୁ ଫ୍ଲାଗ୍‌ ବେଳାଭୂମିରେ ଡିସେମ୍ୱର ୪  ତାରିଖରେ ନୌସେନା ଦିବସ ପାଳିତ  ହେବ । ସାମୁଦ୍ରିକ ବେଳାଭୂମିରେ ଭାରତୀୟ  ନୌସେନା ଏହାର ଶକ୍ତି ପ୍ରଦର୍ଶନ  କରିବ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେବେ । ନୌସେନା ଅଧିକାରୀ ଏବଂ  ନିମନ୍ତ୍ରିତ ଅତିଥିଙ୍କୁ ମିଶାଇ ପ୍ରାୟ ୭୫୦୦  ଯୋଗଦେବେ । ଦେଶାତ୍ମବୋଧକ ଚେତନା  ଜାଗ୍ରତ କରୁଥିବା ଏହି ବିରଳ ତଥା  ଆକର୍ଷଣୀୟ ଦୃଶ୍ୟକୁ ଦେଖିବା ପାଇଁ ପୁରୀ  ବେଳାଭୂମିରେ ଲକ୍ଷାଧିକ ଲୋକଙ୍କ ସମାଗମ  ହେବ ବୋଲି ଆକଳନ କରାଯାଉଛି ।  

କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା  ପାଇଁ ଭାରତୀୟ ନୌସେନା, ଓଡ଼ିଶା  ସରକାର ତଥା ପୁରୀ ଜିଲ୍ଲା ପ୍ରଶାସନ  ମିଳିତ ଭାବେ ପ୍ରସ୍ତୁତି ଜାରି ରଖିଛନ୍ତି ।  ଏନେଇ ବୁଧବାର ଏକ ପ୍ରସ୍ତୁତି ବୈଠକ  ଲୋକସେବା ଭବନରେ ଅନୁଷ୍ଠିତ  ହୋଇଥିଲା । ବିଭିନ୍ନ କାର୍ଯ୍ୟ ମଧ୍ୟରେ  ପୂର୍ତ୍ତ ବିଭାଗ ତରଫରୁ ସମଙ୍ଗ ଏବଂ  ପୁରୀ କ୍ରୀଡ଼ା କମ୍ପେ୍ଲକ୍ସ ଠାରେ ଅସ୍ଥାୟୀ  ହେଲିପ୍ୟାଡ୍‌, ପାର୍କିଂ ଅଞ୍ଚଳ, ବିଭିନ୍ନ  ସ୍ଥାନରେ ଆବଶ୍ୟକ ବ୍ୟାରିକେଡିଂ, ରାସ୍ତା  ମରାମତି ଏବଂ ସ୍ୱାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗ ତରଫରୁ ବ୍ୟବସ୍ଥା  ବିଷୟରେ ଆଲୋଚନା ହୋଇଥିଲା ।  

ଭୁବନେଶ୍ୱରରୁ ପୁରୀ ଏବଂ ପୁରୀ ସହର  ମଧ୍ୟରେ ଟ୍ରାଫିକ୍‌ ନିୟନ୍ତ୍ରଣ, ଯାନବାହନ  ପାର୍କିଂ, ଜନଗହଳି ସ୍ଥାନର ପରିଚାଳନା,  ନୌସେନା ଅତିଥିମାନଙ୍କ ପାଇଁ ବସ୍‌  ତଥା ପାର୍କିଂ, ଭୁବନେଶ୍ୱର-ପୁରୀ ମୁଖ୍ୟ  ରାସ୍ତା ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ  ସ୍ଥାନରେ ଅଗ୍ନିଶମ ଏବଂ ପୁଲିସ ବିଭାଗ  ତରଫରୁ କର୍ମଚାରୀ ଓ ଅଧିକାରୀ  ମୁତୟନ ରହିବେ ବୋଲି ବୈଠକରେ  ନିଷ୍ପତ୍ତି ହୋଇଛି । ବିଭିନ୍ନ ସ୍ଥାନରେ  ଟ୍ରାଫିକ୍‌ ପରାମର୍ଶ ସୂଚନା ଓ ହୋର୍ଡିଂ  ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି  କ୍ୟାମେରା ଲଗାଯିବା ପାଇଁ ବୈଠକରେ  ନିଷ୍ପତ୍ତି ନିଆଯାଇଛି । ଏହି କାର୍ଯ୍ୟକ୍ରମର  ସିଧା ପ୍ରସାରଣ କଳିଙ୍ଗ ଷ୍ଟାଡିୟମ ଏବଂ  କଟକର ବାରବାଟୀ ଷ୍ଟାଡିଅମରେ ବ୍ୟବସ୍ଥା  ପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗକୁ  ଅନୁରୋଧ କରାଯାଇଛି । ଗୃହ ନିର୍ମାଣ  ଓ ନଗର ଉନ୍ନୟନ ବିଭାଗ ତରଫରୁ  ବ୍ଲୁ ଫ୍ଲାଗ୍‌ ସମେତ ପୁରୀ ସମୁଦ୍ର  କୂଳରେ ପ୍ରାୟ ୧୦୦ ଅସ୍ଥାୟୀ ଟଏଲେଟ୍‌  ସ୍ଥାପନ ଏବଂ ସମୁଦ୍ର କୂଳକୁ ଯାଇଥିବା  ସମସ୍ତ ରାସ୍ତାର ସୌନ୍ଦର୍ଯ୍ୟକରଣ ପାଇଁ  ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଅଧିକ  ଜନଗହଳି ସ୍ଥାନରେ ଏଲ୍‌ଇଡି ସ୍କ୍ରିନରେ  କାର୍ଯ୍ୟକ୍ରମ ପ୍ରସାରଣ ସହ ଧାରା  ବିବରଣୀ ପ୍ରଦାନ ବ୍ୟବସ୍ଥା ରହିବ ।  

ନୌସେନାର କୌଶଳ ପ୍ରଦର୍ଶନ  କାର୍ଯ୍ୟକ୍ରମ ଥିବାରୁ ନଭେମ୍ୱର ୨୭ରୁ  ଡିସେମ୍ୱର ୫ ତାରିଖ ପର୍ଯ୍ୟନ୍ତ ପୁରୀ  ସମୁଦ୍ରରେ ନୋ ଫିସିଂ ଜୋନ୍‌ (ମାଛଧରା  ନିଷେଧ ଅଞ୍ଚଳ) ଘୋଷଣା କରାଯିବ । ଏ  ସଂପର୍କରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ  ବିଭାଗ ତରଫରୁ ମତ୍ସ୍ୟଜୀବୀମାନଙ୍କୁ  ସୂଚନା ପ୍ରଦାନ କରାଯିବ । ପୁରୀ  ବେଳାଭୂମିର ପରିଷ୍କାର ପରିଚ୍ଛନ୍ନ,  ସଂଲଗ୍ନ ବିଭିନ୍ନ ରାସ୍ତାକୁ ଅବରୋଧ ମୁକ୍ତ  କରାଯିବା ସଂପର୍କରେ ବୈଠକରେ ନିଷ୍ପତ୍ତି  ନିଆଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ  ପ୍ରାୟ ୫୦ ଜଣ ଓଡ଼ିଶା ପ୍ରଶାସନିକ  ସେବା ଅଧିକାରୀଙ୍କୁ ଏହି କାର୍ଯ୍ୟକ୍ରମର  ସୁପରିଚାଳନା ପାଇଁ ନିୟୋଜିତ କରିବା  ପାଇଁ ବୈଠକରେ ପ୍ରସ୍ତାବ ଦିଆଯାଇଛି।