ବସ୍ତର, ୩୧/୦୫: ଦେଶକୁ  ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦ ମୁକ୍ତ କରିବା ଲାଗି କେନ୍ଦ୍ର ସରକାର ଦୃଢ଼ୋକ୍ତି ବାଢ଼ୁଥିଲେ ହେଁ ମାଓବାଦୀଙ୍କୁ ନିପାତ କରିବା ଲାଗି ସୁରକ୍ଷାକର୍ମୀଙ୍କ ସାମ୍‌ନାରେ ଆହୁରି ଅନେକ  ଆହ୍ୱାନ ରହିଛି । ନିକଟରେ ଛତିଶଗଡ଼ର ବସ୍ତର ଜିଲ୍ଲାକୁ ବାମପନ୍ଥୀ ଉଗ୍ରବାଦ (ଏଲ୍‌ଡବ୍ଲ୍ୟୁଇ)  ପ୍ରଭାବିତ ଜିଲ୍ଲା ତାଲିକାରୁ କେନ୍ଦ୍ର ସରକାର ହଟାଇଥିଲେ । ଏହି ଘୋଷଣା ପରେ ବସ୍ତର ଜିଲ୍ଲା ଔପଚାରିକ ଭାବେ ମାଓମୁକ୍ତ ଅଞ୍ଚଳ ହୋଇଛି । ଏହାକୁ ଏକ ଐତିହାସିକ ଉପଲବ୍ଧି  ବିବେଚନା କରାଯାଉଛି । ହେଲେ ଏବେ ବି ବସ୍ତର ଡିଭିଜନର କେତେକ ଅଞ୍ଚଳରେ  ମାଓବାଦୀଙ୍କ ବ୍ୟାପକ ପ୍ରଭାବ ରହିଛି । ତେଣୁ ବସ୍ତର ସମ୍ପୂର୍ଣ୍ଣ ଭାବେ ମାଓବାଦୀ ମୁକ୍ତ ହେବାକୁ  ଆହୁରି ସମୟ ଲାଗିବ ବୋଲି ବିଶେଷଜ୍ଞଙ୍କ ମତ ।

ଦେଶର ୯ ରାଜ୍ୟ ମାଓବାଦ ପ୍ରଭାବିତ ଥିବାବେଳେ ଏହାର ୪୮ ଜିଲ୍ଲା ୪ ବର୍ଗରେ ରହିଛି । ୨୦୨୫ର ଏଲ୍‌ଡବ୍ଲ୍ୟୁଇ ତାଲିକାରେ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ୬ ଜିଲ୍ଲା ଅତି ମାଓବାଦ ପ୍ରଭାବିତ ଜିଲ୍ଲା  ଶ୍ରେଣୀରେ ରହିଛି । ଅତି ମାଓବାଦ ପ୍ରଭାବିତ ବର୍ଗରେ ଛତିଶଗଡ଼ର ବସ୍ତର ଡିଭିଜିନ୍‌ର ୪ ଜିଲ୍ଲା ମଧ୍ୟ ରହିଛି । ସେଗୁଡ଼ିକ ହେଲା ନାରାୟଣପୁର, ବିଜାପୁର, ସୁକ୍‌ମା,କାଙ୍କେର ।  ଏଠାରେ ମାଓବାଦ ଶେଷ କରିବା ଏକ ବଡ଼  ଚ୍ୟାଲେଞ୍ଜ । ଏବେ ବସ୍ତର ଏବଂ କୋଣ୍ଡାଗାଓଁ  ଜିଲ୍ଲା ଏଲ୍‌ଡବ୍ଲ୍ୟୁଇର ୪ ନମ୍ବର ବର୍ଗ (ଲିଗାସି  ଆଣ୍ଡ୍‌ ଥ୍ରଷ୍ଟ ଡିଷ୍ଟ୍ରିକ୍ଟ)ରେ ସାମିଲ ଅଛି । ଅର୍ଥାତ  ଏଠାରେ ମାଓବାଦ ସ୍ଥିତି ପ୍ରଭାବିତ ଅଞ୍ଚଳଠାରୁ ସାମାନ୍ୟ ଭଲ ଏବଂ ସ୍ୱାଭାବିକ ଜିଲ୍ଲାଠାରୁ  ଅଧିକ ଖରାପ ସ୍ଥିତିରେ ରହିଛି । 

ଏଲ୍‌ଡବ୍ଲ୍ୟୁଇରେ ୪ଟି କାଟେଗୋରୀ  ରହିଛି । ତାହାହେଲା ଅତି ମାଓବାଦ ପ୍ରଭାବିତ  ଜିଲ୍ଲା, ମାଓବାଦ ପ୍ରଭାବିତ ଜିଲ୍ଲା, ଧ୍ୟାନ ଦେବାର  ଆବଶ୍ୟକତା ଥିବା ଜିଲ୍ଲା, ଲିଗାସି ଆଣ୍ଡ  ଥ୍ରଷ୍ଟ ଜିଲ୍ଲା । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା  ଅନୁସାରେ, ୨୦୧୮ରେ ଦେଶବ୍ୟାପୀ ୧୨୬  ଜିଲ୍ଲା ମାଓବାଦ ପ୍ରଭାବିତ ଥିଲା । ୨୦୨୧ରେ  ତାହା ୭୦କୁ ହ୍ରାସ ପାଇଥିଲା । ୨୦୨୪ ଶେଷ  ବେଳକୁ ୩୮ ଜିଲ୍ଲାରେ ମାଓବାଦୀଙ୍କ ପ୍ରଭାବ ରହିଥିଲା । ସବୁଠାରୁ ଗମ୍ଭୀର ଭାବେ ପ୍ରଭାବିତ  ଜିଲ୍ଲାଗୁଡ଼ିକର ସଂଖ୍ୟା ୧୨ରୁ ହ୍ରାସ ପାଇ ଏବେ  ୬ରେ ପହଞ୍ଚିଛି । ସେଥିମଧ୍ୟରେ ଛତିଶଗଡ଼ର  ବିଜାପୁର, କାଙ୍କେର, ନାରାୟଣପୁର, ସୁକମା, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଏବଂ ମହାରାଷ୍ଟ୍ରର  ଗଡ଼ଚିରୋଲି ରହିଛି । ଚିନ୍ତାଜନକ ଜିଲ୍ଲା ସଂଖ୍ୟା  ମଧ୍ୟ ୯ରୁ ୬କୁ ହ୍ରାସ ପାଇଛି । ଏଠାରେ ଅତିରିକ୍ତ  ସଂଶାଧନର ଆବଶ୍ୟକତା ରହିଛି । ସେଗୁଡ଼ିକ  ହେଲା ଆନ୍ଧ୍ରପ୍ରଦେଶର ଅଲ୍ଲୁରି ସୀତାରାମ  ରାଜୁ, ମଧ୍ୟପ୍ରଦେଶର ବାଲାଘାଟ, ଓଡ଼ିଶାର  କଳାହାଣ୍ଡି, କନ୍ଧମାଳ ଏବଂ ମାଲକାନଗିରି,  ତେଲଙ୍ଗାନାର ଭଦ୍ରାଦି-କୋଥାଗୁଡମ୍‌ । 

ମାଓବାଦ ହିଂସା ପ୍ରଭାବିତ ଅନ୍ୟ ଜିଲ୍ଲା  ସଂଖ୍ୟା ୧୭ରୁ ୬କୁ କମିଛି । ସରକାରୀ  ଉଦ୍ୟମ, ସୁରକ୍ଷାବଳ ବଳର ରଣନୀତି  ଏବଂ ସାହସ ଯୋଗୁ ଗତ ୧୦ ବର୍ଷ ମଧ୍ୟରେ  ୮ ହଜାରରୁ ଊଦ୍ଧ୍ୱର୍ ମାଓବାଦୀ ହିଂସା ଛାଡ଼ି  ଆତ୍ମସମର୍ପଣ କରିଛନ୍ତି । ଫଳରେ ମାଓ  ପ୍ରଭାବିତ ଜିଲ୍ଲା ସଂଖ୍ୟା ଐତିହାସିକ ଭାବେ  ନିମ୍ନତମସ୍ତରକୁ ଆସିଛି ।