ନୂଆଦିଲ୍ଲୀ,୨୩/୦୫: ସିପିଆଇ-ମାଓବାଦୀ ସଙ୍ଗଠନର ମୁଖ୍ୟ ତଥା ମହାସଚିବ ନମ୍ବାଲା କେଶବରାଓ ଓରଫ ବାସବରାଜ ଏନକାଉଣ୍ଟରରେ ନିହତ ହେବା ପରେ ଏବେ ନକ୍ସଲ ସଙ୍ଗଠନ ମୁରବୀଶୂନ୍ୟ ହୋଇପଡ଼ିଛି । ଏଭଳି ସମୟରେ ସଙ୍ଗଠନକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିଦେବାକୁ ବିଭିନ୍ନ ଗୁଇନ୍ଦା ସଂସ୍ଥା ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି । 

୧୯୬୭ ମସିହାରେ ପଶ୍ଚିମବଙ୍ଗର  ନକ୍ସଲବାଡ଼ିରୁ ନକ୍ସଲ ଆନ୍ଦୋଳନ ଆରମ୍ଭ ହେବା  ପରେ ପ୍ରଥମ ଥର ଏହି ସଙ୍ଗଠନକୁ ନେତୃତ୍ୱ  ଦେବାକୁ ନେତାଙ୍କ ଅଭାବ ଦେଖିବାକୁ ମିଳିଛି ।  ୧୯୬୭ରେ ଆନ୍ଦୋଳନର ମୂଳଦୁଆ ପଡ଼ିଥିଲେ ମଧ୍ୟ  ୧୯୭୧ରୁ ଏହା ସଶସ୍ତ୍ର ବିଦ୍ରୋହର ରୂପ ନେଇଥିଲା ।  ବିଗତ ୫୮ ବର୍ଷ ମଧ୍ୟରେ ଏହି ଆନ୍ଦୋଳନ ଭିନ୍ନ ଭିନ୍ନ  ପର୍ଯ୍ୟାୟ ଦେଇ ଗତି କରିଥିବା ବେଳେ ମତାନ୍ତର ଓ  ମନାନ୍ତର ଯୋଗୁ ୪୦ରୁ ଅଧିକ ଗୋଷ୍ଠୀରେ ବିଭକ୍ତ  ହୋଇଥିଲା । ୨୦୦୪ରେ ପୁନର୍ବାର ସିପିଆଇ-ମାଓବାଦୀ ବ୍ୟାନର ତଳେ ଏକାଠି ହୋଇ ସଶସ୍ତ୍ର  ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା । ଗତ  ବୁଧବାର ବାସବରାଜଙ୍କ ଅଚାନକ ଏନକାଉଣ୍ଟର  ପରେ ଦଳର କମାଣ୍ଡ କାହା ହାତକୁ ଯିବ ତାହା  ସିପିଆଇ-ମାଓବାଦୀ ଥିଙ୍କ୍‌ଟ୍ୟାଙ୍କ ଏ ପର୍ଯ୍ୟନ୍ତ  ଘୋଷଣା କରିପାରି ନାହାନ୍ତି । 

କିଏ ପରବର୍ତ୍ତୀ ମୁଖ୍ୟ ହେବ ସେ ନେଇ ଗୁଇନ୍ଦା  ବିଭାଗ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି ।  ସଙ୍କଟ ସମୟରେ ବଡ଼ ପ୍ରହାର କଲେ ମାଓ ସଙ୍ଗଠନ  ସମ୍ପୂର୍ଣ୍ଣ ଲୋପ ପାଇଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରାଳୟର  ଅଧିକାରୀ ମତ ଦେଇଛନ୍ତି । ଆଇବି (ଇଣ୍ଟେଲିଜେନ୍ସ  ବ୍ୟୁରୋ)ର ତଥ୍ୟ ଅନୁସାରେ ମୁଖ୍ୟ ପଦ ପାଇଁ  ଏବେ ସଙ୍ଗଠନରେ ଦୁଇ ଜଣ ଦାବିଦାର ଅଛନ୍ତି³  ଥିପ୍ପିରି ତିରୁପଥି ଓରଫ ଦେବୁଜୀ ଏବଂ ମାଲୋଜୁଲା  ଭେନୁଗୋପାଳ ରାଓ ଓରଫ ସୋନୁ । ଦେବୁଜୀ ଏବେ  ମାଓ ସଙ୍ଗଠନର ସଶସ୍ତ୍ର ଶାଖା କେନ୍ଦ୍ରୀୟ ମିଲିଟାରୀ  କମିଶନ (ସିଏମ୍‌ସି)ର ମୁଖ୍ୟ ଥିବା ବେଳେ ସୋନୁ  ନୀତି ନିର୍ଦ୍ଧାରକ ଭାବେ କାମ କରୁଛନ୍ତି । 

୬୨ ବର୍ଷ ବୟସ୍କ ଦେବୁଜୀ ତେଲଙ୍ଗାନାର  ଜଗତିଆଲ ଅଞ୍ଚଳର ମୂଳ ବାସିନ୍ଦା ଏବଂ ମାଡିଗା  (ଦଳିତ) ସମ୍ପ୍ରଦାୟର । କ୍ୟାଡରମାନଙ୍କ ମନୋବଳ  ବଢ଼ାଇବାରେ ଧୁରନ୍ଧର ଦେବୁଜୀ ଆଦିବାସୀଙ୍କ ଉପରେ  ବେଶି ଭରସା କରିଥାନ୍ତି । ଗରିଲା ଯୁଦ୍ଧରେ ପ୍ରବୀଣ  ଥିବା ବାସବରାଜଙ୍କ ଆଦର୍ଶକୁ ସେ ବଜାୟ ରଖିପାରିବେ  ବୋଲି ସଙ୍ଗଠନର ଅନେକ ବିଶ୍ୱାସ କରନ୍ତି । 

ଅପରପକ୍ଷରେ ସୋନୁ ତେଲଙ୍ଗାନାର  ପେଡ଼ାପାଲ୍ଲୀ ଅଞ୍ଚଳର ମୂଳ ବାସିନ୍ଦା ଏବଂ ଜାତିରେ  ବ୍ରାହ୍ମଣ । ତାଙ୍କର ବଡ଼ ପରିଚୟ ହେଲା ସେ ଦୁର୍ଦ୍ଦାନ୍ତ  ନକ୍ସଲ ନେତା ମାଲୋଜୁଲା କୋଟେଶ୍ୱର ରାଓ ଓରଫ  କିଶେନଜୀଙ୍କ ଭାଇ । ମାଓ ସଙ୍ଗଠନକୁ ଆତଙ୍କର  ଶୀର୍ଷକୁ ନେଇଥିବା କିଶେନଜୀ ୨୦୧୧ ମସିହାରେ  ୫୬ ବର୍ଷ ବୟସରେ ପଶ୍ଚିମବଙ୍ଗର ଲାଲଗଡ଼ରେ  ଏନକାଉଣ୍ଟରରେ ନିହତ ହୋଇଥିଲେ । ସେ  ସମୟରେ ସଙ୍ଗଠନ ପାଇଁ ପୁଞ୍ଜି ଓ ଅସ୍ତ୍ରଶସ୍ତ୍ର ସଂଗ୍ରହ  କରିବା ସହ ନେପାଳ, ଶ୍ରୀଲଙ୍କା, ଫିଲିପାଇନ୍ସ ଆଦି  ଦେଶର ବାମପନ୍ଥୀ ସଙ୍ଗଠନ ସହ ସମ୍ପର୍କ ରକ୍ଷା  କରିବାରେ କିଶେନଜୀ ସଫଳ ହୋଇଥିଲେ । ତାଙ୍କ  ମୃତ୍ୟୁ ଦଳ ପାଇଁ ଅପୂରଣୀୟ କ୍ଷତି ହୋଇଥିଲା ।  କିଶେଜନୀଙ୍କ ଭାଇ ହୋଇଥିବାରୁ ଏବଂ ଉଭୟ  ନରମ ଓ ଗରମ ସ୍ୱଭାବର ଥିବାରୁ ସୋନୁ ହିଁ  ପରବର୍ତ୍ତୀ ମୁଖ୍ୟ ହେବା ପାଇଁ ଯୋଗ୍ୟ ବୋଲି  ଅନେକ କମାଣ୍ଡରଙ୍କ ମତ । ଦଳରେ ତେଲଗୁ ଓ  ଆଦିବାସୀ କ୍ୟାଡରଙ୍କ ମଧ୍ୟରେ ମତାନ୍ତର ବୃଦ୍ଧି  ପାଇଥିବା ବେଳେ ତେଲଗୁ କ୍ୟାଡରଙ୍କ ସଂଖ୍ୟା  ହ୍ରାସ ପାଇଛି । ସୋନୁ ପୁନର୍ବାର କ୍ୟାଡର ସଂଗ୍ରହକୁ  ତେଲଙ୍ଗାନାରେ ତ୍ୱରାନ୍ୱିତ କରିପାରିବେ ବୋଲି  ଅନେକଙ୍କ ବିଶ୍ୱାସ । 

କେତେକ ଗୁଇନ୍ଦା ଅଧିକାରୀଙ୍କ ମତରେ  ସିପିଆଇ-ମାଓବାଦୀର ପୂର୍ବତନ ମହାସଚିବ  ମୁପ୍ପାଲା ଲକ୍ଷ୍ମଣ ରାଓ ଓରଫ ଗଣପତି ପୁଣିଥରେ  ମହାସଚିବ ଦାୟିତ୍ୱ ନେଇପାରନ୍ତି । କିନ୍ତୁ ଖରାପ  ସ୍ୱାସ୍ଥ୍ୟାବସ୍ଥା ଏବଂ ବୟସ ୭୫ ବର୍ଷ ଅତିକ୍ରମ  କରିଥିବାରୁ ଏହା ସମ୍ଭବ ନୁହେଁ ବୋଲି କେତେକ  ଅନୁମାନ କରୁଛନ୍ତି । ଗଣପତି ଗୋପନରେ  ଫିଲିପାଇନ୍ସ ପଳାଇଥିବା କେତେକ କହୁଥିବା  ବେଳେ ସଙ୍ଗଠନ ସୂତ୍ର କହୁଛି ସେ ଏବେ ବି  ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ଅଛନ୍ତି । ଯବାନଙ୍କ  ଅପରେସନରୁ ବର୍ତ୍ତିବା ପାଇଁ ସଙ୍ଗଠନର  ଗୋଟିଏ ଗୋଷ୍ଠୀ ଆତ୍ମସମର୍ପଣ ଓ ଆଲୋଚନାକୁ  ପସନ୍ଦ କରୁଥିବା ବେଳେ ଏକ ପୁରୁଖା ଗୋଷ୍ଠୀ  ଆତ୍ମସମର୍ପଣ ଅପେକ୍ଷା ମୃତ୍ୟୁ ପସନ୍ଦ କରିବେ  ବୋଲି ଜିଦ୍‌ ଧରି ବସିଛନ୍ତି । ଏବେ ବାସବରାଜଙ୍କ  ମୃତ୍ୟୁ ପରେ ବରିଷ୍ଠମାନଙ୍କ ନିଷ୍ପତ୍ତି କ’ଣ ହେବ ତାହା  ଦେଖିବାକୁ ବାକି ବୋଲି ଅପରେସନ ସହ ଜଡ଼ିତ ସିଆରପିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।