ନୂଆଦିଲ୍ଲୀ ୧୭/୧୧: ଡକ୍ୟୁମେଣ୍ଟାରୀ ବିବାଦକୁ ନେଇ ସାଉଥ୍‌ ଅଭିନେତା ଧନୁଷଙ୍କ ଉପରେ ବର୍ଷିଛନ୍ତି ସାଉଥ୍‌ ଷ୍ଟାର୍‌ ନୟନତାରା । ସୋସିଆଲ ମିଡିଆରେ ଏକ ଖୋଲା ଚିଠି ଶେୟାର କରି ସେ ଧନୁଷଙ୍କୁ ଅନେକ କଥା କହିଛନ୍ତି । ଏହି ମାମଲା ନୟନତାରାଙ୍କ ଜୀବନ ଉପରେ ଆଧାରିତ ନେଟ୍‌ଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ‘ନୟନତାରା: ବିୟଣ୍ଡ ଦ ଫେୟରୀ ଟେଲ୍‌’କୁ ନେଇ । ଏଥିରେ ପ୍ରଦର୍ଶିତ ୩ ସେକେଣ୍ଡ୍‌ର ଦୃଶ୍ୟ ବିରୋଧରେ ଧନୁଷ ଅଭିଯୋଗ ଆଣିଛନ୍ତି ଏବଂ ନୟନତାରାଙ୍କୁ ୧୦ କୋଟି ଟଙ୍କାର ଲିଗାଲ ନୋଟିସ୍‌ ପଠାଇଛନ୍ତି । 

ଧନୁଷଙ୍କୁ ଦେଇଥିବା ୩ ପୃଷ୍ଠାର ଖୋଲା ଚିଠିରେ ନୟନତାରା ଲେଖିଛନ୍ତି ‘ଆପଣ ନିଜ ବାପା ଓ ଭାଇଙ୍କ ପାଇଁ ଜଣେ ସଫଳ ଅଭିନେତା ହୋଇଛନ୍ତି । କିନ୍ତୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମୋର କେହି ଗଡ୍‌ଫାଦର ନ ଥିଲେ । ସେଥିପାଇଁ ମୋତେ ସଂଘର୍ଷ କରିବାକୁ ପଡ଼ିଲା । ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ମୁଁ ନିଜ ଗୋଡ଼ରେ ଠିଆ ହୋଇଛି । ମୋ ଫ୍ୟାନ୍‌ ମୋର କାମକୁ ଜାଣନ୍ତି ଏବଂ ମୋ ଡକ୍ୟୁମେଣ୍ଟାରୀକୁ ସେମାନେ ଅପେକ୍ଷା କରିଛନ୍ତି । କିନ୍ତୁ ଆପଣଙ୍କ ମନୋଭାବ ଆମ କାମ ଉପରେ ବଡ଼ ପ୍ରଭାବ ପକାଇଛି । ଏହାର କ୍ଷତି ଆପଣଙ୍କୁ ମଧ୍ୟ ଭରଣା କରିବାକୁ ପଡ଼ିବ । ଦୁଇ ବର୍ଷ ଧରି ଆପଣ ଏନ୍‌ଓସି ପାଇଁ ଆମକୁ ହଇରାଣ କଲେ । ମୋ ଡକ୍ୟୁମେଣ୍ଟାରୀକୁ ମଧ୍ୟ ପାସ୍‌ କଲେ ନାହିଁ । ସେଥିପାଇଁ ଆମେ ଏହାକୁ ପୁଣି ଥରେ ଏଡିଟ୍‌ କରିବୁ । ଆପଣ ଯେଉଁ ୩ ସେକେଣ୍ଡ୍‌ର ଦୃଶ୍ୟ ପାଇଁ ୧୦ କୋଟି ଟଙ୍କାର ଲିଗାଲ ନୋଟିସ୍‌ ପଠାଇଛନ୍ତି, ତା’ର ନିଷ୍ପତ୍ତି ଏଥର କୋର୍ଟରେ ହେବ । ଆପଣଙ୍କ ନୋଟିସ୍‌ର ଜବାବ ଆଇନ ମାଧ୍ୟମରେ ଦିଆଯିବ ।’ 




ସୂଚନାଯୋଗ୍ୟ, ନୟନତାରା ନିଜର ଡକ୍ୟୁମେଣ୍ଟାରୀ ‘ନୟନତାରା: ବିୟଣ୍ଡ ଦ ଫେୟରୀ ଟେଲ୍‌’ ପାଇଁ ଧନୁଷଙ୍କଠୁ ତାଙ୍କର ଫିଲ୍ମ ‘ନାନୁମ ରାଉଡ଼ି ଧାନ’ର ଗୀତ ଓ ଭିଜୁଆଲ୍‌ ବ୍ୟବହାର ଲାଗି ଅନୁମତି ମାଗିଥିଲେ । କିନ୍ତୁ ଧନୁଷ ତାଙ୍କୁ ଅନୁମତି ଦେବାକୁ ମନା କରିଥିଲେ । ଡକ୍ୟୁମେଣ୍ଟାରୀର ଟ୍ରେଲ୍‌ର ଦେଖି ମାତ୍ର ୩ ସେକେଣ୍ଡ୍‌ର ଭିଜୁଆଲ ଚୋରି ଅଭିଯୋଗରେ ସେ ନୟନତାରାଙ୍କୁ ୧୦ କୋଟି ଟଙ୍କାର ଲିଗାଲ ନୋଟିସ୍‌ ପଠାଇଛନ୍ତି । ଫିଲ୍ମ ‘ନାନୁମ ରାଉଡ଼ି ଧାନ’ରେ ନୟନତାରା ତାଙ୍କର ଲିଡ୍‌ ଲେଡି ଭାବେ ନଜର ଆସିଥିଲେ ।