ଭୁବନେଶ୍ୱର, ୦୨/୦୭ : ଆସନ୍ତା ୫ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଯାଉଛି ପ୍ରଥମ ନୀରଜ ଚୋପ୍ରା  (ଏନ୍‌ସି) କ୍ଲାସିକ-୨୦୨୫ । ବିଶ୍ୱର ବହୁ ଆଗ ଧାଡ଼ିର ଜାଭେଲିନ  ଫିଙ୍ଗାଳି ଏହି ପ୍ରତିଯୋଗିତାରେ ଭାଗ ନେବେ । ଏକମାତ୍ର ଓଡ଼ିଆ  ଭାବେ କିଶୋର କୁମାର ଜେନାଙ୍କୁ ଏଥିରେ ସୁଯୋଗ ମିଳିଥିଲା । କିନ୍ତୁ ସେ ଆହତ ହେବା କାରଣରୁ ପ୍ରତିଯୋଗିତାରୁ ଓହରି  ଯାଇଛନ୍ତି । କିଶୋରଙ୍କ ପାଦ ଗଣ୍ଠିରେ ଆଘାତ ଲାଗିଛି । ତେଣୁ  ସେ ଆଉ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ । ତାଙ୍କ ସ୍ଥାନରେ  ଯଶବୀର ସିଂଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି । 

୨୩  ବର୍ଷୀୟ ଯୁବ ତାରକା ଗତ ମେ’ ମାସରେ ଦକ୍ଷିଣ କୋରିଆରେ  ଆୟୋଜିତ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ୮୨.୫୭ ମିଟର ପ୍ରଦର୍ଶନ ଦେଇଥିଲେ । ମୋଟ୍‌ ୧୨ ଜଣ ପ୍ରତିଯୋଗୀ  ଫାଇନାଲରେ ଥ୍ରୋ କରିବେ । ଏନ୍‌ସି କ୍ଲାସିକ ପ୍ରଥମେ ଗତ  ମେ’ ୨୪ ତାରିଖରେ ଆୟୋଜନ କରାଯିବା ନେଇ ସ୍ଥିର  ହୋଇଥିଲା । କିନ୍ତୁ ଭାରତ-ପାକିସ୍ତାନ ସୀମାରେ ତୀବ୍ର ଉତ୍ତେଜନା  ପରେ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଥିଲା ଏବଂ ପରେ  ପୁନଃ ସୂଚୀ ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତାରେ  ଟିକେଟ୍‌ ମୂଲ୍ୟ ୧୯୯ରୁ ୯୯୯୯ ଟଙ୍କା ରଖାଯାଇଛି ।