ଦୁବାଇ,୨୧/୦୯: ଏସିଆ କପ୍‌ ସୁପର ଫୋର୍‌ରେ ମୁହାଁମୁହିଁ ହୋଇଛି ଦୁଇ ଚିରପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ତାନ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୭୧ ରନ୍ କରିଛି। ପାକିସ୍ତାନୀ ଦଳ ପକ୍ଷରୁ ସର୍ବୋତ୍ତମ ବ୍ୟାଟର ଭାବେ ସାହିବଜାଦା ଫରହାନ୍ ୫୮ ରନ୍‌ର ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହି ଇନିଂସରେ ଭାରତୀୟ ଖେଳାଳିଙ୍କ ଫିଲ୍ଡିଂ ନୈରାଶ୍ୟଜନକ ଥିଲା, ଲଗାତାର ସହଜ କ୍ୟାଚ୍ ଛାଡ଼ିଥିଲେ ଭାରତୀୟ ଫିଲ୍ଡର। ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଥିଲା ଯେ ଜସପ୍ରିତ ବୁମରାହ ଭାରତ ପାଇଁ ସବୁଠାରୁ ମହଙ୍ଗା ବୋଲର ଥିଲେ।

ସାଧାରଣତଃ ପାକିସ୍ତାନ ପାଇଁ ସାମ ଆୟୁବ ଏବଂ ସାହିବଜାଦା ଫରହାନ ଇନିଂସ ଓପନିଂ କରନ୍ତି, କିନ୍ତୁ ଏହି ମ୍ୟାଚରେ ଫଖର ଜମାନ ଆୟୁବଙ୍କ ସ୍ଥାନ ନେଇଥିଲେ। ଏପର୍ଯ୍ୟନ୍ତ ଏସିଆ କପର ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ ହୋଇଥିବା ଆୟୁବ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ୨୧ ରନ୍‌ର ଯୋଗଦାନ ଦେଇଥିଲେ। ପାକିସ୍ତାନୀ ଦଳର ଇନିଂସର ହିରୋ ଥିଲେ ସାହିବଜାଦା ଫରହାନ। ସେ ୩୪ ବଲ୍ ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୪୫ ବଲ୍ ରେ ୫ ଚୌକା ଏବଂ ୩ ଛକା ମାରି ୫୮ ରନ୍ କରିଥିଲେ। 

ଭାରତ ପକ୍ଷରୁ ପୂର୍ବ ମ୍ୟାଚ୍‌ରେ ୪ଟି ଓ୍ବିକେଟ ନେଇଥିବା କୁଲଦୀପ ଯାଦବ ଆଜିର ମ୍ୟାଚ୍‌ରେ ଗୋଟିଏ ଓ୍ବିକେଟ ନେଇଥିଲେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଗୋଟିଏ ସଫଳତା ପାଇଥିଲେ। ଦଳପକ୍ଷରୁ ଶିବମ ଦୁବେ ଦୁଇଟି ଓ୍ବିକେଟ ନେଇଛନ୍ତି। ଏବେ ପାକିସ୍ତାନ ପକ୍ଷରୁ ଦିଆଯାଇଥିବା ୧୭୨ ରନ୍‌ର ଟାର୍ଗେଟ ପୂରଣ କରିବାକୁ ମଇଦାନକୁ ଓହ୍ଲାଇବେ ଭାରତୀୟ ଖେଳାଳି।