ନୂଆଦିଲ୍ଲୀ/ଜୟପୁର: ଦେଶର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା 'ନିଟ୍' (NEET-UG) ପେପର ଲିକ୍ ମାମଲାରେ ସିବିଆଇ ଏବଂ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (SOG) ହାତରେ ଲାଗିଛି ବଡ଼ ପ୍ରମାଣ। ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସୁଛି । ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମାଙ୍ଗିଲାଲ୍ ବିୱାଲ୍ ଏବଂ ଦିନେଶ ବିୱାଲ୍‌ଙ୍କୁ ପଚରାଉଚରା କରିବା ପରେ ଜଣାପଡ଼ିଛି ଯେ, ଏହି ପ୍ରଶ୍ନପତ୍ର ଲିକ୍ କାରବାର କେବଳ ଚଳିତ ବର୍ଷର ନୁହେଁ, ବରଂ ଏହା ପଛରେ ବିଗତ କିଛି ବର୍ଷ ହେବ ଏକ ସଂଗଠିତ ମାଫିଆ ନେଟୱର୍କ କାମ କରୁଥିଲା ।  ଏହି ଘଟଣା ସାମ୍ନାକୁ ଆସିବା ପରେ କୋଚିଂ ମାଫିଆ, ବିଭିନ୍ନ ରାଜ୍ୟର ଦଲାଲ ଏବଂ କୋଟି କୋଟି ଟଙ୍କାର ଆର୍ଥିକ କାରବାରର ଏକ ବଡ଼ ଚକ୍ରବ୍ୟୁହର ପର୍ଦ୍ଦାଫାଶ ହୋଇଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି ଯେ, କଣ ପ୍ରତିବର୍ଷ ନିଟ୍ ପରୀକ୍ଷା ପୂର୍ବରୁ ଏହିଭଳି ଭାବେ ପ୍ରଶ୍ନପତ୍ର ବାହାରକୁ ଚାଲିଆସୁଥିଲା ?

ବିଗତ ବର୍ଷ (୨୦୨୫)ରେ ବି ଲିକ୍ ହୋଇଥିଲା ପେପର !

ସୂତ୍ର ଅନୁଯାୟୀ, ମାଙ୍ଗିଲାଲ ଏବଂ ଦିନେଶଙ୍କୁ ଜେରା ବେଳେ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ଗତ ବର୍ଷ ଅର୍ଥାତ୍ NEET 2025 ପରୀକ୍ଷାରେ ମଧ୍ୟ ଏହି ନେଟୱର୍କ ସକ୍ରିୟ ଥିଲା ଏବଂ ରାଜସ୍ଥାନର ଜମୱାରାମଗଡ଼ ଅଞ୍ଚଳର ଏହି ବିୱାଲ୍ ପରିବାରର ୫ ଜଣ ପିଲାଙ୍କୁ ପରୀକ୍ଷା ପୂର୍ବରୁ ହିଁ ପ୍ରଶ୍ନପତ୍ର ଯୋଗାଇ ଦିଆଯାଇଥିଲା। ଏହି ଖୁଲାସା ତଦନ୍ତକାରୀ ସଂସ୍ଥାକୁ ମଧ୍ୟ ଚକିତ କରିଦେଇଛି । ଏହି ମାମଲାରେ ବିକାଶ ବିୱାଲ୍ ନାମକ ଜଣେ ଯୁବକର ସଂପୃକ୍ତି ସାମ୍ନାକୁ ଆସିଛି, ଯିଏକି ସୱାଇ ମାଧୋପୁର ମେଡିକାଲ କଲେଜର ଜଣେ ଏମବିବିଏସ୍ ଛାତ୍ର ଏବଂ ମୁଖ୍ୟ ଅଭିଯୁକ୍ତ ମାଙ୍ଗିଲାଲ୍‌ର ପୁଅ । ଅଭିଯୋଗ ହୋଇଛି ଯେ, ବିକାଶ ନିଜେ ଏହି ନେଟୱର୍କରେ ସାମିଲ ଥିଲା ଏବଂ ପ୍ରଶ୍ନପତ୍ର ହାସଲ କରିବା ତଥା ତାହାକୁ ଆଗକୁ ବିକ୍ରି କରିବା ପାଇଁ ପ୍ରାୟ ୬୫ ଲକ୍ଷ ଟଙ୍କା କାରବାର କରାଯାଇଥିଲା । ଏହି ବିପୁଳ ପରିମାଣର ଅର୍ଥ ନେଟୱର୍କର ଉପର ସ୍ତରରେ ଥିବା ପ୍ରଭାବଶାଳୀ ଲୋକଙ୍କ ପାଖକୁ ପଠାଯାଇଥିବା ସନ୍ଦେହ କରାଯାଉଛି ।

ହରିୟାଣାରୁ ମହାରାଷ୍ଟ୍ର: ଆନ୍ତଃ-ରାଜ୍ୟ ଲିକ୍ ନେଟୱର୍କ

ତଦନ୍ତ ବେଳେ ହରିୟାଣାର ଛାତ୍ର ୟଶ୍ ଯାଦବର ନାମ ମଧ୍ୟ ପ୍ରକାଶ ପାଇଛି । ୟଶ୍ ରାଜସ୍ଥାନର ପ୍ରସିଦ୍ଧ କୋଚିଂ ହବ୍ 'ସୀକର' ଠାରେ ରହି ପାଠ ପଢୁଥିବା ସମୟରେ ମାଙ୍ଗିଲାଲ ପରିବାର ସହ ସମ୍ପର୍କରେ ଆସିଥିଲା । ଏହି ସମ୍ପର୍କ ଜରିଆରେ ହିଁ ଅନେକ ଛାତ୍ରଛାତ୍ରୀଙ୍କ ପାଖକୁ ପ୍ରଶ୍ନପତ୍ର ପହଞ୍ଚା ଯାଇଥିଲା । କେବଳ ହରିୟାଣା କିମ୍ବା ରାଜସ୍ଥାନ ନୁହେଁ, ଏହି ନେଟୱର୍କର ଚେର ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବିଛି । ମହାରାଷ୍ଟ୍ରରୁ ହିଁ ପ୍ରଶ୍ନପତ୍ର ଆଣିବାର ବ୍ୟବସ୍ଥା କରାଯାଉଥିଲା ବୋଲି ସୂଚନା ମିଳିଛି । ଏବେ ସିବିଆଇ ଏହି ସାରା ଇଣ୍ଟର-ଷ୍ଟେଟ୍ ଲିକ୍ ଚେନ୍‌ର ସମସ୍ତ କଡ଼ିକୁ ଯୋଡ଼ିବାରେ ଲାଗିଛି । ଏହା ପଛରେ କେବଳ କିଛି ବ୍ୟକ୍ତି ବିଶେଷ ନାହାନ୍ତି, ବରଂ ଏକ ବଡ଼ 'କୋଚିଂ ମାଫିଆ' ସକ୍ରିୟ ଥିବା ଅଧିକାରୀମାନେ ନିଶ୍ଚିତ ହୋଇଛନ୍ତି । ବିୱାଲ୍ ପରିବାର କେବଳ ସାମ୍ନାରେ ରହି କାମ କରୁଥିଲା, କିନ୍ତୁ ପରଦା ପଛରେ କିଛି ପ୍ରଭାବଶାଳୀ ଲୋକ ଏହି ସାରା ଖେଳ ପରିଚାଳନା କରୁଥିଲେ ।

କୋଚିଂ ସଂସ୍ଥାଙ୍କ ମଧ୍ୟରେ ଲଢ଼େଇ ଯୋଗୁଁ ଫସିଗଲା ଗ୍ୟାଙ୍ଗ୍ !

ତଦନ୍ତ ଅନୁସାରେ, ଏହି ବଡ଼ ଧରଣର ସାମ୍ରାଜ୍ୟ ବହୁ ବର୍ଷ ଧରି ଗୋପନରେ ଚାଲିଆସୁଥିଲା । କିନ୍ତୁ, ଏଥର ଗ୍ୟାଙ୍ଗ୍‌ର ଜଣେ ସଦସ୍ୟ ନିଜର ନିର୍ଦ୍ଧାରିତ ଭୂମିକାରୁ ବାହାରକୁ ଯାଇ କାମ କରିବାରୁ ପୂରା ଯୋଜନା ଫ୍ଲପ୍ ହୋଇଗଲା । ଅଭିଯୁକ୍ତ ଦିନେଶର ପୁଅ ଋଷି ଜରିଆରେ ପ୍ରଶ୍ନପତ୍ର ବଣ୍ଟାଯିବା ପରେ ନେଟୱର୍କର ପୋଲ୍ ଖୋଲିଯାଇଥିଲା । ସବୁଠାରୁ ରୋଚକ କଥା ହେଉଛି, ସୀକରର କୋଚିଂ ସଂସ୍ଥାଗୁଡ଼ିକ ମଧ୍ୟରେ ଚାଲିଥିବା ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ଯୋଗୁଁ ଏହି ଘଟଣା ସାମ୍ନାକୁ ଆସିଛି । ବଜାରରେ ନିଜର ବର୍ଚ୍ଚସ୍ୱ ବଜାୟ ରଖିବା ପାଇଁ ଏକ କୋଚିଂ ସଂସ୍ଥା, ଜଣେ ପିଜି ମାଲିକଙ୍କ ସହ ମିଶି ଏନଟିଏ ପାଖକୁ ଅଭିଯୋଗ ପଠାଇଥିଲା । ଏହି ଅଭିଯୋଗ ଆଧାରରେ ହିଁ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସିଲା । ପେପର ଲିକ୍ ମାମଲାରେ ଜୟପୁରର ଜମୱାରାମଗଡ଼ର ବିୱାଲ୍ ପରିବାର ଏବେ ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁ । ୨୦୨୫ ନିଟ୍ ପରୀକ୍ଷାରେ ଏହି ଗୋଟିଏ ପରିବାରର ୪ ଜଣ ପିଲା କୃତକାର୍ଯ୍ୟ ହୋଇ ବିଭିନ୍ନ ମେଡିକାଲ୍ କଲେଜରେ ଆଡମିଶନ କରିଛନ୍ତି । ଚଳିତ ବର୍ଷ ମଧ୍ୟ ପରିବାରର ଆଉ ଜଣେ ସଦସ୍ୟଙ୍କ ପାଇଁ ପ୍ରଶ୍ନପତ୍ର କିଣାଯାଇଥିଲା । ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଦିନେଶ ବିୱାଲ୍ ନିଜ ପୁଅ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇ ପେପର କିଣିଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ପେପର ପାଇବା ସତ୍ତ୍ୱେ ପୁଅ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିନଥିଲା ।

ତଦନ୍ତକାରୀ ସଂସ୍ଥା ଏବେ ସୁଦ୍ଧା ଅନେକ ଟେଲିଗ୍ରାମ ପିଡିଏଫ୍, ହ୍ୱାଟ୍ସଆପ୍ ଚାଟ୍, ସୀକରର ଏକ ଫ୍ଲାଟ୍ ଏବଂ ୧୫୦ରୁ ଅଧିକ ସନ୍ଦିଗ୍ଧ ଛାତ୍ରଛାତ୍ରୀଙ୍କ କନେକ୍ସନ ଖୋଜି ବାହାର କରିଛି । ଏହି ସାରା ରାକେଟ୍ ମାଧ୍ୟମରେ କେଉଁ କେଉଁ ଛାତ୍ରଙ୍କୁ ପେପର ବିକ୍ରି କରାଯାଇଛି ଏବଂ ଏହି କଳା ବେପାରରୁ କେଉଁମାନେ ଆର୍ଥିକ ଫାଇଦା ନେଇଛନ୍ତି, ସେନେଇ ଖୋଳତାଳ ଜାରି ରହିଛି । ଏହି ବଡ଼ ଖୁଲାସା ପରେ ରାଜସ୍ଥାନ ସମେତ ସାରା ଦେଶର ଶିକ୍ଷା ମହଲରେ ଚାଞ୍ଚଲ୍ୟ ଖେଳିଯାଇଛି ।

​​​​​​​ଆହୁରି ପଢ଼ନ୍ତୁ... ​​​​​​​NEET ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଚଳିତ ବର୍ଷ ମିଳିବ ଆଉ ୧୫ ମିନିଟ୍ ସମୟ; ଆସନ୍ତା ବର୍ଷଠାରୁ ସମ୍ପୂର୍ଣ୍ଣ ଅନଲାଇନ୍ !