ନୂଆଦିଲ୍ଲୀ: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିଛି । ନିଟ୍ (ୟୁଜି) ପରୀକ୍ଷା ‘ପେନ୍ ଓ ପେପର୍’ ମୋଡ୍ରେ ହେବ । ଏହା ସହ ନିଟ୍ (ୟୁଜି) ପରୀକ୍ଷା ଗୋଟିଏ ଦିନରେ ଏବଂ ଗୋଟିଏ ସିଫ୍ଟରେ ହେବ ବୋଲି ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ସେହିଭଳି ପ୍ରତ୍ୟେକ ମେଡିକାଲ କଲେଜ୍ରେ ସବୁ ସ୍ନାତକ ପାଠ୍ୟକ୍ରମ ଲାଗି ନିଟ୍ ପରୀକ୍ଷା ଉପଯୋଗୀ ହେବ । ବିଏଚ୍ଏମଏସ୍ କୋର୍ସ ଲାଗି ଛାତ୍ରଛାତ୍ରୀଙ୍କୁ ନିଟ୍ ପରୀକ୍ଷା ଦେବାକୁ ପଡ଼ିବ । ମିଲିଟାରି ନର୍ସିଂ ସର୍ଭିସ୍ (ଏମଏନଏସ୍) ଆଶାୟୀ ମଧ୍ୟ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷାରେ କୃତୀତ୍ବ ହାସଲ କରିବାର ଆବଶ୍ୟକତା ରହିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି ।
ଏନଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଅଧିନିୟମ, ୨୦୧୯ର ଧାରା ୧୪ ଅନୁସାରେ ସମସ୍ତ ଚିକିତ୍ସା ସଂସ୍ଥାନରେ ସ୍ନାତକ ଚିକିତ୍ସା ଶିକ୍ଷାରେ ଭର୍ତ୍ତି ପାଇଁ NEET (UG)କୁ ଏକ ସାଧାରଣ ଏବଂ ସମାନ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା ରୂପେ ଆୟୋଜନ କରାଯିବ । ଏହିପରି ନ୍ୟାସନାଲ କମିଶନ ଫର୍ ଇଣ୍ଡିଆନ୍ ସିଷ୍ଟମ ଅଫ୍ ମେଡିସିନ୍ ଆକ୍ଟ ୨୦୨୦ର ଧାରା ୧୪ ଅନୁସାରେ ପରିଚାଳିତ ସମସ୍ତ ଚିକିତ୍ସା ପ୍ରତିଷ୍ଠାନରେ ଭାରତୀୟ ଚିକିତ୍ସା ପଦ୍ଧତିର ପ୍ରତ୍ୟେକ ବିଷୟ ଅର୍ଥାତ୍ BAMS, NUMS ଏବଂ BSMS ସ୍ନାତକ କୋର୍ସରେ ଭର୍ତ୍ତି ହେବା ପାଇଁ ମଧ୍ୟ NEET (UG) ଦରକାର । NEET (UG) ରାଷ୍ଟ୍ରୀୟ ହୋମିଓପାଥିକ ଆୟୋଗ ଅଧିନରେ BHMS କୋର୍ସରେ ଭର୍ତ୍ତି ପାଇଁ ମଧ୍ୟ ଏହା ଲାଗୁ ହେବ ।
୨୦୨୫ ପାଇଁ ସଶସ୍ତ୍ର ସେନା ଚିକିତ୍ସା ସେବା ହସ୍ପିଟାଲରେ ବିଏସସି ନର୍ସିଂ ବିଷୟରେ ଆଡମିଶନ ନେବା ପାଇଁ NEET (UG) ଯୋଗ୍ୟତା ହାସଲ କରିବାକୁ ପଡ଼ିବ । ଚାରି ବର୍ଷୀୟ ବିଏସସି ନର୍ସିଂ କୋର୍ସରେ ଚୟନ ପାଇଁ ସର୍ଟଲିଷ୍ଟିଂ କରିବା ଲାଗି ନିଟ୍ ୟୁଜି ସ୍କୋରକୁ ମାନଦଣ୍ଡ ଭାବରେ ଗ୍ରହଣ କରାଯିବ । ଏହା ପୂର୍ବରୁ ଡିସେମ୍ବର ୧୭ରେ ଏନଟିଏକୁ ନେଇ ବଡ଼ ଘୋଷଣା କରିଥିଲେ କେନ୍ଦ୍ର ସରକାର । ନିଯୁକ୍ତି ପରୀକ୍ଷା ନୁହେଁ କେବଳ ପ୍ରବେଶିକା ପରୀକ୍ଷା ଆୟୋଜନ ଉପରେ ଗୁରୁତ୍ବ ଦେବ ଏନଟିଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ‘ଏନଟିଏରେ ସୁଧାର ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା । କମିଟି ନିଜ ରିପୋର୍ଟ ହସ୍ତାନ୍ତର କରିଛି । ରିପୋର୍ଟକୁ ସୁପ୍ରିମକୋର୍ଟଙ୍କ ସାମନାରେ ଉପସ୍ଥାପନ କରାଯାଇଥିବା ଏହି ରିପୋର୍ଟ ସାର୍ବଜନୀନ ହୋଇଛି ।’