ମୁମ୍ୱାଇ : ଅଭିନେତ୍ରୀ ନୀତୁ କପୁର ନିକଟରେ ଏକ ପୋଡକାଷ୍ଟରେ ନିଜର ବୈବାହିକ ଜୀବନର କିଛି ଅଜଣା କଥା ସେୟାର କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ରିଲେସନସିପରେ ଅନେକ ଭାବପ୍ରବଣର ମୁହୂର୍ତ୍ତ ଥିଲା, ଜିଦଖୋର ପଣ ଏବଂ ଝଗଡ଼ା ପରେ ଦୀର୍ଘ ସମୟର ନୀରବତା ମଧ୍ୟ ରହୁଥିଲା।

ସୋହା ଅଲୀ ଖାନଙ୍କ ସହ ଏକ ବିଶେଷ ଆଲୋଚନାରେ ନୀତୁ କପୁର କହିଛନ୍ତି, " ମୁଁ ତାଙ୍କ ସହ ମାସ ମାସ ଧରି ଲଢୁ ଥିଲି। ମୋ ସ୍ୱାମୀ ବହୁତ ଜିଦଖୋର ଥିଲେ। ଯେତେବେଳେ ବି ଆମ ମଧ୍ୟରେ ଝଗଡ଼ା ହେଉ ଥିଲା, ମୁଁ ତାଙ୍କୁ ମୋ ମନ କଥା କହି ପାରୁ ନଥିଲି କାରଣ ସେ ଶୁଣୁ ନଥିଲେ। ତେଣୁ ମୁଁ ତାଙ୍କ ସହ 'କୋଲ୍ଡ ୱାର୍' ଆରମ୍ଭ କରି ଦେଉ ଥିଲି, ଯାହା ପ୍ରାୟ ୬ ମାସ ପର୍ଯ୍ୟନ୍ତ ଚାଲୁ ଥିଲା। ସେ ନିଜେ ପଚାରିବା ପର୍ଯ୍ୟନ୍ତ ମୁଁ ନଇଁବାକୁ ପ୍ରସ୍ତୁତ ନଥିଲି।"

ଏହାସହ ମଧ୍ୟ ପଢନ୍ତୁ : ମୁଁ ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଶୋଇ ପାରି ନଥିଲି, ମଦ ପିଇବା ଆରମ୍ଭ କରି ଥିଲି : ନୀତୁ କପୁର

ନୀତୁ କପୁର କହିଛନ୍ତି ଯେ, ଉଭୟଙ୍କ ମଧ୍ୟରେ ଥିବା ଏହି ଦୀର୍ଘ ନୀରବତା କପୁର ପରିବାରରେ ଏକ ହସର ଖୋରାକ ଯୋଗାଉ ଥିଲା। ତାଙ୍କ ଶାଶୁ ମଧ୍ୟ ତାଙ୍କୁ ଏହା କହି ଚିଡ଼ାଉ ଥିଲେ ଯେ, "ମୋତେ ଲାଗୁଛି ତୁମେ ଦୁହେଁ କେବଳ ଅଧା ସମୟ ପାଇଁ ବିବାହିତ, କାରଣ ବାକି ସମୟ ତ ତୁମେ ଦୁହେଁ ପରସ୍ପର ସହ କଥା ହୁଅ ନାହିଁ।"

ନୀତୁ କହିଛନ୍ତି ଯେ, ରିଷି କପୁର ତାଙ୍କୁ ମନାଇବା ପାଇଁ ପିଲାମାନଙ୍କ ସାହାଯ୍ୟ ନେଉ ଥିଲେ। ସେ ପିଲାମାନଙ୍କୁ ମେସେଜ୍ କରୁଥିଲେ ଯେ, ମା’ ସହ କଥା ହେଲ କି ? ସେ ଠିକ୍ ଅଛି ତ ? କ’ଣ ହେଉଛି ? ଏହାପରେ ସେ ନୀତୁଙ୍କ ପାଖକୁ ଆସି ପଚାରୁଥିଲେ - ଆଚ୍ଛା, କ’ଣ ସମସ୍ୟା ଅଛି କହ ୟାର୍। ଏହାପରେ ନୀତୁ ଯାହା କହୁ ଥିଲେ ସେ ତାହା କରୁ ଥିଲେ, ତାହା ଡାଏଟ୍ କରିବା ହେଉ ବା ଓଜନ କମାଇବା।

୧୯୮୦ ମସିହାରେ ରିଷି କପୁର ଏବଂ ନୀତୁ କପୁରଙ୍କ ହୋଇଥିଲା ବିବାହ। ବିବାହ ପରେ ନୀତୁ ଅଭିନୟରୁ ବିରତି ନେଇ ଥିଲେ ଏବଂ ୨୦୦୯ରେ 'ଲଭ୍ ଆଜକଲ୍' ଚଳଚ୍ଚିତ୍ର ମାଧ୍ୟମରେ ପୁଣି କ୍ୟାମିଓ କରି ଥିଲେ। ୨୦୨୦ ମସିହାରେ ରିଷି କପୁରଙ୍କ ଦେହାନ୍ତ ହୋଇ ଥିଲା। ନିକଟରେ ନୀତୁ କପୁରଙ୍କ ଫିଲ୍ମ 'ଦାଦି କି ଶାଦି ' ରିଲିଜ୍ ହୋଇଛି।