କାଠମାଣ୍ଡୁ,୧୧/୦୯: ନେପାଳରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ଦେଶର ପ୍ରଥମ ମହିଳା ପ୍ରଧାନ ବିଚାରପତି ରହିସାରିଥିବା ସୁଶୀଲା କାର୍କିଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇପାରେ । ଜେନ୍-ଜି ଆନ୍ଦୋଳନକାରୀଙ୍କ ଭର୍ଚୁଆଲ ବୈଠକରେ ୩୧%ରୁ ଅଧିକ ଭୋଟ ସୁଶୀଲା କାର୍କିଙ୍କ ସମର୍ଥନରେ ଯାଇଥିଲା । ସେହିପରି କାଠମାଣ୍ଡୁ ମେୟର ତଥା ରାପର୍ ବାଲେନ ଶାହଙ୍କୁ ୨୭% ଭୋଟ ଯାଇଥିଲା । ଏହା ପରେ ଅନ୍ତରୀଣ ସରକାରର ଦାୟିତ୍ୱ ପାଇଁ ସୁଶୀଲା କାର୍କିଙ୍କ ନାଁ ସ୍ଥିର କରାଯାଇଛି ।ଯେ ପର୍ଯ୍ୟନ୍ତ ନୂଆକରି ନିର୍ବାଚନ ନ ହୋଇଛି ସେ ପର୍ଯ୍ୟନ୍ତ ସୁଶୀଲା ଏହି ସଙ୍କଟରେ ଦେଶର ନେତୃତ୍ୱ ନେବେ ।
ସୁଶୀଲାଙ୍କ ଜନ୍ମ ୧୯୫୨ ଜୁନ୍ ୭ରେ ବିରାଟନଗରରେ । ସେ ମହେନ୍ଦ୍ର ମୋରାଙ୍ଗ କଲେଜରେ ଗ୍ରାଜୁଏସନ ପରେ ବନାରସ୍ ହିନ୍ଦୁ ୟୁନିଭର୍ସିଟି (ବିଏଚ୍ୟୁ)ରେ ପଲିଟିକାଲ ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ । ପରେ ନେପାଳର ତ୍ରିଭୁବନ ୟୁନିଭର୍ସିଟିରୁ ଆଇନରେ ବି ଡିଗ୍ରୀ ହାସଲ କରିଥିଲେ । ସେ ନେପାଳର ପ୍ରଥମ ଏବଂ ଏକମାତ୍ର ମହିଳା ପ୍ରଧାନ ବିଚାରପତି । ୨୦୧୬ ଜୁଲାଇ ୧୧ରୁ ୨୦୧୭ ଜୁନ୍ ୬ ପର୍ଯ୍ୟନ୍ତ ସେ ପ୍ରଧାନ ବିଚାରପତି ଥିଲେ । ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ପାଇଁ ସେ ଜଣା । ପୁଲିସ ନିଯୁକ୍ତିରେ ଅନିୟମିତତା, ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପନ, ଅନେକ ହାଇପ୍ରୋଫାଇଲ ଦୁର୍ନୀତି ମାମଲାରେ ତାଙ୍କ ରାୟ ପାଇଁ ସେ ବେଶ୍ ଚର୍ଚ୍ଚିତ ହୋଇଥିଲେ ।
୨୦୧୭ରେ ରାଜନୈତିକ ଦଳଗୁଡ଼ିକ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଥିଲେ । ସେ ଏକପାକ୍ଷିଆ ନିଷ୍ପତ୍ତି ନେଉଥିବା ଏବଂ କାର୍ଯ୍ୟପାଳିକାରେ ହସ୍ତକ୍ଷେପ କରୁଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । କିନ୍ତୁ ବିପୁଳ ଜନସମର୍ଥନ ଏବଂ ସୁପ୍ରିମକୋର୍ଟଙ୍କ ଏକ ନିର୍ଦ୍ଦେଶ ପରେ ମହାଭିଯୋଗ ପ୍ରସ୍ତାବ ପ୍ରତ୍ୟାହାର ହୋଇଥିଲା । ସୁଶୀଲା କାର୍କିଙ୍କ ବିବାହ ଦୁର୍ଗା ପ୍ରସାଦ ସୁବେଦୀଙ୍କ ସହ ହୋଇଥିଲା, ଯାହାଙ୍କୁ ସେ ବାରାଣସୀରେ ପଢ଼ୁଥିବା ବେଳେ ଭେଟିଥିଲେ । ଦୁର୍ଗା ପ୍ରସାଦ ସେତେବେଳେ ନେପାଳୀ କଂଗ୍ରେସର ଚର୍ଚ୍ଚିତ ଯୁବନେତା ଥିଲେ ଏବଂ ପଞ୍ଚାୟତ ଶାସନ ବିରୋଧରେ ଆନ୍ଦୋଳନରେ ସକ୍ରିୟ ଭୂମିକା ନେଇଥିଲେ । ଏମିତିକି ଏକ ବିମାନ ଅପହରଣ ମାମଲାରେ ବି ତାଙ୍କ ନାମ ସାମ୍ନାକୁ ଆସିଥିଲା । ନ୍ୟାୟପାଳିକାରୁ ଅବସର ନେବା ପରେ ସୁଶୀଲା ଲେଖାଲେଖି ଆରମ୍ଭ କରିଥିଲେ । ୨୦୧୮ରେ ତାଙ୍କର ଆତ୍ମକଥା ‘ନ୍ୟାୟ’ ପ୍ରକାଶିତ ହୋଇଥିଲା । ୨୦୧୯ରେ ତାଙ୍କ ଲିଖିତ ଉପନ୍ୟାସ ‘କାରା’ ପ୍ରକାଶ ପାଇଥିଲା । ଯାହା ବିରାଟନଗର ଜେଲର ଅନୁଭୂତି ଉପରେ ଆଧାରିତ ଥିଲା ।