ନୂଆଦିଲ୍ଲୀ,୮।୯: ନେପାଳର ରାଜଧାନୀ କାଠମାଣ୍ଡୁରେ ଜୋରଦାର ହଙ୍ଗାମା। ସୋସିଆଲ ମିଡିଆ ବ୍ୟାନ୍କୁ ବିରୋଧ କରି ହଜାର ହଜାର ଯୁବପିଢି ରାସ୍ତାକୁ ଓହ୍ଲାଇଛନ୍ତି। ଏହି ସମୟରେ ସଂସଦ ଭବନରେ ପଶିଥିଲେ କିଛି ବିକ୍ଷୋଭକାରୀ। ସ୍ଥିତି ସଙ୍ଗୀନ ହେବାର ଦେଖି କାଠମାଣ୍ଡୁରେ କର୍ଫ୍ୟୁ ଲଗାଇ ଦିଆଯାଇଛି। ଏହି ସମୟରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ୧୬ ମୃତ୍ୟୁ ହୋଇଥିବା ବେଳେ ୩୦୦ ରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇଥିବା ଖବର ମିଳିଛି। କେବଳ କାଠମାଣ୍ଡୁ ନୁହେଁ, ନେପାଳର ଅନେକ ସହରକୁ ହିଂସାକାଣ୍ଡ ବ୍ୟାକିଛି।
ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳରେ ତୀବ୍ର ହେଉଛି ବିରୋଧ। ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ବିରୋଧରେ ଆରମ୍ଭ ହୋଇଛି ବିପ୍ଲବ। ରାଜଧାନୀ କାଠମାଣ୍ଡୁରେ ଏକାଠି ହୋଇଛନ୍ତି ହଜାର ହଜାର ଯୁବପୀଢି। ଓଲି ସରକାରଙ୍କ ଦୁର୍ନୀତିକୁ ବିରୋଧ କରି ସଂସଦ ଭବନ ଭିତରେ ପଶିଥିଲେ ବିକ୍ଷୋଭକାରୀ। ସଂସଦ ଭବନରେ ଭଙ୍ଗାରୁଜା ସହ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ। ସ୍ଥିତି ନିୟନ୍ତ୍ରଣରେ ଆଣିବାକୁ ପୋଲିସ ଲାଠିଚାର୍ଜ ସହ ଲୁହ ବୁହା ଗ୍ୟାସ୍ ଏବଂ ମାଡ଼ କରିଥିଲା। ଭଙ୍ଗାରୁଜା କରୁଥିବା ଉପଦ୍ରବକାରୀଙ୍କୁ ମୁକାବିଲା ପାଇଁ ଗୁଳି କରିବାକୁ ନେପାଳ ସରକାର ନିର୍ଦ୍ଦେଶ ଦେଛନ୍ତି। ଦେଶରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ନେପାଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ବାସଭବନ ବାହାରେ ସେନା ମୁତୟନ ହୋଇଛନ୍ତି।
ନିକଟରେ ନେପାଳ ସରକାର ଦେଶରେ ଫେସବୁକ୍, ଟ୍ବିଟର ଓ ୟୁଟ୍ୟୁବ୍ ଭଳି ୨୬ ସୋସିଆଲ ମିଡିଆ ଆପ୍ସ ଉପରେ ବ୍ୟାନ୍ ଲଗାଇ ଦେଇଛି। ଏହାକୁ ନେଇ ଦେଶରେ ଆରମ୍ଭ ହୋଇଛି ହିଂସା। ସରକାରଙ୍କ କହିବା ଅନୁସାରେ ସୋସିଆଲ ମିଡିଆ ଉପରେ ଲାଗିଥିବା ବ୍ୟାନ୍ ସେତେବେଳେ ହଟିବ, ଯେତେବେଳେ ଏହି କମ୍ପାନୀ ନେପାଳରେ ନିଜର ଅଫିସ ଖୋଲିବେ। ସରକାରଙ୍କ ନିକଟରେ ପଞ୍ଜିକରଣ କରିବେ ଓ ସମସ୍ୟା ରୋକିବା ପାଇଁ ସିଷ୍ଟମ ତିଆରି କରିବେ। ନେପାଳରେ ବର୍ତ୍ତମାନ କେବଳ ଟିକଟକ, ଭାଇବର, ନିମ୍ବଜ, ଭିଟକ୍ ଓ ପୋପୋ ଲାଇଭ ହିଁ ରେଜିଷ୍ଟ୍ରେସନ କରିଛନ୍ତି।