ନୂଆଦିଲ୍ଲୀ,୨୮।୯:  ନେପାଳର ‘ଜେନ-ଜେଡ’ ଆନ୍ଦୋଳନ ସମୟରେ ଯୁବ ପ୍ରଦର୍ଶନକାରୀଙ୍କ ଉପରେ ଗୁଳିଚାଳନା ଘଟଣାର ତଦନ୍ତ ପାଇଁ ଗଠିତ ନ୍ୟାୟିକ କମିଶନ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଅନୁମତି ବିନା କାଠମାଣ୍ଡୁ ଛାଡିବାକୁ ବାରଣ କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଗୌରୀ ବାହାଦୁର କାର୍କିଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। କେପି ଓଲିଙ୍କ ସମେତ ଅନେକ ନେତାଙ୍କ ପାସପୋର୍ଟ ରଦ୍ଦ କରାଯାଇଛି।

କମିଶନଙ୍କ ନିର୍ଦ୍ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି, ପୂର୍ବତନ ଗୃହମନ୍ତ୍ରୀ ରମେଶ ଲେଖକ, ତତ୍କାଳୀନ ଗୃହ ସଚିବ ଗୋକର୍ଣ୍ଣ ମଣି ଦୁୱାଡି, ଆଭ୍ୟନ୍ତରୀଣ ଗୁଇନ୍ଦା ବିଗାଭ ମୁଖ୍ୟ ହୁତ୍ ରାଜ ଥାପା ଏବଂ କାଠମାଣ୍ଡୁର ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ୍ ଛବି ରିଜାଲ ସାମିଲ ଅଛନ୍ତି। ଏହି ସମସ୍ତଙ୍କ ଉପରେ ନିର୍ବାଚନ କମିଶନ ସମସ୍ତଙ୍କୁ କଡ଼ା ନଜରରେ ରଖିବାକୁ ଏବଂ କମିଶନଙ୍କ ଅନୁମତି ବିନା କାଠମାଣ୍ଡୁ ଛାଡି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂତ୍ର ଅନୁଯାୟୀ, ଦେଉଭା ଦମ୍ପତିଙ୍କୁ  ୧୯ ସେପ୍ଟେମ୍ବରରେ ପାସପୋର୍ଟ ପ୍ରଦାନ କରାଯାଇଥିଲା, ଯାହାକୁ କମିଶନ ଏବେ ପ୍ରତ୍ୟାହାର କରିନେଇଛନ୍ତି। କମିଶନ ସ୍ପଷ୍ଟ କରିଛନ୍ତି ଯେ ତଦନ୍ତ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହି ନିଷେଧ ବଳବତ୍ତର ରହିବ ଏବଂ ଅନୁମତି ବିନା କାହାକୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ।