କାଠମାଣ୍ଡୁ, ୨୫।୭: ନେପାଳର ଖୋଲା ସୀମାର ସୁଯୋଗ ନେଇ ଭାରତ ପଟୁ ବେଆଇନ ଭାବେ ରୋହିଙ୍ଗ୍ୟା ମୁସଲମାନ, ପାକିସ୍ତାନୀ ଏବଂ ସୋମାଲିଆର ନାଗରିକମାନେ ନେପାଳ ଭିତକୁ ପଶୁଛନ୍ତି । ନେପାଳ ପୋଲିସର ଇନ୍ସପେକ୍ଟର ଜେନେରାଲ (IGP) ଦାନ ବାହାଦୁର କାର୍କୀ ଦେଶର ସଂସଦକୁ ଏକ ବଡ଼ ସୂଚନା ଦେଇ ଏହି ଦାବି କରିଛନ୍ତି । ନେପାଳ ସଂସଦର 'ସଂଘୀୟତା ସବଳୀକରଣ ତଥା ରାଷ୍ଟ୍ରୀୟ ସରୋକାର ସମିତି'ର ବୈଠକରେ ଦେଶର ସୁରକ୍ଷା ଚ୍ୟାଲେଞ୍ଜ ସମ୍ପର୍କରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି IGP କାର୍କୀ ଏହି ଚିନ୍ତାଜନକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି ।
ସମୂହ ଭାବେ ବସବାସ କରିବାର ପ୍ରୟାସ:
IGP ଦାନ ବାହାଦୁର କାର୍କୀଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେବ ଭାରତ ରାସ୍ତାରୁ ନେପାଳରେ ବେଆଇନ ଭାବେ ପ୍ରବେଶ କରୁଥିବା ଶରଣାର୍ଥୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ବିଦେଶୀ ନାଗରିକମାନେ ପ୍ରାୟତଃ ଏକାଠି ହୋଇ ଗୋଷ୍ଠୀ ବା ସମୂହ କରି ନେପାଳର ବିଭିନ୍ନ ଅଞ୍ଚଳରେ ବସବାସ କରିବାକୁ ଚେଷ୍ଟା କରୁଛନ୍ତି । ସୀମା ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରି IGP କାର୍କୀ କହିଛନ୍ତି ଯେ ଏହି ବେଆଇନ ଶରଣାର୍ଥୀମାନେ କେବଳ ବସବାସ କରୁନାହାନ୍ତି, ବରଂ ଡ୍ରଗ୍ସ ଚାଲାଣ ଭଳି ଅପରାଧରେ ମଧ୍ୟ ସମ୍ପୃକ୍ତ ରହୁଛନ୍ତି । ଏହା ନେପାଳର ଆଭ୍ୟନ୍ତରୀୟ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିଛି । ପୁଲିସ ଏପରି ଅନେକ ତସ୍କରଙ୍କୁ ଚିହ୍ନଟ କରି ଗିରଫ ମଧ୍ୟ କରିଛି ।
ଏହା ବି ପଢ଼ନ୍ତୁ... Social Media Ban: ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁଙ୍କ ସୋସିଆଲ ମିଡିଆ ବ୍ୟାନ୍ ଦାବି, ଇଣ୍ଟରନେଟ୍ରେ ଜୋରଦାର କାଉଣ୍ଟର
ଭାରତୀୟ ପୁଲିସ ହେପାଜତରେ ନେପାଳୀ ନାଗରିକ:
ବୈଠକରେ ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ଦକ୍ଷିଣ ସୀମାପାର୍ଶ୍ୱରେ ସାର କିଣିବା ବେଳେ ତସ୍କରୀ ଅଭିଯୋଗରେ କିଛି ନେପାଳୀ ନାଗରିକ ବର୍ତ୍ତମାନ ଭାରତୀୟ ପୁଲିସ ହେପାଜତରେ ଅଛନ୍ତି । ଏହି ପ୍ରସଙ୍ଗରେ ନେପାଳ ପୁଲିସ ଏବଂ କୂଟନୈତିକ ଜରୁଆ ମାଧ୍ୟମରେ ଭାରତୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାାଯୋଗ କରାଯାଉଛି । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ସେମାନେ ଶୀଘ୍ର ମୁକ୍ତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।