ନୂଆଦିଲ୍ଲୀ,୧୩।୯: ନେପାଳର ପୂର୍ବତନ ପ୍ରଧାନ ବିଚାରପତି ଏବେ ଦେଶର ଅନ୍ତରୀଣ ସରକାର। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ସୁଶୀଳା କାର୍କି। ତାଙ୍କ ନେତୃତ୍ବରେ ଦେଶରେ ନୂତନ ଯୁଗ ଆରମ୍ଭ ହେବ ବୋଲି ନେପାଳବାସୀ ଆଶା ରଖିଛନ୍ତି। କାର୍କିଙ୍କ ନେତୃତ୍ବକୁ ଭାରତ ମଧ୍ୟ ସ୍ବାଗତ କରିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିବୃତ୍ତି ଜାରି କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ନେପାଳରେ ଅନ୍ତରୀଣ ସରକାର ଗଠନକୁ ଆମେ ସ୍ବାଗତ କରୁଛୁ। ଆଶା ଅଛି ଏହା ଦ୍ବାରା ଆଗକୁ ଶାନ୍ତି ଓ ସ୍ଥିରତା ବୃଦ୍ଧି ପାଇବ। ଘନିଷ୍ଠ ପଡୋଶୀ, ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଦୀର୍ଘକାଳୀନ ବିକାଶ ସହଭାଗୀ ରୂପରେ ଭାରତ- ନେପାଳ ସହ ମିଶିକି କାମ କରିବା ଜାରି ରଖିବ।

କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ବହୁ ଦିନ ପର୍ଯ୍ୟନ୍ତ ଚାଲିଥିବା ରାଜନୈତିକ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ୭୩ ବର୍ଷୀୟ କାର୍କି ପଦଭାର ଗ୍ରହଣ  କରିଛନ୍ତି। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ କାଠମାଣ୍ଡୁ ସ୍ଥିତ ରାଷ୍ଟ୍ରପତି ଭବନରେ କାର୍କିଙ୍କୁ ପ୍ରଧାନମନ୍ତ୍ରୀ ପଦର ଶପଥପାଠ କରାଇଥିଲେ। ଏହି ସମାରେହରେ ନେପାଳ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ବରିଷ୍ଠ ଅଧିକାରୀ  ଓ ସୁରକ୍ଷା ଅଧିକାରୀ ଏବଂ ବହୁ ରାଷ୍ଟ୍ରଦୂତ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି କହିଛନ୍ତି, କାର୍କିଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାର ୬ ମାସ ଭିତରେ ସଂସଦୀୟ ନିର୍ବାଚନ କରିବାର ଅଧିକାର ରହିଛି। ପ୍ରଧାନ ବିଚାରପତି ଭାବରେ ନିଜର ସଚ୍ଚୋଟତା ପାଇଁ ପରିଚିତ କାର୍କିଙ୍କୁ ରାଷ୍ଟ୍ରପତି, ନେପାଳ ନେତୃତ୍ବ କରୁଥିବା ନେତା ଓ ଜନ ଆନ୍ଦୋଳନର ନେତୃତ୍ବ କରୁଥିବା ନେତାଙ୍କ ଭିତରେ ଆଲୋଚନା ପରେ ଚୟନ କରାଯାଇଛି। ସେପଟେ ଶନିବାର କର୍ଫ୍ୟୁ ହଟିବା ପରେ ସାଧାରଣ ଜନ-ଜୀବନ ଧିରେ ଧିରେ ସ୍ବାଭାବିକ ହୋଇଛି । ଦୋକାନ, ପରିବା ମାର୍କେଟ, ସପିଂ ମଲ୍ ଖୋଲିଛି। ସେଭଳି ପରିବହନ ବ୍ୟବସ୍ଥା ମଧ୍ୟ ପୂର୍ବ  ସ୍ଥିତିକୁ ଫେରିଛି। ବହୁ ସ୍ଥାନରେ ସଫେଇ ଅଭିଯାନ ଆରମ୍ଭ ହୋଇଛି। ଯେଉଁଥିରେ ପ୍ରମୁଖ ସରକାରୀ ବିଲ୍ଡିଂ ରହିଛି। ନିକଟରେ ‘ଜେନ୍‌ ଜି’ଙ୍କ ହିଂସ୍ର ପ୍ରଦର୍ଶନ ପରେ ଏହି ବିଲ୍ଡିଂ ଗୁଡିକରେ ବ୍ୟାପକ ଭଙ୍ଗାରୁଜା ସହ ନିଆଁ ଲଗାଇ  ଦିଆଯାଇଥିଲା। ଅନ୍ତରୀଣ ସରକାର ଆସିବା ପରେ ବି ଏବେ ଦେଶର ସୁରକ୍ଷା ବ୍ୟବସ୍ଥା ସେନା ନିୟନ୍ତ୍ରଣରେ ରହିଛି। ନେପାଳର ରାଜନୈତିକ ସଙ୍କଟର ମୁକାବିଲା ପାଇଁ ୬ ମାସ ପରେ ନିର୍ବାଚନ ହେବ । ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଲା କାର୍କିଙ୍କ ନେତୃତ୍ବରେ ଏହି ନିର୍ବାଚନ କରାଯିବ।