ନୂଆଦିଲ୍ଲୀ,୧୦ /୦୯: ସୋସିଆଲ ମିଡିଆ ବ୍ୟାନକୁ ନେଇ ଜଳୁଛି ନେପାଳ । ଜେନ-ଜିଙ୍କ ଆନ୍ଦୋଳନ ଏତେ ଉଗ୍ର ଓ ହିଂସ୍ର ହେବାରେ ଲାଗିଛି ଯେ ପୂରା ନେପାଳ ଯେମିତି ରଣକ୍ଷେତ୍ର ପାଲଟିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ହିଂସାତ୍ମକ ପ୍ରତିବାଦ ବନ୍ଦ ହୋଇନାହିଁ।  ମଙ୍ଗଳବାର ଆନ୍ଦୋଳନକାରୀମାନେ ରାଜଧାନୀ କାଠମାଣ୍ଡୁ ସମେତ ବିଭିନ୍ନ ସହରରେ ଭଙ୍ଗାରୁଜା କରିବା ସହ ଅନେକ ମନ୍ତ୍ରୀ ଏବଂ ନେତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ । ସେହିପରି ପ୍ରଦର୍ଶନକାରୀମାନେ କାଠମାଣ୍ଡୁର ବୁଡାନିଲକଣ୍ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ପ୍ରଦର୍ଶନକାରୀମାନେ ଘରେ ଉପସ୍ଥିତ ଥିବା ଦେଉବା ଏବଂ ତାଙ୍କ ପତ୍ନୀ, ନେପାଳର ବୈଦେଶିକ ମନ୍ତ୍ରୀ ଆର୍ଜୁ ରାଣା ଦେଉବାଙ୍କୁ ମାଡ଼ ମାରିଥିଲେ। ସେନାର ହସ୍ତକ୍ଷେପ ପରେ ଦେଉବାଙ୍କ ଜୀବନ ରକ୍ଷା ହୋଇଥିଲା କିନ୍ତୁ ଆର୍ଜୁଙ୍କ କୌଣସି ପତ୍ତା ମିଳିନାହିଁ। 

ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପ୍ରତିବାଦକାରୀମାନେ ଆର୍ଜୁଙ୍କୁ ଲାତ ଏବଂ ମୁଥା ମାରୁଥିବାର ଦେଖିବାକୁ ମିଳୁଛି। ଆକ୍ରମଣରେ ଆର୍ଜୁ ଗୁରୁତର ଆହତ ହୋଇଥିଲେ। ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ। ବର୍ତ୍ତମାନ ଦେଶର ବୈଦେଶିକ ମନ୍ତ୍ରୀ ଏହି ସମୟରେ କେଉଁଠି ଅଛନ୍ତି ତାହା ଜଣାପଡିନାହିଁ। କିଛି ରିପୋର୍ଟ କହୁଛି ଯେ,ଆର୍ଜୁଙ୍କୁ ମାଡ଼ ମାରିବା ପରେ, ପ୍ରତିବାଦକାରୀମାନେ ତାଙ୍କୁ ନିଜ ସହିତ ନେଇଯାଇଥିଲେ। ତଥାପି, ବର୍ତ୍ତମାନ ଏହା ନିଶ୍ଚିତ ହୋଇପାରିନାହିଁ । ଅନ୍ୟପଟେ ବିକ୍ଷୋଭକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେଉବାଙ୍କ ବାସଭବନରେ ଭଙ୍ଗାରୁଜା କରିଥିଲେ। ଆକ୍ରମଣ ପରେ ଦେଉବାଙ୍କ ମୁହଁରୁ ରକ୍ତ ବାହାରୁଥିବା ଫୁଟେଜରେ ଦେଖାଯାଉଛି। ଏହା ପରେ ପୁଲିସ ଅଧିକାରୀମାନେ ଦେଉବା ଏବଂ ଆର୍ଜୁଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରକାଶ ଥାଉକି,  ଆନ୍ଦୋଳନର ମୁକାବିଲା ପାଇଁ ସମଗ୍ର ନେପାଳରେ କର୍ଫ୍ୟୁ ଜାରି କରାଯାଇଛି। ବୁଧବାର ସକାଳ ୫ଟାରୁ ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ। ସେନା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସିଂହ ଦରବାର ଭଳି ସ୍ଥାନଗୁଡ଼ିକୁ ମଧ୍ୟ ନିୟନ୍ତ୍ରଣ କରିଛି। ନେପାଳରେ ଜେନ-ଜିଙ୍କ ଏହି ଆନ୍ଦୋଳନ କେପି ଶର୍ମା ଓଲି ସରକାରଙ୍କ ଦ୍ୱାରା ୨୬ଟି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ସହିତ ଆରମ୍ଭ ହୋଇଥିଲା, ଯାହା ଶୀଘ୍ର ହିଂସାତ୍ମକ ହୋଇଗଲା। ଏହି ହିଂସାରେ ବହୁତ ଜୀବନ ଯାଇଛି।