କୋକସରା,୪/୧୨ : ନିଆଁ ପୁଉଁଥିବାବେଳେ ବାଇକ୍ ଧକ୍କାରେ ଚାଲିଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମରେ । ମୃତକ ହେଲେ ଅଶୋକ ଚଣ୍ଡି (୫୬) ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଡାଲଗୁମା ଗ୍ରାମର ବେହେରା ଲଖିରାମ କଲେଜରେ ପିଅନ ଭାବେ କାର୍ଯ୍ୟରତ ଥିବା ଅଶୋକ ଓ ତାଙ୍କ ସମ୍ପର୍କୀୟ କକା ନରସିଂହ ଚଣ୍ଡି ବୁଧବାର ସନ୍ଧ୍ୟା ୮ଟାରେ ନିଜ ଗାଁ ଡାଲଗୁମା ଫୁଟବଲ ପଡିଆ ନିକଟରେ ଥିବା ତାଙ୍କ ଖଳା ନିକଟରେ ନିଆଁ ପୁଉଁଥିଲେ । ଏହି ସମୟରେ ବେହେରା ପଟୁ ଉକ୍ତ ଗ୍ରାମର ଯୁବକ ରାହୁଲ ଧରୁଆ ଏକ ବାଇକରେ ଦ୍ରୁତଗତିରେ ଆସି ରାସ୍ତାକଡ଼ରେ ଥିବା ଅଶୋକ ଓ ନରସିଂହଙ୍କୁ ଧକ୍କା ଦେଇଥିଲା ।

ବାଇକଟି ଅଶୋକ ଉପରେ ଚଢ଼ି ଯିବାରୁ ସେ ଛିଟିକି ପଡ଼ିବା ସହ ଗୁରୁତର ହୋଇ ପଡ଼ିଥିଲେ। ପରେ ପରିବାର ଲୋକେ ଉଭୟ ଗୁରୁତରଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଜଟିଳ ଥିବାରୁ ଉଭୟଙ୍କୁ ଚିକିତ୍ସା ପାଇଁ ଭବାନୀପାଟଣା ମେଡ଼ିକାଲକୁ ନେଇଥିବାବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକ ଚଣ୍ଡିଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି।

ମୃତକଙ୍କ ସମ୍ପର୍କୀୟ କୋକସରା ପୁଲିସକୁ ଏ ନେଇ ଲିଖିତ ଅଭିଯୋଗ ପରେ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଯୁବକ ରାହୁଲ ଧରୁଆ ଫେରାର ଥିବା ସୂଚନା ମିଳିଛି । ମୃତ ଅଶୋକ ଚଣ୍ଡି ବେହେରା କଲେଜରେ ପିଅନ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଦୁଃଖଦ ମୃତ୍ୟୁକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଦୁର୍ଘଟଣା ଘଟାଇଥିବା ଯୁବକ କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବାର ଲୋକେ ଦାବି କରିଛନ୍ତି।