ତେଲ ଅଭିଭ/ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜା ଯୁଦ୍ଧବିରତି ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପୂର୍ଣ୍ଣ ଶ୍ରେୟ ଦେଇଛନ୍ତି। ସେ ଟ୍ରମ୍ପଙ୍କୁ ହ୍ୱାଇଟ୍ ହାଉସରେ ଇସ୍ରାଏଲର ସବୁଠାରୁ ଭଲ ବନ୍ଧୁ ବୋଲି ବର୍ଣ୍ଣନା କରିଛନ୍ତି। ଇସ୍ରାଏଲୀ ସଂସଦକୁ ସମ୍ବୋଧିତ କରି ନେତାନ୍ୟାହୁ କହିଛନ୍ତି ଯେ, ଡୋନାଲ୍ଡ ଟ୍ରମ୍ପ ହେଉଛନ୍ତି ଇସ୍ରାଏଲର ସବୁଠାରୁ ଭଲ ବନ୍ଧୁ। କୌଣସି ଆମେରିକା ରାଷ୍ଟ୍ରପତି ଇସ୍ରାଏଲ ପାଇଁ ଏତେ କିଛି କରିନାହାନ୍ତି। ସଂସଦରେ ତାଙ୍କ ଭାଷଣରେ ନେତାନ୍ୟାହୁ ଇସ୍ରାଏଲୀ ସୈନିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଦେଶ ହମାସ ଉପରେ ଏକ ଉଲ୍ଲେଖନୀୟ ବିଜୟ ହାସଲ କରିଛି। ଏହା ସହ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇସ୍ରାଏଲର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି ।
ବନ୍ଧକ ଫେରିବା ପାଇଁ ଟ୍ରମ୍ପଙ୍କୁ ଶ୍ରେୟ ଦେଇ ନେତାନ୍ୟାହୁ କହିଛନ୍ତି, ‘ଆପଣ (ଟ୍ରମ୍ପ୍) ଏହି ଶାନ୍ତି ପାଇଁ ପ୍ରତିବଦ୍ଧ, ମୁଁ ଏହି ଶାନ୍ତି ପାଇଁ ପ୍ରତିବଦ୍ଧ, ଏବଂ ଆମେ ଏକାଠି ଶାନ୍ତି ହାସଲ କରିବୁ।’ ନେତାନ୍ୟାହୁ କହିଛନ୍ତି, ‘ଇସ୍ରାଏଲ ଏକ ଉଲ୍ଲେଖନୀୟ ବିଜୟ ହାସଲ କରିଛି। ଇସ୍ରାଏଲ ହମାସ, ହିଜବୁଲ୍ଲା, ସିରିଆ ଏବଂ ଇରାନ ବିରୁଦ୍ଧରେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କିନ୍ତୁ ଏଥିପାଇଁ ଇସ୍ରାଏଲର ଲୋକେ ବହୁତ କିଛି ସହିଛନ୍ତି ।’
ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ଶ୍ରେୟ ପାଇବାକୁ ଯୋଗ୍ୟ ବୋଲି କୁହାଯାଉଛି । ଟ୍ରମ୍ପଙ୍କ କଠୋରତା ଏବଂ ଆଲୋଚନା ଯୋଗୁଁ ଇସ୍ରାଏଲ ଏବଂ ହମାସ ଉଭୟ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଏହା ଦ୍ବାରା ଉଭୟ ଗାଜା ଏବଂ ଇସ୍ରାଏଲରେ ପୁଣି ଥରେ ଖୁସି ଫେରିଛି । ହମାସ ସମସ୍ତ ୨୦ ଜଣ ଜୀବିତ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିଛି ଏବଂ ଇସ୍ରାଏଲ ମଧ୍ୟ ଗାଜା ପଟିରେ ଆକ୍ରମଣ ବନ୍ଦ କରିଛି।
ଗାଜା ଯୁଦ୍ଧ ବନ୍ଦ କରିବାରେ ପ୍ରମୁଖ ଭୂମିକା ନେଇ ଟ୍ରମ୍ପ ଆଜି ଇସ୍ରାଏଲ ସଂସଦକୁ ସମ୍ବୋଧିତ କରିଛନ୍ତି । ସଂସଦ ଭିତରେ, ଅନେକ ସଦସ୍ୟ ଏବଂ ସମର୍ଥକ ଲାଲ ଟୋପି ପିନ୍ଧିଥିଲେ । ଏହା ଉପରେ ‘ଟ୍ରମ୍ପ ଦି ପିସ୍ ପ୍ରେସିଡେଣ୍ଟ’ ଲେଖାଥିଲା । ଏହାର ଅର୍ଥ ‘ଡୋନାଲ୍ଡ ଟ୍ରମ୍ପ୍ ଶାନ୍ତିର ରାଷ୍ଟ୍ରପତି।’ ଏହି ଟୋପିଗୁଡ଼ିକ ଡୋନାଲ୍ଡ ଟ୍ରମ୍ପଙ୍କ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍’ ଲେଖାଥିବା ଟୋପି ସହିତ ସମାନ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ସାଂସଦରେ କହିଛନ୍ତି ଯେ, ‘ଏହା ମଧ୍ୟପ୍ରାଚ୍ୟର ନୂତନ ଐତିହାସିକ ଉତ୍ଥାନ। ଏହା ସହ ଇରାନକୁ ଶାନ୍ତି ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ ।
ଇସ୍ରାଏଲୀ ସଂସଦରେ ଭାଷଣ ଦେବା ସମୟରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ‘ଏହା ଇସ୍ରାଏଲ ଏବଂ ବିଶ୍ୱ ପାଇଁ ଏକ ଅବିଶ୍ୱସନୀୟ ବିଜୟ । ଏହି ସମସ୍ତ ରାଷ୍ଟ୍ର ଶାନ୍ତି ଏକାଠି କାମ କରୁଛନ୍ତି। ଆଗାମୀ ପିଢ଼ି ପାଇଁ, ଏହାକୁ ବିଶେଷ ମୁହୂର୍ତ୍ତ ଭାବରେ ମନେ ରଖାଯିବ । ଅକ୍ଟୋବର ୭ ତାରିଖର ନୃଶଂସତା ମାନବଜାତିକୁ ଦୋହଲାଇ ଦେଇଥିଲା। ଏହି ନୃଶଂସତା ଫଳରେ ଇସ୍ରାଏଲର ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଛି ଏବଂ ଆମେରିକା ସେମାନଙ୍କ ସହିତ ଛିଡ଼ା ହୋଇଛି। ଇସ୍ରାଏଲ ସେନା ଯାହା ଚାହୁଁଥିଲା ତାହା ହାସଲ କରିଛି।’