ଭୁବନେଶ୍ଵର, ୦୪/୦୪ : ଆରମ୍ଭ ହୋଇଛି ନୂତନ ଶିକ୍ଷା ବର୍ଷ। ରାଜ୍ୟବ୍ୟାପୀ ଖଡ଼ି ଛୁଆଁ ସହ ନୂଆ ଶ୍ରେଣୀ ଗୃହରେ ପିଲାଙ୍କ ପାଇଁ ପ୍ରବେଶ ଉତ୍ସବ ପାଳନ ହୋଇଛି। ରାଜଭବନ ସରକାରୀ ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି। କୁନି କୁନି ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଖଡ଼ି ଛୁଆଁଇଛନ୍ତି। ଏହା ସହ ପ୍ରବେଶ ଉତ୍ସବରେ ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ପିଲାମାନେ ଖଡ଼ି ଛୁଇଁ ପାଠପଢା ଆରମ୍ଭ କରିଛନ୍ତି। ଖୁବ୍ ଆଡ଼ମ୍ଵରରେ ପିଲାଙ୍କ ବିଦ୍ୟାଳୟ ପ୍ରବେଶ ଉତ୍ସବ ପାଳନ ହୋଇଛି।

ଚଳିତ ବର୍ଷ ଜନ ସଚେତନତା ବୃଦ୍ଧି ନିମନ୍ତେ ରାଜ୍ୟ ମୁଖ୍ୟାଳୟରୁ ‘ଶିକ୍ଷା ସଚେତନତା ରଥ' ଆରମ୍ଭ କରାଯାଇଛି। ଏହି ସଚେତନତା ରଥ ଜିଲ୍ଲା ଓ ବ୍ଲକ୍‌ରେ ମଧ୍ୟ ବୁଲିବ। କାର୍ଯ୍ୟକ୍ରମର ସଫଳ କାର୍ଯ୍ୟାନ୍ଵୟନ ନିଶ୍ଚିତ କରିବା ପାଇଁ, ଜିଲ୍ଲା ଏବଂ ବ୍ଲକ୍‌ରେ କାର୍ଯ୍ୟକଳାପ ଆୟୋଜନ କରାଯିବ। ଛାତ୍ରଛାତ୍ରୀଙ୍କ ସହଭାଗିତା ଏବଂ ଅଂଶଗ୍ରହଣ ଉପରେ ଧ୍ୟାନ କେନ୍ଦ୍ରିତ କରିବା ନିମନ୍ତେ ବିଦ୍ୟାଳୟଗୁଡ଼ିକରେ ବିଷୟବସ୍ତୁ ସମ୍ବନ୍ଧୀୟ କାର୍ଯ୍ୟକଳାପ କ୍ଷେତ୍ର, ଯଥା- ଗପ ରାଇଜ, ରଙ୍ଗର ଦୁନିଆ ଓ ଖେଳଘରର ସ୍ଥାନ ପାଇବ।

​​​​​​​ଶିଶୁ ବାଟିକାରେ ନାମ ଲେଖାଉଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା 'ଯାଦୁଇ ପିଟାରା' ବା ଯାଦୁ ପେଡ଼ିକୁ ପ୍ରାଧାନ୍ୟ ଦିଆଯାଇଛି। ରାଜ୍ୟରେ ପ୍ରତ୍ୟେକ DIET ଦ୍ବାରା ଯାଦୁ ପେଡ଼ି ସାମଗ୍ରୀ ବିକଶିତ କରାଯାଇଛି। ପେଡ଼ିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପେନସିଲ୍, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍ ଇତ୍ୟାଦି ରହିଛି। ପ୍ରତ୍ୟେକ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପିଲାମାନଙ୍କ ପାଇଁ ଯାଦୁ ପେଡ଼ି ରହିବ। ଏହାକୁ ଉଭୟ ଶିକ୍ଷକ ଓ ଅଭିଭାବକ, ଛାତ୍ରଛାତ୍ରୀ ବ୍ୟବହାର କରିବେ।

​​​​​​​ମୁଖ୍ୟମନ୍ତ୍ରୀ ଖଡ଼ି ଛୁଆଁଇବା କାର୍ଯ୍ୟକ୍ରମ ଲାଇଭ୍