ଭୁବନେଶ୍ୱର,୨୮/୦୫ : ଓଡ଼ିଆ ସିନେମା ନିର୍ମାଣ କ୍ଷେତ୍ରରେ ରମେଶ ବାରିକଙ୍କ ଆଉ ଗୋଟିଏ ଭେଟି । ଆର୍ଆର୍ ଇଭେଣ୍ଟସ୍ ଆଣ୍ଡ୍ ସିନେ ପ୍ରଡକ୍ସନ୍ ଆନୁକୂଲ୍ୟରେ ୨୬ଟି ସଫଳ ଚଳଚ୍ଚିତ୍ର ପ୍ରସ୍ତୁତି ପରେ ଶ୍ରୀ ବାରିକ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଆଧାରିତ ଏକ ଚଳଚ୍ଚିତ୍ର ‘ମଧୁ ବାରିଷ୍ଟର ଓଡ଼ିଆ ଜାତିର କର୍ଣ୍ଣଧାର’ ପ୍ରସ୍ତୁତ କରିବାକୁ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ଓଡ଼ିଶା ପାଇଁ ମଧୁବାବୁଙ୍କ ଅବିସ୍ମରଣୀୟ ଅବଦାନକୁ ଓଡ଼ିଶାର ଜନମାନସ କେବେ ଭୁଲିପାରିବ ନାହିଁ।
ଏହି ଚଳଚ୍ଚିତ୍ରରେ ମଧୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଉତ୍ସର୍ଗ ଅତୁଟ ସ୍ମୃତି ଭାବେ ରହିବ । ବର୍ତ୍ତମାନ ଯେଉଁ ସ୍ଥିତିରେ ଓଡ଼ିଆ ସିନେମା ଗତି କରୁଛି ସେ ମଧ୍ୟରେ ନୂତନ ଧାରାରେ ଚଳଚ୍ଚିତ୍ର ତିଆରି କରିବା ପ୍ରତି ଶ୍ରୀ ବାରିକଙ୍କ ଅଦମ୍ୟ ଉତ୍ସାହ ଓ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ‘ମଧୁ ବାରିଷ୍ଟର’ର କାହାଣୀ ପ୍ରିୟବ୍ରତ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେବେ ମୃତ୍ୟୁଞ୍ଜୟ ସାହୁ । କିନ୍ତୁ ମୁଖ୍ୟ ଚରିତ୍ର ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ପୂର୍ବରୁ ବହିରେ, ନାଟ୍ୟ ମଞ୍ଚରେ ଏବଂ ପରଦାରେ ବିଭିନ୍ନ ଚରିତ୍ରରେ ମଧୁବାବୁଙ୍କୁ ଦେଖିଥିବା ଦର୍ଶକ, ଏଥର ବଡ଼ ପରଦାରେ ତାଙ୍କ ଜୀବନୀକୁ ଦେଖିବାର ସୁଯୋଗ ପାଇବେ । ଯାହା ଏଯାବତ ଓଡ଼ିଆ ସିନେ ଇତିହାସରେ ଘଟିନାହିଁ ।