ଭୁବନେଶ୍ୱର,୧୯/୧୨: ଆଜିଠୁ କଳ୍ପନାସ୍ଥିତ ନୂଆ ଜୁଡିସିଆଲ୍‌ କମ୍ପେ୍ଲକ୍ସ କାର୍ଯ୍ୟକ୍ଷମ ହେବ । ଗତ ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନୂଆ ବିଲ୍ଡିଂର ଉଦ୍‌ଘାଟନ କରିଥିଲେ । କିନ୍ତୁ ପୁରୁଣା ଅଦାଲତରୁ ନୂଆ ବିଲ୍ଡିଂକୁ ସମସ୍ତ ରେକର୍ଡପତ୍ର ସ୍ଥାନାନ୍ତର ହୋଇନଥିବାରୁ କୋର୍ଟଟି କାର୍ଯ୍ୟକ୍ଷମ ହୋଇପାରିନଥିଲା ।

 ଭୁବନେଶ୍ୱର ଓକିଲ ସଂଘ ସମ୍ପାଦକ ଦୀପକ ଦାଶ  କହିଛନ୍ତି, ସମ୍ପୂର୍ଣ୍ଣ ଏସିଚାଳିତ ଜୁଡିସିଆଲ୍‌ କମ୍ପେ୍ଲକ୍ସରେ ମୋଟ ୫୨ଟି ଅଦାଲତ ରହିଛି। କିନ୍ତୁ ବର୍ତ୍ତମାନ ୩୫ଟି ଅଦାଲତରେ ବିଚାର ପ୍ରକ୍ରିୟା ଆରମ୍ଭ ହେବ । ଗୁରୁବାରଠୁ ଏସବୁ ଅଦାଲତର ସମସ୍ତ କାର୍ଯ୍ୟ ନୂଆ ବିଲ୍ଡିଂରେ ଚାଲିବ । ବିଚାରପତି, ଆଇନଜୀବୀ, ମହକିଲମାନେ ଉପସ୍ଥିତ ରହିବେ । ଆଗକୁ ଅନ୍ୟ ଅଦାଲତଗୁଡିକ ମଧ୍ୟ ନୂଆ କମ୍ପେ୍ଲକ୍ସରେ କାର୍ଯ୍ୟକ୍ଷମ କରିବାକୁ ବ୍ୟବସ୍ଥା  କରାଯାଉଛି । ଅଦାଲତକୁ ଆସୁଥିବା ସମସ୍ତ ବ୍ୟକ୍ତି ଅଦାଲତ ପରିସରକୁ ପରିଷ୍କାର ରଖିବାକୁ ଶ୍ରୀ ଦାଶ ଅନୁରୋଧ କରିଛନ୍ତି । ଅଦାଲତରେ ଗାଡି ପାର୍କିଂ ଏକ ପ୍ରମୁଖ ସମସ୍ୟା । ନୂଆ କମ୍ପେ୍ଲକ୍ସରେ କେବଳ ବିଚାରପତି ଓ  ଅନ୍ୟ କର୍ମଚାରୀଙ୍କ ଗାଡି ପାର୍କିଂ ହୋଇପାରିବ । ଏହା ନିକଟରେ ଏକ ଦୁଇ ମହଲା ବିଶିଷ୍ଟ ପାର୍କିଂ ସ୍ଥଳ ନିର୍ମାଣ ସରିଛି । ଆସନ୍ତା ସପ୍ତାହେ ଭିତରେ ପାର୍କିଂକୁ କାର୍ଯ୍ୟକ୍ଷମ କରାଯିବ । ସମସ୍ତ ଆଇନଜୀବୀ ଓ ଅନ୍ୟ କର୍ମଚାରୀ ସେଠାରେ  କାର, ବାଇକ୍‌ ରଖିପାରିବେ ବୋଲି ସେ କହିଛନ୍ତି ।