ମହାଆଡମ୍ବରରେ ଆୟୋଜନ ହେଲା ଇଣ୍ଡିଆନ ରୋଡସ୍‌ କଂଗ୍ରେସ । କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ଅତିଥି କରି ଆଣିଲେ । ସାରା ଦେଶର ଯନ୍ତ୍ରୀଙ୍କୁ ଟାଣିଲେ । ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ରକୁ ଟଙ୍କା ମାଗିଲେ । ଗଡ଼କରୀ ଭରସା ଦେଲେ ଟଙ୍କାର ଅଭାବ ରହିବନି, ଯୋଜନା କରି ଚାଲ । ଏପଟେ ସରକାର ଯୋଜନାର ଲମ୍ବା ନକ୍ସା ଟାଣିଲେ । ଦିନକୁ ହେବ ୨୦୬ କିଲୋମିଟର ରାସ୍ତା । ଏଭଳି ଅବିଶ୍ୱସନୀୟ ଲକ୍ଷ୍ୟକୁ ସତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ୫ ବର୍ଷରେ ହେବ ୭୫ହଜାର କିମିର ଚକାଚକ୍‌ ରାସ୍ତା । ମାଲକାନଗରି ମୋଟୁରୁ ମୟୂରଭଞ୍ଜ ତିରିଂକୁ, ଓଡ଼ିଶା ଛାତି ଉପର ଦେଇଯିବ ମେରୁଦଣ୍ଡ ଏକ୍ସପ୍ରେସ୍‌ । ପ୍ରକୃତି କୋଳରେ ଥିବା କୋରାପୁଟକୁ ଛୁଟିବ ହାଇସ୍ପିଡ୍‌ ଏକ୍ସପ୍ରେସ୍‌ ୱେ । ଉପକୂଳ ଅଞ୍ଚଳର ଲାଇଫ୍‌ ଲାଇନ୍‌ ପାଲଟିବ କୋଷ୍ଟାଲ ହାଇୱେ । ଆଗେଇବ କ୍ୟାପିଟାଲ ରିଜିଅନ ରିଙ୍ଗରୋଡ୍‌ । ରାଜ୍ୟର ସବୁ ପ୍ରମୁଖ ଅଞ୍ଚଳକୁ ଚଉଡ଼ା ରାସ୍ତା । ବଦଳିଯିବ ରାଜ୍ୟ ପରିବହନ ଚେହେରା । ନୂଆ ଟେକ୍ନୋଲୋଜିରେ ଟନେଲ୍‌, ହାଇଲେଭଲ୍‌ ବ୍ରିଜ୍‌ ଓ ଫ୍ଲାଏଓଭର । ଆଉ ଦିନ କେଇଟାରେ ଏମ୍ସ ପ୍ଲସ୍‌ ଭାବେ ଠିଆ ହେବ କଟକ ବଡ଼ ମେଡିକାଲ । ନୂଆ ଲୋକସେବା ଭବନର ନକ୍ସା, ପ୍ରଶାସନିକ ନାଭିକେନ୍ଦ୍ରର ଚେହେରା ବଦଳାଇବ । ରାଜ୍ୟରେ ଗଡ଼ିବ ଭିଷ୍ଟାଡୋମ୍‌ । ନୂଆ ଓଡ଼ିଶାର ଭିତ୍ତିଭୂମି ନୂଆ ଉଚ୍ଚତାରେ ପହଞ୍ଚିବ । ଶିଖର ଛୁଇଁବ ।
ପ୍ରସ୍ତୁତି: ସ୍ମୃତିରଞ୍ଜନ ବିଶ୍ୱାଳ, ଅଳଙ୍କରଣ: ସୁଭେନ୍ଦୁ ମୋହନ ଦାସ

ଭିତ୍ତିଭୂମି ହେଉଛି ଅର୍ଥନୈତିକ ଅଭିବୃଦ୍ଧିର ମୂଳଦୁଆ। ଯୋଗାଯୋଗ ବଢ଼ିଲେ ବ୍ୟବସାୟ ବଢ଼ିବ, ପର୍ଯ୍ୟଟନ କ୍ଷେତ୍ର ପାଇଁ ବାଟ ଫିଟିବ। ଏହି ଲକ୍ଷ୍ୟରେ ସରକାର ରାଜ୍ୟର ଭିତ୍ତିଭୂମି ନିର୍ମାଣକୁ ଫୋକସ୍‌ କରୁଛନ୍ତି । ସବୁ ଅଞ୍ଚଳକୁ ରାସ୍ତା ଯୋଡ଼ିବା, ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିବାକୁ ହାଇସ୍ପିଡ୍‌ କରିଡ଼ର ଓ ଏକ୍ସପ୍ରେସ୍‌ୱେ ନିର୍ମାଣ ଯୋଜନା ହେଉଛି । ବିଶ୍ୱସ୍ତରୀୟ ରାଜପଥ, ଆଇକନିକ୍‌ କୋଠା ନିର୍ମାଣର ନକ୍ସା ହୋଇଛି । ଭିଡ଼ କାଟିବାକୁ ଏକାଧିକ ବାଇପାସ୍‌ ତିଆରି ଯୋଜନା ହୋଇଛି । ପୁରୁଣା ରାସ୍ତା ପ୍ରକଳ୍ପ, ଟନେଲ୍‌ ଓ ହାଇଲେଭଲ୍‌ ସେତୁ, ନୂଆ ଫ୍ଲାଇଓଭର, ଓଭରବ୍ରିଜ୍‌, ସବୁ ମେଡିକାଲ କଲେଜ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ପାଇଁ ନିର୍ମାଣ କାମ ଜୋରସୋରରେ ଚାଲିଛି । ନୂଆ ପ୍ରକଳ୍ପ ସହ ପୁରୁଣା ପ୍ରକଳ୍ପ କାମକୁ ତ୍ୱରିତ୍‌ କରି ଶୀଘ୍ର ସାରିବାକୁ ସରକାର ଜୋର୍‌ ଦେଉଛନ୍ତି । ପୁଣି ପୁରୀରେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ତିଆରି କରିବା ଭଳି ବଡ଼ ଲକ୍ଷ୍ୟ ନେଇ ନୂଆ ସରକାର ଆଗକୁ ବଢୁଛନ୍ତି । ଭୁବନେଶ୍ୱର ବିମାନବନ୍ଦରକୁ ଆହୁରି ସଂପ୍ରସାରିତ କରି ନୂଆ ଟର୍ମିନାଲ-୩ ତିଆରି ଯୋଜନା ହୋଇଛି । ଏଠାରେ ବିମାନବନ୍ଦର ଭଳି ସେବା ମିଳିବ । ପୁଣି ପ୍ରଥମଥର ପାଇଁ ରାଜ୍ୟରେ ବିଳାସମୟ ଟ୍ରେନ୍‌ ଭିଷ୍ଟାଡୋମ୍‌ ଚଲାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯୋଜନା ହୋଇଛି ।  କଟକ ବଡ଼ ମେଡିକାଲ (ଏସ୍‌ସିବି)କୁ ଏମ୍ସ ପ୍ଲସ୍‌ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଏହାକୁ ୫ହଜାର ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ । ଏଥିରେ ପ୍ରାୟ ୨୬୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି । ୧୫୦୦ କୋଟି ଟଙ୍କା ଖର୍ଚ୍ଚରେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ନବକଳେବର ହେବ । ବୁର୍ଲାର ବୀର ସୁରେନ୍ଦ୍ର ସାଏ(ଭିମସାର୍‌) ମେଡିକାଲ କଲେଜ ଓ ହସ୍ପିଟାଲର ପୁନର୍ବିକାଶ ପାଇଁ ୧୬୧୦ କୋଟି ଖର୍ଚ୍ଚ ହେବ । ବ୍ରହ୍ମପୁରରୁ ଜୟପୁରକୁ ନୂଆ ଏକ୍ସପ୍ରେସୱେ କରିଡର ତିଆରି ହେବ । ୨୮୭ କିମିର ପ୍ରସ୍ତାବିତ ଏହି କରିଡର ଦକ୍ଷିଣ ଓଡ଼ିଶାର କେନ୍ଦ୍ରସ୍ଥଳରୁ ଆଦିବାସୀ ଅଞ୍ଚଳ କୋରାପୁଟକୁ ଯୋଡ଼ିବ । ଆସନ୍ତା ୫ ବର୍ଷରେ ୭୫ହଜାର କିମି ରାସ୍ତା ତିଆରି ଲକ୍ଷ୍ୟ ଅଛି । ୨୦୨୫- ୨୬ ଆର୍ଥିକ ବର୍ଷରେ ୬୫୦୦ କିମି ନୂଆ ରାଜପଥ ଓ ରାସ୍ତା ତିଆରି ଯୋଜନା ଅଛି । ରାଜପଥ ଓ ଏକ୍ସପ୍ରେସ୍‌ୱେ ନିର୍ମାଣକୁ ଗତି ଦେବାକୁ ସରକାର ବିଧାନସଭାରେ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍‌ ପାରିତ କରିଛନ୍ତି । ଏହି ପ୍ରାଧିକରଣ ଜମି ଅଧିଗ୍ରହଣଠାରୁ ନେଇ ଏହାର ନିର୍ମାଣ ଓ ତଦାରଖ, ସବୁର ଦାୟିତ୍ୱ ନେବ ।

ନୂଆ ଏସ୍‌ସିବି କୋଠା, ବିଧାୟକଙ୍କ ବଙ୍ଗଳା
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସ୍‌ସିବି) ନୂଆ କୋଠା ତିଆରି କାମ ଜୋର୍‌ସୋରରେ ଆଗଉଛି । ଏସ୍‌ସିବିକୁ ୫ହଜାର ଶଯ୍ୟା ବିଶିଷ୍ଟ ବିଶ୍ୱସ୍ତରୀୟ ହସ୍ପିଟାଲ କରିବାକୁ ବିରାଟ ଭିତ୍ତିଭୂମି ନିର୍ମାଣ ଚାଲିଛି । ନୂଆ ସରକାର ଘନ ଘନ ସମୀକ୍ଷା କରି ନିର୍ମାଣ କାମକୁ ତ୍ୱରିତ୍‌ କରୁଛନ୍ତି । ପ୍ରଥମ ଦଫାରେ ଜେନେରାଲ ମେଡିସିନ୍‌, ସ୍ପେଶାଲାଇଜଡ୍‌ ମେଡିସିନ୍‌, ସର୍ଜରୀ ଓ ଟ୍ରମା କେୟାର ପାଇଁ ନୂଆ କ୍ଲିନିକାଲ ବ୍ଲକ୍‌ ସମ୍ପୂର୍ଣ୍ଣ ହେବ । ପୂରା ପ୍ରକଳ୍ପରେ ୪ଟି ବିରାଟ ଟାୱାର ହେଉଛି । ୨୦୨୬ ମାର୍ଚ୍ଚ ମାସରେ ୨ଟି ଟାୱାର ଓ ଜୁନ୍‌ ମାସରେ ଆଉ ୨ଟି ଟାୱାର କାମ ସାରିବାକୁ ଲକ୍ଷ୍ୟ ଅଛି । ହସ୍ପିଟାଲ ପରିସରକୁ ଟାଉନ୍‌ ସେଣ୍ଟର କରିବାକୁ ଯୋଜନା ଅଛି । ୟୁନିଟ୍‌-୪ରେ ନିର୍ମାଣଧୀନ ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ କାମ ଚଳିତ ବର୍ଷ ଆହୁରି ତ୍ୱରିତ୍‌ ହୋଇଛି । ଆସନ୍ତା ଜୁନ୍‌ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଡେଡଲାଇନ୍‌ ଧାର୍ଯ୍ୟ ହୋଇଛି । ସେ ସବୁ ସ୍ଥାନକୁ ଅନ୍ୟ ସରକାରୀ କାମରେ ବ୍ୟବହାର କରାଯିବ । ଏହି ବର୍ଷ ବୌଦ୍ଧ, ଦେବଗଡ଼ରେ ନୂଆ ଜିଲ୍ଲା ହସ୍ପିଟାଲ ଓ କୋରାପୁଟ, ଫୁଲବାଣୀରେ ମେଡିକାଲ କଲେଜ ଓ ହସ୍ପିଟାଲ କୋଠା ଉଦ୍‌ଘାଟନ ହୋଇଛି । ଯାଜପୁର ମାତୃ ଓ ଶିଶୁ ଯତ୍ନ କୋଠା ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପିଜିଆଇ କୋଠା କାମ ସରିଛି ।

କେନ୍ଦ୍ର ଦେଲା ୪୫ ହଜାର କୋଟି
ରାଜ୍ୟର ରାସ୍ତା ନେଟୱର୍କକୁ ସୁଦୃଢ଼ କରିବଚୁ କେନ୍ଦ୍ର ସରକାର ଓଡ଼ିଶାକୁ ୪୫ହଜାର କୋଟିର ସ୍ୱତନ୍ତ୍ର ପାଣ୍ଠି ଦେଇଛନ୍ତି । ଏଥିରେ ଦୁଇଟି ଏକ୍ସପ୍ରେସ୍‌ୱେ କରିବାକୁ ଯୋଜନା ଅଛି । ଭୁବନେଶ୍ୱରରୁ ପାରାଦୀପକୁ ସମ୍ପୂର୍ଣ୍ଣ ନୂଆ ରାସ୍ତା(ଗ୍ରୀନ୍‌ଫିଲ୍ଡ) ରାସ୍ତା ହେବ । ଏହାକୁ ଏକ୍ସପ୍ରେସ୍‌ୱେ ରୂପ ଦିଆଯିବ । ସେହିଭଳି ପୁରୀରୁ ଭୁବନେଶ୍ୱର ରାସ୍ତାକୁ ୯ ଲେନ୍‌ ବିଶିଷ୍ଟ କରାଯିବ । ଏହାକୁ ଏକ୍ସପ୍ରେସ୍‌ୱେ ରୂପ ଦେବାକୁ ପ୍ରସ୍ତାବ ଅଛି । ୫ଟି ଜାତୀୟ ରାଜପଥ ଓ ୫ଟି ରାଜ୍ୟ ରାଜପଥର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସହ ଆଲୋଚନା ପରେ ରାଜ୍ୟ ପାଇଁ ଏହି ପ୍ରକଳ୍ପକୁ ମଞ୍ଜୁର ହୋଇଛି ।

ଗଢ଼ା ହେଲା ରାଜ୍ୟ ରାଜପଥ ପ୍ରାଧିକରଣ
ରାସ୍ତା ନିର୍ମାଣକୁ ଗତି ଦେବାକୁ ରାଜ୍ୟ ରାଜପଥ ପ୍ରାଧିକରଣ(ଓଏସ୍‌ଏଚଏ) ଗଢ଼ିଛନ୍ତି ସରକାର । ବିଧାନସଭାରେ ବିଲ୍‌ ପାରିତ ହୋଇଛି । ରାଜ୍ୟ ରାଜପଥକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ଏନଏଚ୍‌ଏଆଇ ଢାଞ୍ଚାରେ ଏହାକୁ ଗଢ଼ାଯାଇଛି । ଆଗାମୀ ୫ ବର୍ଷରେ ୭୫ ହଜାର କିମି ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରହିଛି । ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ, ପରିବେଶ ମଞ୍ଜୁରି, ଜଙ୍ଗଲ ଅନୁମତି ଭଳି ସବୁ କାମ ଓଏସ୍‌ଏଚ୍‌ଏ ମାର୍ଫତ୍‌ରେ ହେବ ।

୭୫ ହଜାର କିମି ରାସ୍ତା
ରାଜ୍ୟରେ ଆସନ୍ତା ୫ ବର୍ଷରେ ୭୫ ହଜାର କିମି ରାସ୍ତା ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ସବୁ ଅଞ୍ଚଳକୁ ଯୋଡ଼ିବ ଚକାଚକ୍‌ ରାସ୍ତା । ପୂର୍ତ୍ତ ବିଭାଗ ମୋଟ ୧୫ ହଜାର କିମି ରାସ୍ତା ତିଆରି କରିବ । ଗ୍ରାମ୍ୟ ଉନ୍ନୟନ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଓ ଅନ୍ୟ ବିଭାଗ ମିଶି ବାକି ୬୦ ହଜାର କିମି ରାସ୍ତା କରିବେ । ପୁଣି ୭ହଜାର କୋଟି ଖର୍ଚ୍ଚରେ ବ୍ରହ୍ମପୁରରୁ ସମ୍ବଲପୁର ଯାଏ ହେବ ନମୋ ଏକ୍ସପ୍ରେସ୍‌ ୱେ । ରାଜ୍ୟରେ ନିର୍ମାଣ ହେବାକୁ ଥିବା ସବୁ ରାସ୍ତାକୁ ୧୦୦% ବିପର୍ଯ୍ୟୟ ପ୍ରତିରୋଧୀ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ପୁଣି ବ୍ରହ୍ମପୁରରୁ ଜୟପୁରକୁ ନୂଆ ଏକ୍ସପ୍ରେସୱେ କରିଡର ତିଆରି ପାଇଁ ଯୋଜନା ଅଛି । ରାଉରକେଲା-ଜଳେଶ୍ୱର, ଝାରସୁଗୁଡ଼ାବାଲେଶ୍ୱର, ଜୟପୁର-ରାଉରକେଲା, ବୃନ୍ଦାବହାଲ-ଗୋପାଳପୁର ଓ ନୂଆପଡ଼ା- ଅସ୍ତରଙ୍ଗ କରିଡରକୁ ୬ଲେନ୍‌ କରିବାକୁ ସରକାର ବଡ଼ ଯୋଜନା ରଖିଛନ୍ତି । ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୬୫୦୦ କିମି ନୂଆ ରାଜପଥ ଓ ରାସ୍ତା ତିଆରି ସାରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟରେ ଆସନ୍ତା ୨୦୨୬ ମାର୍ଚ୍ଚ ସୁଦ୍ଧା ସବୁ ସହରାଞ୍ଚଳ ରାସ୍ତାକୁ ଖାଲମୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଆଗେଇବ ଉପକୂଳ ରାଜପଥ, କ୍ୟାପିଟାଲ ରିଜିଅନ ରିଙ୍ଗରୋଡ୍‌
ବହୁ ପ୍ରତୀକ୍ଷିତ ଉପକୂଳ ରାଜପଥ(କୋଷ୍ଟାଲ ହାଇୱେ) ପ୍ରକଳ୍ପ ଆଗେଇବ । ଏହାକୁ ଅର୍ଥ ମନ୍ତ୍ରାଳୟ ଅନୁମୋଦନ ମିଳିବା ପରେ ଖୁବ୍‌ଶୀଘ୍ର କ୍ୟାବିନେଟ୍‌ ଅନୁମୋଦନ ମିଳିଯିବ ବୋଲି ଆଶା କରାଯାଉଛି । ପ୍ରକଳ୍ପ ପାଇଁ ଟେଣ୍ଡର ଡକା ହୋଇଛି । ଏହା ଉପକୂଳ ଓଡ଼ିଶାର ଲାଇଫ୍‌ ଲାଇନ୍‌ ପାଲଟିବ । ଯୋଗାଯୋଗ, ପର୍ଯ୍ୟଟନ ଆଗେଇବ ଉପକୂଳ ରାଜପଥ, କ୍ୟାପିଟାଲ ରିଜିଅନ ରିଙ୍ଗରୋଡ୍‌ ଓ ଅର୍ଥନୈତିକ କାରବାରକୁ ବଳ ଦେବ । କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟି କ୍ୟାପିଟାଲ ରିଜିଅନ ରିଙ୍ଗରୋଡ୍‌କୁ ମଧ୍ୟ ମଞ୍ଜୁରି ଦେଇଛି । ଭୁବନେଶ୍ୱର ବାଇପାସ୍‌ ରାମେଶ୍ୱରରୁ ଟାଙ୍ଗି ଯାଏ ଲମ୍ବିବ । ପ୍ରସ୍ତାବିତ ୬ ଲେନ୍‌ ବିଶିଷ୍ଟ ବାଇପାସ୍‌ ପାଇଁ ୮୩୦୭ କୋଟି ଟଙ୍କା ଖର୍ଚ୍ଚ ହେବ । ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଦେଇ ଯାଉଥିବା ଏହି ରାସ୍ତା ଯୋଗୁ ଭିଡ଼ କମିବା ସହ ଗମନାଗମନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ଯୋଡ଼ିବ ।

ସତ ହେବ ପୁରୀ ବିମାନବନ୍ଦର ସ୍ୱପ୍ନ 
ସତ ହେବ ପୁରୀ ବିମାନବନ୍ଦର ସ୍ୱପ୍ନ । ଜଗନ୍ନାଥ ଧାମରେ ଭୁବନେଶ୍ୱର ପରେ ରାଜ୍ୟର ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ହେବ । ପୂର୍ବ ସରକାର ପରେ ଏବେକାର ବିଜେପି ସରକାର ଏଥିପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି । ୫୬୩୧ କୋଟି ଟଙ୍କା ଖର୍ଚ୍ଚରେ ସିପସରୁବାଲି ମୌଜାରେ ଥିବା ୧୧୬୪ ଏକର ଜମି ଉପରେ ଗ୍ରୀନଫିଲ୍ଡ ବିମାନବନ୍ଦର ଛିଡ଼ା ହେବ । ଗତ ମେ ମାସରେ କେନ୍ଦ୍ର ସରକାର ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ । ଏହାପରେ ପରିବେଶ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜଲ୍‌ କମିଟି(ଇଏସି) ସର୍ତ୍ତମୂଳକ ଅନୁମତି ଦେଇଥିଲା । ପ୍ରକଳ୍ପକୁ ବିରୋଧ କରି ଏନ୍‌ଜିଟିରେ ମାମଲା ମଧ୍ୟ ଚାଲିଛି । ଏନଜିଟି ଏହି ମାମଲାରେ ଜବାବ ଦାଖଲ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ଜବାବ ରଖିବାକୁ ସମୟସୀମା ଦିଆଯାଇଛି । ପ୍ରସ୍ତାବିତ ବିମାନବନ୍ଦର ଜାଗା ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଆସୁଛି । ଏହା ଏକ ବାତ୍ୟାପ୍ରବଣ ଅଞ୍ଚଳ ଓ ପାଖରେ ବାଲୁଖଣ୍ଡ ଅଭୟାରଣ ଓ ଚିଲିକା ହ୍ରଦ ରହିଛି ବୋଲି ଅଭିଯୋଗକାରୀ ଦର୍ଶାଇଛନ୍ତି ।

ଭୁବନେଶ୍ୱର ବିମାନବନ୍ଦରରେ ଟର୍ମିନାଲ-୩
ଭୁବନେଶ୍ୱର ବିମାନବନ୍ଦରରେ ଦୁଇଟି ଟର୍ମିନାଲ ଥିବାବେଳେ ଆଗକୁ ତୃତୀୟ ଟର୍ମିନାଲ ହେବାକୁ ଯାଉଛି । ଏଥିପାଇଁ ୧୦୦୦ କୋଟି ଖର୍ଚ୍ଚ ହେବ । ପ୍ରାୟ ୬୫ ହଜାର ବର୍ଗମିଟର ଅଞ୍ଚଳକୁ ନେଇ ହେବାକୁ ଥିବା ଟର୍ମିନାଲର ବାର୍ଷିକ ୮୬ଲକ୍ଷ ଯାତ୍ରୀ ପରିଚାଳନା କ୍ଷମତା ରହିବ । ଏଥିରେ ୬ଟି ଏରୋବ୍ରିଜ୍‌ ରଖିବାକୁ ମଧ୍ୟ ଯୋଜନା ହୋଇଛି । ପୁଣି ଏ ବର୍ଷ ଭୁବନେଶ୍ୱରରୁ ଦୁବାଇ ଓ ଆବୁଧାବିକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି । ନୂଆ ସରକାରଙ୍କ ପ୍ରଚେଷ୍ଟାରେ ବିମାନ ଯାତ୍ରୀଙ୍କ ଏହି ଆବଶ୍ୟକତା ପୂରା ହୋଇଛି । ମନ୍ଦିର ମାଳିନୀ ସହରରୁ ଜୟପୁର, କୋଚି, ଲକ୍ଷ୍ନୌ ଓ ପାଟଣାକୁ ସିଧାସଳଖ ବିମାନସେବା ଆରମ୍ଭ ହୋଇଛି ।

ଗଡ଼ିବ ଭିଷ୍ଟାଡୋମ୍‌, ଚମକିବ ୫୯ ଷ୍ଟେସନ
ପ୍ରଥମଥର ପାଇଁ ରାଜ୍ୟରେ ଗଡ଼ିବ ଭିଷ୍ଟାଡୋମ୍‌ । ଖୋର୍ଦ୍ଧା-ବଲାଙ୍ଗୀର ରୁଟ୍‌ରେ ଏହି ବିଳାସପୂର୍ଣ୍ଣ ଟ୍ରେନ୍‌ ଚଲାଇବାକୁ ପରିକଳ୍ପନା ହୋଇଛି । ନଭେମ୍ବର ସୁଦ୍ଧା ଖୋର୍ଦ୍ଧା ବଲାଙ୍ଗୀର ରେଳ ରୁଟ୍‌ରେ ୩୦୩ କିମିରୁ ୨୨୬ କିମି ରେଳଲାଇନ୍‌ରେ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି । ଓଡ଼ିଶାର ୫୯ ପ୍ରମୁଖ ଷ୍ଟେସନର ନବକଳେବର ଚାଲିଛି । ଅମୃତ ଭାରତ ଷ୍ଟେସନ ଯୋଜନାରେ ଏସବୁକୁ ଚମକାଇବାକୁ କାମ ଚାଲିଛି ।

ନୂଆ ସଚିବାଳୟ ନକ୍ସା
ସରକାର ନୂଆ ସଚିବାଳୟ ପାଇଁ ନକ୍ସା ଆଙ୍କିଛନ୍ତି । ପୁରୁଣା ସଚିବାଳୟ କୋଠା ଭାଙ୍ଗି ତା ସ୍ଥାନରେ ନୂଆ ସଚିବାଳୟ ଠିଆ କରିବେ । ଏଥିପାଇଁ ଡିଜାଇନ୍‌ ପ୍ରସ୍ତୁତି ଚାଲିଛି । ପ୍ରଥମେ ପୁରୁଣା ସଚିବାଳୟ ଆଗରେ ଏକ ବିରାଟ ଭୂତଳ ବେସ୍‌ମେଣ୍ଟ ପାର୍କିଂ ତିଆରି ହେବ । ତଳକୁ ତଳ ୩ ମହଲାର ଭୂତଳ ପାର୍କିଂ ରହିବ । ଏଥିରେ ୨୧୯ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ଖୁବଶୀଘ୍ର ଟେଣ୍ଡର ଡକାଯିବ । ଏହା ତିଆରି ସରିଲା ପରେ ନୂଆ ସଚିବାଳୟ କୋଠା ତିଆରି ଆରମ୍ଭ କରିବାକୁ ଯୋଜନା ହୋଇଛି ।

ସଡ଼କ ମହାକୁମ୍ଭ 
ରାଜ୍ୟର ରାଜଧାନୀରେ ଆୟୋଜିତ ହୋଇଥିଲା ଭାରତୀୟ ସଡ଼କ ମହାକୁମ୍ଭ । ନଭେମ୍ବର ୬ରୁ ଇଣ୍ଡିଆନ୍‌ ରୋଡସ୍‌ କଂଗ୍ରେସ(ଆଇଆର୍‌ସି) ର ୮୪ତମ ବାର୍ଷିକ ଅଧିବେଶନ ହୋଇଥିଲା । ଦେଶର ସବୁ ଯନ୍ତ୍ରୀ ଓ ବିଶେଷଜ୍ଞ ଏକାଠି ହୋଇ ସଡ଼କ ଭିତ୍ତିଭୂମି ଓ ନୂଆ ଟେକ୍ନୋଲୋଜି ଉପରେ ଚର୍ଚ୍ଚା କରିଥିଲେ । ନୂଆ ଓଡ଼ିଶାର ଭିତ୍ତିଭୂମି ପାଇଁ ଆଲୋଚନା ହେଲା । ମେକାନାଇଜଡ୍‌ ମାଷ୍ଟିକ୍‌ ଆସ୍ଫାଲଟ୍‌, ହ୍ୱାଇଟ୍‌ ଟପିଂ ଟେକ୍ନୋଲୋଜି, ଫ୍ଲାଏ ଆସ୍‌ରୁ ବାଲି, ପାରସ୍‌ କଂକ୍ରିଟ, ଏନ୍‌ଏସ୍‌ବି ଓ ରାସ୍ତା ନିର୍ମାଣରେ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗକୁ ନେଇ ମଡେଲ ପ୍ରଦର୍ଶିତ ହୋଇଥିଲା । ଆଗକୁ ଓଡ଼ିଶାରେ ଏ ସବୁର ପ୍ରୟୋଗ ହେବ ।