ଭୁବନେଶ୍ୱର, ୨୬/୦୪ : ରାଜ୍ୟ ସରକାରୀ ଉଦ୍ୟୋଗ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଲାଗୁ ହୋଇଛି। ଏଣିକି କୌଣସି କର୍ମଚାରୀଙ୍କୁ ମନଇଚ୍ଛା ବୋନସ ବା ପ୍ରୋତ୍ସାହନ ରାଶି ମିଳିପାରିବ ନାହିଁ। ଏହା ଉପରେ କଡ଼ା ଅଙ୍କୁଶ ଲାଗିଛି । ସାଧାରଣ ଉଦ୍ୟୋଗ ବିଭାଗ ପକ୍ଷରୁ ଜାରି ଚିଠି ଅନୁଯାୟୀ କର୍ମଚାରୀଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶି ଏବେ ସେମାନଙ୍କ ବ୍ୟକ୍ତିଗତ କାର୍ଯ୍ୟଦକ୍ଷତା ଏବଂ ସଂସ୍ଥା ଲାଭ ଉପରେ ନିର୍ଭର କରିବ । ଏ ନେଇ ମୂଲ୍ୟାଙ୍କନ ଆଧାରରେ ହିଁ ପ୍ରୋତ୍ସାହନ ରାଶି ଦିଆଯିବ ।
କୌଣସି ପରିସ୍ଥିତିରେ ଜଣେ କର୍ମଚାରୀ ନିଜ ବାର୍ଷିକ ମୂଳ ଦରମାର ୧୦୦%ରୁ ଅଧିକ ବୋନସ ପାଇପାରିବେ ନାହିଁ । ତେବେ ଲାଭ କରୁଥିବା ସରକାରୀ ନିଗମ ଓ ଉଦ୍ୟୋଗର କର୍ମଚାରୀମାନେ କେବଳ ଏହି ବୋନସ ବା ଆର୍ଥିକ ପ୍ରୋତ୍ସାହନ ରାଶି ପାଇବାକୁ ଯୋଗ୍ୟ ବିବେଚିତ ହେବେ । ସଂସ୍ଥାରେ କ୍ଷତିରେ ଚାଲୁଥିଲେ କିଛି ମିଳିବ ନାହିଁ । ପୂର୍ବରୁ ଅନେକ ସଂସ୍ଥା ଏହି ନିୟମକୁ ଠିକ୍ ଭାବେ ପାଳନ କରୁନଥିଲେ । ତେଣୁ କର୍ପୋରେଟ ଗଭର୍ଣ୍ଣାନ୍ସ ମାନୁଆଲ ଅନୁସାରେ ନୂଆ ନିୟମକୁ ଲାଗୁ କରିବା ପାଇଁ ସମସ୍ତ ସରକାରୀ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକଙ୍କୁ କୁହାଯାଇଛି । ଏହି ନିଷ୍ପତ୍ତି ଫଳରେ ପିଏସୟୁଗୁଡ଼ିକରେ ସ୍ୱଚ୍ଛତା ଆସିବା ସହ କର୍ମଚାରୀଙ୍କ ଦକ୍ଷତା ବଢ଼ିବ । ଗୋଟିଏ ପଟେ ସରକାର ଏହି ନିୟମକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଅନ୍ୟପଟେ ଏହାକୁ ନେଇ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି।
ଏହି ଖବରଟିକୁ ପଢନ୍ତୁ- ଆପକୁ ଦେଖି ଛାନିଆ ବିଜେଡି : ରାଜ୍ୟସଭାରେ ଅଛନ୍ତି ୬, ପୂର୍ବରୁ ୨ ମାରିଥିଲେ ଡିଆଁ