ନୂଆଦିଲ୍ଲୀ, ୩୧/୦୫ : ସରିଲା ମେ... ଜୁନ୍ ପହିଲାରୁ ବଦଳିବ ୧୦ ବଡ଼ ନିୟମ। ଆପଣଙ୍କ ପକେଟ୍ ଉପରେ ସିଧା ସଳଖ ପଡ଼ିବ ପ୍ରଭାବ। ବ୍ୟାଙ୍କ ଏଫଡି, କ୍ରେଡିଟ୍ କାର୍ଡ, ଏଲପିଜି ଗ୍ୟାସ୍, ପିଏଫ୍ ଉଠାଣ, ଆଧାର ଅପଡେଟ୍ ଠାରୁ ନେଇ ଏଟିଏମ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ୍ ଯାଏଁ ହେବ ପ୍ରଭାବିତ। ଏହା ସହ କିଛି ସୁବିଧା ବି ମିଳିବ। ତେବେ ଜାଣନ୍ତୁ ଏହି ସବୁ ନିୟମ ବିଷୟରେ-

୧. ଲଞ୍ଚ୍ ହେବ EPFO 3.0

ଜୁନ ୧ରୁ ଇପିଏଫଓର ନୂଆ ଭର୍ସନ EPFO 3.0 ଲଞ୍ଚ୍ ହେବ। ଏହାଦ୍ଵାରା ପୂର୍ବ ଅପେକ୍ଷା ପିଏଫ୍ ଉଠାଣ, କେୱାଇସି ଅପଡେଟ୍ ଏବଂ କ୍ଲେମ୍ ପ୍ରୋସେସ୍ ଶୀଘ୍ର ହେବ। ବିଶେଷ କରି ଏଟିଏମ୍ ଭଳି ଇପିଏଫ୍ କାର୍ଡ ବ୍ୟବହାର କରିହେବ। 

୨. ଏଫଡି ସୁଧରେ ପରିବର୍ତ୍ତନ ହେବା ସମ୍ଭାବନା

ଜୁନରୁ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍ ଏବଂ ଋଣରେ ସୁଧ ଦରରେ ପରିବର୍ତ୍ତନ କରିପାରେ। ରିଜର୍ଭ ବ୍ୟାଙ୍କର ସମ୍ଭାବିତ ରେପୋ ରେଟ୍ ହ୍ରାସ ଯୋଗୁଁ ଏଫଡି ରେଟ୍ କମିପାରେ। ଯେପରିକି ସୂର୍ଯ୍ୟୋଦୟ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ୫ ବର୍ଷର ଏଫଡିରେ ସୁଧ ୮.୬ପ୍ରତିଶତରୁ ୮ ପ୍ରତିଶତକୁ ହ୍ରାସ କରିଛି। 

୩.କ୍ରେଡିଟ୍ କାର୍ଡ ରିୱାର୍ଡସ୍ ଏବଂ ଚାର୍ଜରେ ପରିବର୍ତ୍ତନ

ଜୁନ ୧ରୁ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଏବଂ ଅନ୍ୟ ବ୍ୟାଙ୍କରେ କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ ହେବ। ରିୱାର୍ଡ ପଏଣ୍ଟର ଲିମିଟ୍ ଧାର୍ଯ୍ୟ ହୋଇପାରେ। ଅଟୋ ଡେବିଟ୍ ଫେଲ୍ ହେଲେ ପେନାଲଟି କମିପାରେ। ୟୁଟିଲିଟି ପେମେଣ୍ଟରେ ଅତିରିକ୍ତ ଚାର୍ଜ ଲାଗିପାରେ। 

୪. ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ

ପ୍ରତି ମାସ ପହିଲାରେ ଏଲପିଜି ସିଲିଣ୍ଡର ଦର ନେଇ ସମୀକ୍ଷା କରାଯାଏ। ତେଣୁ ଜୁନ ୧ରେ ଘରୋଇ ଏବଂ କମର୍ସିଆଲ୍ ଗ୍ୟାସ୍ ଦର ବଢିପାରେ କିମ୍ବା କମିପାରେ। 

୫. ଏଟିଏମ୍ ଟ୍ରାଞ୍ଜାକ୍ସନ ଚାର୍ଜ ବଢିପାରେ

ଏଟିଏମ୍‌ରେ ଫ୍ରି ଟ୍ରାଞ୍ଜାକ୍ସନ ଲିମିଟ୍ ପରେ ଅତିରିକ୍ତ ଟ୍ରାଞ୍ଜାକ୍ସନ ପାଇଁ ଚାର୍ଜ ଲାଗିପାରେ। ଯେଉଁମାନେ ବାରମ୍ବାର କ୍ୟାସ୍ ଉଠାଉଛନ୍ତି ସେମାନେ ଏହାଦ୍ଵାରା ପ୍ରଭାବିତ ହେବେ। 

୬.ମ୍ୟୁଚୁଆଲ୍ ଫଣ୍ଡରେ ନୂଆ କଟ୍-ଅଫ୍ ଟାଇମ୍

ସେବି ଓଭରନାଇଟ୍ ମ୍ୟୁଚୁଆଲ୍ ଫଣ୍ଡ‌୍ ସ୍କିମ୍ ପାଇଁ ନୂଆ କଟ୍-ଅଫ୍ ଟାଇମ୍ ଲାଗୁ କରିଛି। ଜୁନ ୧ରୁ ଅଫଲାଇନ୍ ଟ୍ରାଞ୍ଜାକ୍ସନ ପାଇଁ ଅପରାହ୍ନ ୩ଟା ଅନଲାଇନ୍ ପାଇଁ ସନ୍ଧ୍ୟା ୭ଟା ଧାର୍ଯ୍ୟ ହେବ। ଏହାପରେ କରାଯାଇଥିବା ଅର୍ଡର ଆସନ୍ତା କାର୍ଯ୍ୟଦିବସରେ ହୋଇଥିବା ଧରାଯିବ। 

୭. ଆଧାର ଅପଡେଟ୍

ଫ୍ରିରେ ଆଧାର କାର୍ଡ ଅପଡେଟ୍ ସୁବିଧା ଜୁନ୍ ୧୪ ଯାଏଁ ରହିଛି। ଏହାପରେ ଅନଲାଇନ୍ ଅପଡେଟ୍‌ରେ ୨୫ ଟଙ୍କା ଏବଂ ସେଣ୍ଟରରେ କଲେ ୫୦ ଟଙ୍କା ଲାଗିବ। ଏଥିପାଇଁ ଜଲଦି ଜଲଦି ଅପଡେଟ୍ କରିନିଅନ୍ତୁ।

୮. ୟୁପିଆଇ ଟ୍ରାଞ୍ଜାକ୍ସନରେ ଦେଖାଯିବ ଅସଲି ରିସିଭରଙ୍କ ନାମ

ଏନପିସିଆଇ ନୂଆ ନିୟମ ଲାଗୁ କରିଛି। ଏହାଦ୍ଵାରା ୟୁପିଆଇ ପେମେଣ୍ଟ କରିବା ସମୟରେ ୟୁଜରଙ୍କୁ କେବଳ ଅସଲି ରିସିଭରଙ୍କ ବ୍ୟାଙ୍କ୍ ନାମ ଦେଖିବାକୁ ମିଳିବ। କ୍ୟୁଆର୍ କୋଡ୍ କିମ୍ଵା ଏଡିଟ୍ ହୋଇଥିବା ନାମ ଦେଖାଯିବ ନାହିଁ। ଏହି ନିୟମ ୩୦ ଜୁନ ଯାଏଁ ସମସ୍ତ ୟୁପିଆଇ ଆପ୍‌ରେ ଲାଗୁ କରାଯିବ। 

୯. ଜୁନରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ

ଆରବିଆଇ ଅନୁସାରେ ଜୁନ ମାସରେ ମୋଟ ୧୨ ଦିନ ବ୍ୟାଙ୍କ ଛୁଟି ରହିବ। ଏହି ଛୁଟିରେ ରବିବାର, ଦ୍ଵିତୀୟ ଏବଂ ଚତୁର୍ଥ ଶନିବାର ସାମିଲ ରହିଛି। ଏତଦ୍ ବ୍ୟତୀତ ବକରିଦ୍ ଭଳି ଉତ୍ସବରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। 

୧୦. କ୍ରେଡିଟ୍ କାର୍ଡରୁ ୟୁଟିଲିଟି ବିଲ୍ ପେମେଣ୍ଟ ମହଙ୍ଗା ହୋଇପାରେ 

ଜୁନରୁ କ୍ରେଡିଟ୍ କାର୍ଡରୁ ବିଜୁଳି, ପାଣି ଭଳି ୟୁଟିଲିଟି ପେମେଣ୍ଟ କଲେ ଅତିରିକ୍ତ ଚାର୍ଜ ପଡିପାରେ। କ୍ୟାସ୍‌ବ୍ୟାକ୍ ସର୍ତ୍ତରେ ବି ପରିବର୍ତ୍ତନ ହୋଇପାରେ। ଏନେଇ କିଛି ବ୍ୟାଙ୍କ ସଙ୍କେତ ଦେଇଛନ୍ତି।