ଭୁବନେଶ୍ବର, ୭।୭ :ସିମେଣ୍ଟ-ଷ୍ଟିଲ୍ ଦର ନିର୍ଦ୍ଧାରଣରେ ଚଳିବନି ମନମାନି ।  ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଚୂଡ଼ାନ୍ତ କରିବ ଦର। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସିମେଣ୍ଟ ଓ ଷ୍ଟିଲ୍ ଦର ନିର୍ଦ୍ଧାରଣକୁ ନେଇ ଏଣିକି ଏକକ ବ୍ୟବସ୍ଥା ଲାଗୁ ହେବ | ଜିଲ୍ଲାଭିତ୍ତିକ ଭାବେ ସିମେଣ୍ଟ ଓ ଷ୍ଟିଲ୍ ଦର ଚୂଡ଼ାନ୍ତ କରିବା ପାଇଁ ରାଜ୍ୟ ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍‌ଓପି) ଜାରି କରିଛନ୍ତି। ଏହି ବ୍ୟବସ୍ଥା ଲାଗୁ ହେଲେ ଦର ନିର୍ଦ୍ଧାରଣରେ ସ୍ୱଚ୍ଛତା ଆସିବା ସହ ପ୍ରକଳ୍ପ କାର୍ଯ୍ୟରେ ବିଳମ୍ବ କମିବ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ ହେବ। ସିଡିଓ-କମ୍-ଇଓ ସଦସ୍ୟ ସଂଯୋଜକ ରହିବେ। ଏହାଛଡ଼ା ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ (ବୈଷୟିକ), ରାସ୍ତା ଓ କୋଠାବାଡ଼ି କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ଅଧୀକ୍ଷଣ କିମ୍ବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଦୁଇଜଣ ବିଡିଓ ଏବଂ ଦୁଇଜଣ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କମିଟିର ସଦସ୍ୟ ରହିବେ। ଏହି କମିଟି ପ୍ରତି ତିନି ମାସରେ ସିମେଣ୍ଟ ଓ ଷ୍ଟିଲ୍ ଦର ଚୂଡ଼ାନ୍ତ କରିବ।

ସିମେଣ୍ଟ ଦର ନିର୍ଦ୍ଧାରଣ ପାଇଁ ଜିଲ୍ଲା ପରିଷଦ ଓଡ଼ିଶାରେ ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକଠାରୁ ସିଧାସଳଖ ଦରପତ୍ର ସଂଗ୍ରହ କରିବ। ଅତି କମ୍‌ରେ ତିନିଟି କମ୍ପାନିର କାରଖାନା ଦରର ହାରାହାରି ଆଧାରରେ ଚୂଡ଼ାନ୍ତ ଦର ସ୍ଥିର ହେବ। ଷ୍ଟିଲ୍ କ୍ଷେତ୍ରରେ SAILର ଦରକୁ ପ୍ରାଥମିକତା ଦିଆଯିବ। SAILର ଷ୍ଟିଲ୍ ଉପଲବ୍ଧ ନ ଥିଲେ ପୂର୍ତ୍ତ ବିଭାଗ ଅନୁମୋଦିତ ଅନ୍ୟ କମ୍ପାନିର ଦର ବିଚାରକୁ ନିଆଯିବ। ବିଆଇଏସ୍‌ ମାନକ ଅନୁଯାୟୀ ଷ୍ଟିଲ୍ ବ୍ୟବହାର କରିବା, ଆବଶ୍ୟକସ୍ଥଳେ ସ୍ୱାଧୀନ ପରୀକ୍ଷା କରିବା ଏବଂ କେବଳ ବିଶ୍ୱସନୀୟ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ଉତ୍ପାଦନକାରୀ ସଂସ୍ଥାଠାରୁ କ୍ରୟ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିବର୍ଷ ଏପ୍ରିଲ, ଜୁଲାଇ, ଅକ୍ଟୋବର ଓ ଜାନୁଆରିର ପ୍ରଥମ ଦିନ ସୁଦ୍ଧା ଚୂଡ଼ାନ୍ତ ଦର, ବୈଠକ କାର୍ଯ୍ୟବିବରଣୀ, ଦରପତ୍ର ଓ ହିସାବପତ୍ର SECURESoft ଏବଂ PPMSରେ ଅପଲୋଡ୍ କରି ବିଭାଗକୁ ପଠାଇବାକୁ ପଡ଼ିବ।