ପୁରୀ, ୨୮/୦୭: ବର୍ଷାରେ ଭିଜିଭିଜି ଠାକୁରଙ୍କ ପହଣ୍ଡିକୁ ଢେର ସମୟ ଅପେକ୍ଷା କରିଥିଲେ ଭକ୍ତ । ନିରନ୍ତର ବର୍ଷାକୁ ବଳିଯାଉଥିଲା ବିରହର ବେଦନା । ଅପଲକ ନୟନରେ ବାହୁପ୍ରସାରି ଅଗଣିତ ଭକ୍ତଙ୍କୁ ପ୍ରତିଶ୍ରୁତି ଦେଉଥିଲେ ଦାରୁଦିଅଁ । ଠାକୁରଙ୍କ ସାନ୍ନିଧ୍ୟର ଦିବ୍ୟ  ଅନୁଭବରେ ଦର୍ଶନାର୍ଥୀ ଆଖିରୁ ବୋହିଯାଉଥିଲା  ଆନନ୍ଦାଶ୍ରୁ । ସତେ ଯେପରି କାହାରି ଇଛା ନଥିଲା ଛାଡ଼ିଯିବାକୁ । ପହଣ୍ଡିରେ ବିଳମ୍ବ କରାଇ ମିଳନର ମୂହୁର୍ତ୍ତ ବଢ଼ାଇଦେଲେ । ଶେଷରେ ନୀଳାଦ୍ରି ବିଜେ ସହ ଚଳିତ ବର୍ଷ ରଥ ଯାତ୍ରାରେ ପୂର୍ଣ୍ଣଛେଦ ପଡ଼ିଲା ।  ଲକ୍ଷାଧିକ ଭକ୍ତଙ୍କୁ ଛାଡ଼ି ବିଧିବିଧାନକୁ ମହତ୍ତ୍ୱ ଦେଇ ମହାପ୍ରଭୁ ବାହୁଡ଼ିଗଲେ । ନୀଳାଚଳରେ ବିଜେ କଲେ ନୀଳାଦ୍ରିନାଥ । ଆର ବର୍ଷକୁ ଅପେକ୍ଷା କରି ବଡ଼ଦାଣ୍ଡରେ ରହିଗଲେ ତାଙ୍କର ଅସଂଖ୍ୟ ଭକ୍ତ ।

 

ରଥ ଯାତ୍ରା ପାଇଁ ୨୭ ଦିନ ହେଲା ଶୂନ୍ୟ  ପଡ଼ିଥିଲା ରତ୍ନମଣ୍ଡପ । ଏଣୁ ଦାରୁବ୍ରହ୍ମଙ୍କୁ ଧାରଣ  କରିବାକୁ ଅଧିର ହେଉଥିଲା ରତ୍ନବେଦି । ୧୨ ଦିନ  ଧରି ଶ୍ରୀକ୍ଷେତ୍ରରେ ଚାଲିଥିବା କାଳିଆ ସାଆନ୍ତଙ୍କ ଦିବ୍ୟଲୀଳା ସରିଲା । ସୋମବାର ରାତି । ନୀଳାଦ୍ରି  ବିଜେର ଭାବାବେଗ । ସାକ୍ଷୀ ରହିଲା ସିଂହଦ୍ୱାର ।  ନିର୍ଦ୍ଧାରିତ ସମୟ ଠାରୁ ୪ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ  ବିଳମ୍ବ ହେଲା ପହଣ୍ଡି । ରାତି ୯ଟା ପୂର୍ବରୁ ଆସିଥିଲା ପ୍ରତୀକ୍ଷାର ଅନ୍ତିମ ମୂହୁର୍ତ୍ତ । ଘଣ୍ଟ ଘଣ୍ଟା  ଧ୍ୱନି ସାଙ୍ଗକୁ ଭକ୍ତଙ୍କ ହରିବୋଲି, ହୁଳହୁଳିରେ  ଉଛୁଳିଲା ସିଂହଦ୍ୱାର । ରଥାରୂଢ଼ ଠାକୁରଙ୍କ ପହଣ୍ଡି  ଆରମ୍ଭ ହେଲା । ନୀଳାଦ୍ରି ବିଜେ ଅବସରରେ ରଥାରୂଢ଼ ଠାକୁରମାନେ ଗୋଟ ପରମ୍ପରାକ୍ରମେ ଲକ୍ଷ୍ମୀନାରାୟଣ କଳି (ପାରମ୍ପରିକ ବଚନିକା) ଅନୁଷ୍ଠିତ  ହେଲା । ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ସିଂହଦ୍ୱାର ପଡ଼ିଲା । ମା’ଲକ୍ଷ୍ମୀ ଠାକୁରାଣୀଙ୍କ ନିର୍ଦ୍ଦେଶରେ ଦ୍ୱାର ବନ୍ଦ କରାଯାଇଥିଲା । ମହାପ୍ରଭୁ ରସଗୋଲା  ଦେଇ ମା'ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କଲେ ।

​​​​​​​ଅଧିକ ପଢ଼ନ୍ତୁ :-  Heavy Rain Alert: ଆହୁରି ୪୮ ଘଣ୍ଟା ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ  ବର୍ଷିବ, ୩ ଜିଲ୍ଲାକୁ ରେଡ୍ ଆଲର୍ଟ,୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ରବିବାରର ନୀତି  ଅନୁସାରେ ବିଳମ୍ବିତ ରାତି ୩ଟାରେ ରଥରେ ଠାକୁରଙ୍କ ପହୁଡ଼ ନୀତି  ହୋଇଥିଲା । ଏଣୁ ଠାକୁରେ ୩ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିଶ୍ରାମ ନେଇପାରିଥିଲେ ।  ସକାଳ ୮ଟା ସୁଦ୍ଧା ସରିଲା ଠାକୁରଙ୍କ ମଙ୍ଗଳ ଆଳତି । ପରେ ଅପରାହ୍ଣ  ୫ଟା ୧୦ ମିନିଟ୍‌ ସୁଦ୍ଧା ସନ୍ଧ୍ୟାଧୂପ ସରି ଚାରମାଳ ବନ୍ଧା ଆରମ୍ଭ ହେଲା ।  ରାତି ୭ଟା ୫୫ରେ ଚାରବନ୍ଧା ସରିଲା । ପରେ ସିଂହାସନ ମାଜଣା ହୋଇ  ପୁଷ୍ପାଞ୍ଜଳି ଅର୍ପଣ ହୋଇ ବିଜେ କାହାଳି ବାଜି ପହଣ୍ଡି ଆରମ୍ଭ ହେଲା ।  ପହଣ୍ଡି ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଇଥିଲା । ପୁଷ୍ପାଳକ  ସେବକମାନେ ପ୍ରଥମେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣଙ୍କୁ ହାତରେ  ନେଇ ଦକ୍ଷିଣଘରେ ବିଜେ କରାଇଥିଲେ । ପରେ ଶ୍ରୀସୁଦର୍ଶନ, ବଡ଼ଠାକୁର  ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ଅନୁଷ୍ଠିତ ହେଲା । ଶେଷରେ କାଳିଆ  ସାଆନ୍ତଙ୍କ ପହଣ୍ଡି ବେଳକୁ ବିଳମ୍ବିତ ରାତି ହୋଇଥିଲା ।

ନୀତି ଆରମ୍ଭରୁ  ହୋଇଥିବା ପ୍ରାୟ ୪ଘଣ୍ଟାର ବିଳମ୍ବ ଶେଷ ପର୍ଯ୍ୟନ୍ତ ଜାରି ରହିଥିବା ପରିଲକ୍ଷିତ  ହୋଇଥିଲା । ମହାପ୍ରଭୁ ସିଂହଦ୍ୱାର ଗୁମୁଟ ଛାଡ଼ିବା ବେଳକୁ ଭେଟମଣ୍ଡପରେ  ମା’ଲକ୍ଷ୍ମୀ ସାଆନ୍ତାଣୀ ବିଜେ ହୋଇଥିଲେ । ରଥ ଉପରେ ମହାପ୍ରଭୁଙ୍କୁ ଓ  ଭେଟମଣ୍ଡପରେ ମାଲକ୍ଷ୍ମୀଙ୍କୁ ଏକତ୍ର ବନ୍ଦାପନା ହୋଇଥିଲା । ପରମ୍ପରାକ୍ରମେ  ମହାପ୍ରଭୁ ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ସିଂହଦ୍ୱାର ବନ୍ଦ ହୋଇଥିଲା । ଭାଇ  ଭଉଣୀଙ୍କୁ ସାଥିରେ ନେଇ ରଥ ଯାତ୍ରା କରିବାରେ ଠାକୁରାଣୀ ଅଭିମାନ  କରିଥିଲେ । ଏଣୁ ଠାକୁରାଣୀଙ୍କ ଇଙ୍ଗିତରେ ହିଁ ତାଙ୍କ ଦାସୀମାନେ ଦ୍ୱାର  ବନ୍ଦ କରିଥିଲେ । ମହାପ୍ରଭୁଙ୍କ ଅନୁରୋଧ କ୍ରମେ ଠାକୁରାଣୀଙ୍କ ଅନୁମତି  ପାଇ ଦ୍ୱାର ଖୋଲିଲା ।

ବାଇଶି ପାହାଚ ଓ ସାତପାହାଚ ହୋଇ ମହାପ୍ରଭୁ  ଜୟବିଜୟ ଦ୍ୱାର ନିକଟରେ ବିଜେ ହୋଇଥିଲେ । ସେଠାରେ ମହାପ୍ରଭୁଙ୍କ ବାଟ ଓଗାଳିଥିଲେ ମା’ ଲକ୍ଷ୍ମୀ ଠାକୁରାଣୀ । ଉଭୟପକ୍ଷର ସେବକମାନଙ୍କ  ମଧ୍ୟରେ ପାରମ୍ପରିକ ବଚନିକା ଲକ୍ଷ୍ମୀ-ନାରାୟଣ କଳିର ବିଧି ସଂପନ୍ନ ହେଲା ।  ଭିତରଚ୍ଛ ମହାପାତ୍ରଙ୍କ ନିଜସ୍ୱ ଗୃହରେ ଶୁଦ୍ଧପୂତ ଭାବେ ତିଆରି ହୋଇଥିବା  ରସଗୋଲାକୁ ମହାପ୍ରଭୁ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ଭେଟି ଦେଇଥିଲେ । ମହାପ୍ରଭୁ  ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କ ମନ ଜିଣିଥିଲେ । ଏହାପରେ ଘସା, ବିଡ଼ିଆ ମଣୋହି ସରି ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥିଲେ। ଦଇତାପତିମାନେ ସିଂହାସନରେ ଠାକୁରମାନଙ୍କର ରୁନ୍ଧାକାର୍ଯ୍ୟ ସାରିଥିଲେ ।  ବର୍ଷକେ ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ରସଗୋଲା ଭୋଗ ଲାଗିବାର  ବିଧି ରହିଛି । ସିଂହଦ୍ୱାର ଓ ବଡ଼ଦେଉଳରେ ଲକ୍ଷାଧିକ ଭକ୍ତ ଠାକୁରଙ୍କର  ଏହି ଅପୂର୍ବ ଲୀଳା ଦେଖିିଥିଲେ ।