ଭୁବନେଶ୍ୱର, ୨୮/୦୭: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟିର ସଂଶୋଧନ ହେବ । ଏନେଇ ଡକାଯାଇଥିବା ଟେଣ୍ଡରର ଆବେଦନ ଅବଧି ଶେଷ ହୋଇଛି । ସୋମବାରପୂର୍ବାହ୍ନ ସାଢ଼େ ୧୧ଟାରେ ବିଡ୍ଦାତାଙ୍କ ଉପସ୍ଥିତିରେ ବିଡ୍ ଖୋଲାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା । ବିଶେଷ ସୂତ୍ରରୁ ଜଣାପଡ଼ିଛି, ମାତ୍ର ହାତଗଣତି ସଂସ୍ଥା ଏହି ଟେଣ୍ଡର ପକାଇଛନ୍ତି । ଏହି ସଂଖ୍ୟା ୨ ଅଙ୍କକୁ ମଧ୍ୟ ଛୁଇଁ ନାହିଁ । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ରଖିଥିବା ମାନଦଣ୍ଡ ଏବଂ ସରକାର ନେଉଥିବା ଆକ୍ସନକୁ ଭୟ କରି ଏପରି ସ୍ଥିତି ଦେଖିବାକୁ ମିଳିଛି ।

ଅନ୍ୟପଟେ ଆଗରୁ ଏସ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ପ୍ରସ୍ତୁତି ସମୟରେ ଡିଟିପି ଆଉ ଡିଜାଇନିଂ ଦାୟିତ୍ୱ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାକୁ ପ୍ରଦାନ କରିଥାଏ । ଏବର୍ଷ ପାଠ୍ୟପୁସ୍ତକରେ ବନାନଗତ ତ୍ରୁଟି ମାତ୍ରାଧିକ ଥିବାରୁ ସରକାରଙ୍କ ଏହି ସଂସ୍ଥା ଉପରରୁ ଏସ୍‌ସିଇଆର୍‌ଟିର ଭରସା ତୁଟିଯାଇଛି । ସେଥିଲାଗି ଖୋଦ୍ ନିଜେ ଡିଟିପି ଓ ଡିଜାଇନିଂର ଦାୟିତ୍ୱ ନେଇଛି ଏସ୍‌ସିଇଆର୍‌ଟି । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ସଂଶୋଧନ କରିବା ଲାଗି ନିଜେ ଟେଣ୍ଡର ଡାକିଛି । ହେଲେ ଏହି ଟେଣ୍ଡର ଲାଗି ମାତ୍ର ୩ଜଣ ଆବେଦନ କରିଥିଲେ । ଏଥିରୁ ୨ଜଣଙ୍କର ଟେଣ୍ଡର ଆବଶ୍ୟକ କାଗଜପତ୍ର ତଥା ମାନଦଣ୍ଡ ପୂରଣ ହେଉନଥିବାରୁ ତାଙ୍କୁ ରିଜେକ୍ଟ କରାଯାଇଛି । ଅନ୍ୟ ଏକ ଘରୋଇ ସଂସ୍ଥାର କାଗଜପତ୍ର ଠିକ୍ ଥିବାରୁ ତାକୁ ବିଚାରକୁ ନିଆଯାଇଛି । ହେଲେ ଆଜି ଏସ୍‌ସିଇଆର୍‌ଟିକୁ କୌଣସି ବିଡ୍ଦାତା କିମ୍ବା ତାଙ୍କ ପ୍ରତିନିଧି ଆସିଥିଲେ କି ନାହିଁ ତାର କୌଣସି ଚିତ୍ର ସ୍ପଷ୍ଟ ମିଳିନି । ଏନେଇ ମଧ୍ୟ ବିଭାଗ କିମ୍ବା ଏସ୍‌ସିଇଆର୍‌ଟି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ ।

​​​​​​​ଅଧିକ ପଢ଼ନ୍ତୁ :-  ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲେ ନବୀନ ଓ ଭକ୍ତ​​​​​​​

ଅନ୍ୟପଟେ ଜଣେ ଅଧିକାରୀ କହିଛନ୍ତି, ସରକାରୀ ସଂସ୍ଥା ବୋଲି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥାକୁ ଏସ୍‌ସିଇଆର୍‌ଟି ଡିଟିପି ଓ ଡିଜାଇନିଂ ଦାୟିତ୍ୱ ପ୍ରଦାନ କରିଥାଏ । ମାତ୍ର ସେ ଏତେ ମାତ୍ରାରେ ବନାନଗତ ତ୍ରୁଟି କରିଥିବାରୁ ତା ଉପରେ ଏସ୍‌ସିଇଆର୍‌ଟିର  ଭରସା ନାହିଁ । ତେବେ ଘରୋଇ ସଂସ୍ଥା ଯେ ଠିକ୍ ଭାବେ ଏହାକୁ ସଂଶୋଧନ କରିବେ ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ । ଏପରିକି ଏସସିଇଆର୍‌ଟି ଟେଣ୍ଡରରେ ରଖିଥିବା ମାନଦଣ୍ଡକୁ ଦେଖି ବିଡର ମାନେ ମଧ୍ୟ ଭୟ କରୁଛନ୍ତି । ବାରମ୍ବାର ଏକ୍ସପର୍ଟଙ୍କ ଦ୍ୱାରା ସମୀକ୍ଷା ହୋଇ ସଂଶୋଧନ ହେବ ଶେଷକୁ ଚୂଡ଼ାନ୍ତ ସଂଶୋଧିତ ପୁସ୍ତିକା ପ୍ରସ୍ତୁତ ହେବ । ଏପରିକି ଏହି ସମସ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ଏସ୍‌ସିଇଆର୍‌ଟିର କରିକୁଲମ୍ ଡେଭଲପ୍‌ମେଣ୍ଟ ସେଲ୍‌କୁ ଭାର ଦିଆଯାଇଛି । ଏହି ସେଲ୍‌ର ଭାରପ୍ରାପ୍ତ ଅଧିକାରୀଙ୍କ ପ୍ରମାଣପତ୍ର ଦେବା ପରେ ହିଁ ଉକ୍ତ ଫାର୍ମ ହାଉସକୁ ଅର୍ଥ ଦିଆଯିବ । କାର୍ଯ୍ୟ ପୂର୍ବରୁ କୌଣସି ପ୍ରକାର ଅଗ୍ରୀମ ଟଙ୍କା ଏସ୍‌ସିଇଆର୍‌ଟି ପ୍ରଦାନ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ଏମିତି ସରକାର ପାଠ୍ୟପୁସ୍ତକକୁ ନେଇ ଗଭୀର ଚିନ୍ତା ଥିବା ବେଳେ ତ୍ରୁଟି ହେଲେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଅନ୍ୟପଟେ ଅଧିକାରୀ ଜଣକ ଏହା ମଧ୍ୟ କହିଛନ୍ତି, ଏବର୍ଷ ବହି ଛପା ହୋଇ ସ୍କୁଲରେ ପହଞ୍ଚିବା ସମ୍ଭବ ନୁହେଁ । ଏହା ଆସନ୍ତା ଶିକ୍ଷାବର୍ଷ ହୋଇଯିବ । କାରଣ ସଂଶୋଧନ ପ୍ରକ୍ରିୟା ସରିବା ବେଳକୁ ଅକ୍ଟୋବର ମାସ ହୋଇଯିବ । ଏହାପରେ ସରକାର ମୁଦ୍ରଣ ପାଇଁ ପେପର କିଣିବାକୁ ଟେଣ୍ଡର କରିବେ । ପୁଣି ଛାପିବାକୁ ଟିବିପିଏମ୍‌କୁ  ଦାୟିତ୍ୱ ଦେବେ । ଛାପିବାକୁ ଟିବିପିଏମ୍ ମଧ୍ୟ ଟେଣ୍ଡର କରିପାରେ । ମୁଦ୍ରଣରେ ଯେତିକି ସମୟ ଲାଗିବ ନାହିଁ ତାଠୁ ଅଧିକ ସମୟ ପେପରକୁ ସଜାଡ଼ିବା, ଏହାକୁ ବାଇଣ୍ଡିଂରେ ସମୟ ଲାଗିବ । ଏମିତି ହେଲା ବେଳକୁ ଆସନ୍ତା ବର୍ଷ ହୋଇଯିବ ।