ନୂଆଦିଲ୍ଲୀ,୨୬/୧୦: ଅନେକ ସମୟରେ ନିଜର ପରିଜନ କିମ୍ବା ବନ୍ଧୁଙ୍କୁ ବଳେଇ ଦେବାକୁ ଯାଇଥିବାବେଳେ ଲୋକେ ବିମାନବନ୍ଦରର ଡ୍ରପ୍‌-ଅଫ୍‌ ଜୋନ୍‌ରେ ଛିଡ଼ା ହୋଇ ତାଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥାନ୍ତି । ବଳାଇ ଦେବା ସମୟରେ ଆଲିଙ୍ଗନ କରି ଶୁଭକାମନା ଜଣାଇଥାନ୍ତି । ଯଦି ସେ ଦୀର୍ଘ ଅବଧି ଲାଗି ଦୂରକୁ ଯାଉଥାନ୍ତି ତେବେ ଅନ୍ୟମାନେ ଭାବପ୍ରବଣ ହୋଇ କାନ୍ଦିବାର ଦୃଶ୍ୟ ବହୁ ସମୟରେ ଦେଖିବାକୁ ମିଳିଥାଏ । ଏଭଳି କ୍ଷେତ୍ରରେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ବି ଏକ ବିମାନବନ୍ଦର ଅଛି ଯେଉଁଠାରେ ଡ୍ରପ୍‌-ଅଫ୍‌ ଜୋନ୍‌ରେ ପରିଜନ କିମ୍ବା ବନ୍ଧୁଙ୍କୁ ୩ ମିନିଟ୍‌ରୁ ଅଧିକ ସମୟ ଧରି ଆଲିଙ୍ଗନ କଲେ ଜରିମାନା ଦେବାକୁ ପଡ଼େ । ନ୍ୟୁଜିଲାଣ୍ଡର ଡୁନୋଡିନ୍‌ ବିମାନବନ୍ଦର କର୍ତ୍ତୃପକ୍ଷ ଗତ ସେପ୍ଟେମ୍ବର ମାସରେ ଏହି ନିୟମ କରିଥିବାବେଳେ ତାକୁ ନେଇ ବିତର୍କ ସୃଷ୍ଟି ହୋଇଛି । 

ସେଠାକାର ନୂଆ ନିୟମ ଅନୁସାରେ, କାହାରିକୁ ବିମାନବନ୍ଦରରେ ବଳାଇ ଦେବାକୁ ଯାଇଥିଲେ ଡ୍ରପ୍‌-ଅଫ୍‌ ଜୋନ୍‌ରେ ଆପଣ ତାଙ୍କ ସହିତ ୩ ମିନିଟ୍‌ରୁ ଅଧିକ ସମୟ ଧରି କଥା ହୋଇପାରିବେ ନାହିଁ । ଲୋକଙ୍କୁ ନୂଆ ନିୟମ ସଂପର୍କରେ ଜଣାଇବା ଲାଗି ଡ୍ରପ୍‌-ଅଫ୍‌ ଜୋନ୍‌ରେ ଏକ ବୋର୍ଡ ମଧ୍ୟ ଲଗାଯାଇଛି । ବୋର୍ଡରେ ଉଲ୍ଲେଖ ହୋଇଛି, ଦୟାକରି ପରିଜନଙ୍କୁ ନିଜର ବିଦାୟ ସମ୍ଭାଷଣ ଜଣାଇବା ଲାଗି କାର୍‌ ପାର୍କିଂ କିମ୍ବା ଅନ୍ୟ ସ୍ଥାନର ବ୍ୟବହାର କରନ୍ତୁ । ଏଠାରେ ୩ ମିନିଟ୍‌ ଅର୍ଥାତ୍‌ ୧୮୦ ସେକେଣ୍ଡରୁ ଅଧିକ ସମୟ ରୁହନ୍ତୁ ନାହିଁ । ଏ ସଂପର୍କରେ ବିମାନବନ୍ଦରର ସିଇଓ କହିଛନ୍ତି, ବିମାନବନ୍ଦରରେ ଅଯଥା ଲୋକ ଭିଡ଼କୁ କମ୍‌ କରିବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଏହାକୁ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ସେପଟେ ସୋସିଆଲ୍‌ ମିଡିଆରେ ଅନେକ ୟୁଜର ଏହାକୁ ଅମାନବୀୟ ନିଷ୍ପତ୍ତି ଭାବେ ଦର୍ଶାଇଛନ୍ତି । ଏହା ମୌଳିକ ମାନବାଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ ନିଷ୍ପତ୍ତିକୁ ସେମାନେ ସମାଲୋଚନା କରୁଛନ୍ତି ।