ମୋରଡା ୨୮।୨: ପୁଣି ଶିଶୁ କନ୍ୟା ଅଲୋଡ଼ା । ନବଜାତ ଶିଶୁ କନ୍ୟାକୁ ଫିଙ୍ଗିଦେଇ ଚାଲିଗଲା ଜନ୍ମକଲା ମା’ । ଲଟାବୁଦାରୁ ଉଦ୍ଧାର ହେଲା ଶିଶୁ କନ୍ୟା। ମୋରଡା ବ୍ଲକ ଝିଙ୍କିରିଆର ଆଶାକର୍ମୀ ସାବିତ୍ରୀମଣୀ ଜେନାଙ୍କ ବାଡି ପଛ ପଟୁ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।

ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ର ଝିଙ୍କିରିଆ ଗ୍ରାମର ଆଶାକର୍ମୀ ସାବିତ୍ରୀମଣୀ ଜେନା ଙ୍କ ଘର ବାଡି ପଛ ପଟେ କେହି ଜଣେ ନବଜାତ ଶିଶୁ କନ୍ୟା କୁ ପକାଇ ପଳାଇଥିଲେ । ଆଶାକର୍ମୀ ସାବିତ୍ରୀମଣୀ ଜେନାଙ୍କ ଝିଆରୀ ବାଡ଼ି ପଛ ପଟୁ ଗୋଟିଏ ଛୋଟ ଛୁଆର କାନ୍ଦ ଶୁଣିଥିଲେ। ପାଖକୁ ଯିବାରୁ ଲଟା ବୁଦା ଭିତରେ ନବଜାତ ଶିଶୁ କନ୍ୟା କୁ ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଝିଆରୀ ସୁଭଶ୍ରୀ ଜେନା ଆଶାକର୍ମୀ ଙ୍କୁ ଘଟଣା ବାବଦରେ ଜଣାଇଥିଲେ । ଆଶାକର୍ମୀ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରି ଆମ୍ବୁଲାନ୍ସ ଯୋଗେ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ପରେ ସୁପରଭାଇଜର ଶୁଭଶ୍ରୀ ଦଳାଇ ଡାକ୍ତରଖାନାରେ ପହଞ୍ଚି ଶିଶୁର ଉତ୍ତମ ଚିକିତ୍ସା ପାଇଁ ବ୍ୟବସ୍ଥା କରିଥିଲେ । ତେବେ ଶିଶୁର ମୁହଁ ଓ ଦେହରେ ମାଟି ଲାଗିଥିବା ସହିତ ଅନେକ ସ୍ଥାନରେ କ୍ଷତ ଥିବା ଦେଖିବାକୁ ମିଳିଛି । ଯିଏ ବି ପକାଇଛି ସେ ଜାଣି ଶୁଣି ଶିଶୁ କନ୍ୟାକୁ ଆଶାକର୍ମୀ ଙ୍କ ବାଡିରେ ପକାଇଛି ।

ତେବେ ଶିଶୁ କନ୍ୟା ମେଡିକାଲ ରେ ଚିକିତ୍ସିତ ହେବା ପରେ ସୁସ୍ଥ ଥିବା ଜଣାପଡିଛି । ଶିଶୁକନ୍ୟା ର ଓଜନ ଦୁଇ କିଲୋ ୩୪୫ ଗ୍ରାମ ରହିଛି । ଶିଶୁକନ୍ୟା ର ଚିକିତ୍ସା ପରେ ବାରିପଦା ସ୍ଥିତ ସି ଡ଼ବ୍ଲ୍ୟୁ ସି କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସୁପରଭାଇଜର । ତେବେ ଶିଶୁ କନ୍ୟାକୁ କିଏ ଓ କାହିଁକି ଏପରି ପକାଇ ପଳାଇଛି ତାହା ଏବେ ତଦନ୍ତ ସାପେଷ ।