ଖଲ୍ଲିକୋଟ ୨୪/୦୨: ହାତରୁ ଲିଭିନି ମେହେନ୍ଦି। ମଥାରେ ଝଟକୁଛି ସିନ୍ଦୂର, ପାଦରେ ନାଲି ଅଳତା। ନୂଆ ଜୀବନ ଆରମ୍ଭ କରିବାକୁ ସ୍ବପ୍ନ ଦେଖିଥିବା ନବଦମ୍ପତିଙ୍କ ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ଼। ଚତୁର୍ଥୀ ରାତିରେ ଅକାଳରେ ଚାଲିଯାଇଛି ନବବଧୂଙ୍କ ଜୀବନ। ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗ୍ରାମରେ ଏଭଳି ଅଭାବନୀୟ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଚତୁର୍ଥୀ ରାତିରେ ଏମିତି କଣ ହେଲା ? କେମିତି ନବବଧୂଙ୍କ ଜୀବନ ଚାଲିଗଲା ? ନବଦମ୍ପତିଙ୍କ ମଧ୍ୟରେ କୌଣସି ମନମାଳିନ୍ୟ ହୋଇଥିଲା କି ? ସମସ୍ତ କଥା ଏବେ ରହସ୍ୟ ଘେରରେ। ଯାହାକୁ ଖୋଜିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଶୁକ୍ରବାର ଅର୍ଥାତ ( ୨୦ ତାରିଖ)ରେ କେନ୍ଦୁପାଟ ଗ୍ରାମର ଶଙ୍କର ବେହେରାଙ୍କ ଝିଅ ପୂଜା ବେହେରାଙ୍କ ବିବାହ ସେହି ଗ୍ରାମର ବିଦ୍ୟାଧର ଜେନାଙ୍କ ପୁଅ ବିପିନ ଜେନାଙ୍କ ସହ ହୋଇଥିଲା। ଗତକାଲି ଚତୁର୍ଥୀ କର୍ମ ହେବା ପରେ ରାତିରେ ବର କନ୍ୟା ଚତୁର୍ଥୀ ଶଯ୍ୟାକୁ ଯାଇଥିଲେ। କିନ୍ତୁ ମଧ୍ୟରାତ୍ରୀରେ ହଠାତ ନବବଧୂ ପୂଜା ଗୁରୁତର ହୋଇ ପଡ଼ିଥିଲେ। ରକ୍ତାକ୍ତ ଅବସ୍ଥାରେ ଘର ଲୋକେ ପୂଜାଙ୍କୁ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ପୂଜାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଲ୍ଲିକୋଟ ପୁଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି। ଖଲ୍ଲିକୋଟ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ :- ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ, ଭୁବନେଶ୍ୱରରେ ଯାଇଛି ସର୍ବାଧିକ ଜୀବନ