ନୂଆଦିଲ୍ଲୀ,୨୪/୧୨; ନ୍ୟୁଜିଲାଣ୍ଡ କ୍ରିକେଟ୍ ଆସନ୍ତା ମାସରେ ଭାରତ ଗସ୍ତ ପାଇଁ ତାର ଦିନିକିଆ ଏବଂ ଟି-ଟ୍ୱେଣ୍ଟି ଦଳ ଘୋଷଣା କରିଛି । ଏହି ଗସ୍ତ ଜାନୁଆରୀ ୧୧ ତାରିଖରେ ଭଦୋଦରାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ସହିତ ଆରମ୍ଭ ହେବ । ଏହା ପରେ ଜାନୁଆରୀ ୨୧ ତାରିଖରୁ ନାଗପୁରରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଖେଳାଯିବ । ଏହି ଗସ୍ତରେ ଅନେକ ଯୁବ ଏବଂ ଅନକ୍ୟାପ୍ ଖେଳାଳିଙ୍କୁ ସୁଯୋଗ ମିଳିଛି । ବାମହାତୀ ଦ୍ରୁତ ବୋଲର ଜେଡେନ୍ ଲେନକ୍ସ ପ୍ରଥମ ଥର ପାଇଁ ସିନିୟର ଦଳରେ ଏଣ୍ଟ୍ରୀ କରିଛନ୍ତି । ଲେନକ୍ସ ଦିନିକିଆ ଦଳରେ ସାମିଲ ଅଛନ୍ତି । ଅନ୍ୟ ଅନକ୍ୟାପ୍ ଖେଳାଳିଙ୍କ ମଧ୍ୟରେ ବୋଲିଂ ଅଲରାଉଣ୍ଡର କ୍ରିଶ୍ଟିଆନ୍ କ୍ଲାର୍କ , ଲେଗ୍-ସ୍ପିନିଂ ଅଲରାଉଣ୍ଡର ଆଦିତ୍ୟ ଅଶୋକ, ସିମ୍-ବୋଲିଂ ଅଲରାଉଣ୍ଡର ଜୋଶ କ୍ଲାର୍କସନ ଏବଂ ଦ୍ରୁତ ବୋଲର ମାଇକେଲ ସାମିଲ ଅଛନ୍ତି  । ଯିଏ ସମ୍ପ୍ରତି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ । ମାଇକେଲ ବ୍ରେସୱେଲ୍ ଦିନିକିଆ ଦଳର ନେତୃତ୍ୱ ନେବେ । ଟି-ଟ୍ୱେଣ୍ଟି ବିଶ୍ୱକପ ଆଗକୁ ଥିବାରୁ ଟି-ଟ୍ୱେଣ୍ଟି ସିରିଜ ବେଶ୍ ଗୁରୁତ୍ୱ ବହନ କରିବ ।

​​​​​​​ODI ଦଳର ଅଧିନାୟକ ବଦଳିଲେ- ନିୟମିତ ଅଧିନାୟକ ମିଚେଲ ସାଣ୍ଟନର ଗ୍ରୋଇନ୍ ଆଘାତରୁ ସୁସ୍ଥ ହେଉନଥିବାରୁ ମାଇକେଲ ବ୍ରେସୱେଲ୍ ଏକଦିବସୀୟ ଦଳର ନେତୃତ୍ୱ ନେବେ । ସାଣ୍ଟନର ଟି-୨୦ ସିରିଜରେ ଦଳର ନେତୃତ୍ୱ ନେବେ । ଟି-୨୦ ଦଳରେ ପାୱାର ହିଟର ବେଭନ୍ ଜାକବ୍ସ ଏବଂ ଟିମ୍ ରବିନସନ୍, ମାର୍କ ଚାପମ୍ୟାନ୍ ଏବଂ ମ୍ୟାଟ୍ ହେନରୀ ମଧ୍ୟ ସାମିଲ ଅଛନ୍ତି । ହେନରୀ ଦିନିକିଆ ସିରିଜରୁ ବାଦ ରହିବେ । ସେ ଟି-୨୦ ଏବଂ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ସମ୍ପୂର୍ଣ୍ଣ ଫିଟ୍ ହେବା ଦରକାର ।