ନୂଆଦିଲ୍ଲୀ,୦୩/୧୦: ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଜାତୀୟ ରାଜପଥରେ ଯାତ୍ରୀମାନଙ୍କର ସୁବିଧା ପାଇଁ ଏକ ଭିନ୍ନ ଧରଣର ପଦକ୍ଷେପ ଗ୍ରହଣ କରିଛି। କ୍ୟୁଆର୍ କୋଡ୍ ସାଇନ୍ ବୋର୍ଡ ସ୍ଥାପନ କରିବ। ଯାହାକି ଜାତୀୟ ରାଜପଥରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବ। ଏହାଦ୍ବାରା ରାସ୍ତା ସମ୍ବନ୍ଧୀୟ ସୂଚନା ସହଜରେ ଯାତ୍ରୀମାନେ ପାଇପାରିବେ। ଏହି ସାଇନ୍ ବୋର୍ଡଗୁଡ଼ିକରେ ରାଜପଥ ନମ୍ବର, ଦୂରତା, ପ୍ରକଳ୍ପ ଲମ୍ବ ଏବଂ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର (୧୦୩୩) ମଧ୍ୟ ଉଲ୍ଲେଖ ରହିବ। ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ, ସେମାନେ ସହାୟତା ପାଇଁ ଏହି ନମ୍ବରକୁ କଲ୍ କରିପାରିବେ।
ପେଟ୍ରୋଲ ସରିଗଲେ ମଧ୍ୟ ହଇରାଣ ହେବେନି ଯାତ୍ରୀ:
ବେଳେବେଳେ, ଦୂରତା ଯୋଗୁ ପେଟ୍ରୋଲ ପମ୍ପ ଖୋଜିବା କଷ୍ଟକର ହୋଇପଡ଼େ। ଏପରି ପରିସ୍ଥିତିରେ, ହାଇୱେ ପାଟ୍ରୋଲ୍, ଟୋଲ୍ ପରିଚାଳକ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସଂଖ୍ୟା ମଧ୍ୟ ସାଇନ୍ ବୋର୍ଡରେ ତାଲିକାଭୁକ୍ତ ହେବ। ଯାତ୍ରୀମାନେ ଏହି ସୂଚନାରୁ ପେଟ୍ରୋଲ ପମ୍ପର ଦୂରତା ଜାଣିପାରିବେ ଏବଂ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ପେଟ୍ରୋଲ ପମ୍ପକୁ ଯାଇପାରିବେ।
ହସ୍ପିଟାଲ ଏବଂ ଜରୁରୀକାଳିନ ସୁବିଧା ସମ୍ପର୍କିତ ସୂଚନା ପାଇବେ ଯାତ୍ରୀ:
ଯଦି କୌଣସି ବ୍ୟକ୍ତିଙ୍କୁ ଯାତ୍ରା ସମୟରେ ହସ୍ପିଟାଲ ଯିବାକୁ ପଡ଼େ, ତେବେ କ୍ୟୁଆର୍ କୋଡ୍ ବ୍ୟବହାର କରି ସେ ସମ୍ପର୍କିତ ସୂଚନା ମଧ୍ୟ ପାଇପାରିବେ। ଶୌଚାଳୟ, ପୋଲିସ ଷ୍ଟେସନ, ରେଷ୍ଟୁରାଣ୍ଟ, ଟୋଲ୍ ପ୍ଲାଜା, ଟ୍ରକ୍ ପାର୍କିଂ ଏବଂ ପମ୍ପଚର ଦୋକାନ ଭଳି ଅନ୍ୟାନ୍ୟ ଜିନିଷ ବିଷୟରେ ମଧ୍ୟ ସୂଚନା ପାଇପାରିବେ।
ଇଭି ପାଇଁ ଚାର୍ଜିଂ ସେଣ୍ଟରର ମଧ୍ୟ ସୂଚନା ପାଇପାରିବେ ଯାତ୍ରୀ:
ଏହି ସାଇନବୋର୍ଡଗୁଡ଼ିକ ଯାନବାହାନ ସେବା ଏବଂ ଚାର୍ଜିଂ ଷ୍ଟେସନଗୁଡ଼ିକ ବିଷୟରେ ମଧ୍ୟ ଅପଡେଟ୍ ପ୍ରଦାନ କରିବ। ଏହି ସାଇନବୋର୍ଡଗୁଡ଼ିକ ଟୋଲ୍ ପ୍ଲାଜା, ବିଶ୍ରାମାଗାର, ଟ୍ରକ୍ ଲେବଲ ଏବଂ ରାଜପଥର ଆରମ୍ଭ ଏବଂ ଶେଷରେ ଲଗାଯିବ। ଚାର୍ଜିଂ ଷ୍ଟେସନଗୁଡ଼ିକ ବୈଦ୍ୟୁତିକ ଯାନ ଚାଳକମାନଙ୍କୁ ଏହି ସେବାଗୁଡ଼ିକୁ ସହଜରେ ପାଇବାରେ ସାହାଯ୍ୟ କରିବ। ଏହା ଯାତ୍ରୀମାନଙ୍କ ପାଇଁ ସୂଚନା ପାଇବାକୁ ସହଜ କରିବ, ସଡ଼କ ସୁରକ୍ଷା ବୃଦ୍ଧି କରିବ ଏବଂ ଏହି ରୁଟ୍ଗୁଡ଼ିକରେ ସେମାନଙ୍କର ଯାତ୍ରା ଅଭିଜ୍ଞତାକୁ ବୃଦ୍ଧି କରିବ, କାରଣ ସେମାନେ କ୍ୟୂଆର୍ କୋଡ୍ ବ୍ୟବହାର କରି କିଛି ସେକେଣ୍ଡ ମଧ୍ୟରେ ସଠିକ୍ ଏବଂ ପ୍ରାସଙ୍ଗିକ ସୂଚନା ପାଇପାରିବେ। ଏହି ନୂଆ ବିକାଶ ଗୁରୁତ୍ୱପୂର୍ଣ୍ଣ ସୁବିଧା ପ୍ରଦାନ କରିବ।