ନୂଆଦିଲ୍ଲୀ,୧୦/୦୬: ୱେଷ୍ଟଇଣ୍ଡିଜ ଷ୍ଟାର କ୍ରିକେଟର ତଥା ୱିକେଟକିପର ନିକୋଲସ ପୂରନ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ମାତ୍ର ୨୯ ବର୍ଷ ବୟସରେ ସେ ଅବସର ଘୋଷଣା କରିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଅବସର ନେଇ ଘୋଷଣା କରିଛନ୍ତି ନିକୋଲସ୍ ।
ମାତ୍ର ୨୯ ବର୍ଷରେ ଅଚାନକ ଅବସର- ସୋସିଆଲ ମିଡିଆରେ ନିକୋଲସ ଲେଖିଛନ୍ତି, ''ଏ ଖେଳ ଯାହାକୁ ଆମେ ବହୁତ ଭଲ ପାଉ । ଯାହା ଆମକୁ ବହୁତ ଖୁସି ଦିଏ । ବହୁତ ବିଚାର, ଚିନ୍ତା କରିବା ପରେ ଏହି ନିଷ୍ପତ୍ତି ନେଇଛି । କେବେ ଭୁଲି ନପାରିବା ପରି ସ୍ମୃତି ଏବଂ ୱେଷ୍ଟଇଣ୍ଡିଜକୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଛି । ମେରୁନ ରଙ୍ଗର ଜର୍ସି ପିନ୍ଧିବା, ଜାତୀୟ ସଙ୍ଗୀତ ପାଇଁ ଛିଡା ହେବା ଏବଂ ପ୍ରତିଥର ମୈଦାନରେ ଶତପ୍ରତିଶତ ଦେବା ମୋ ପାଇଁ କଣ ଏହାର ଅର୍ଥକୁ ଶବ୍ଦରେ ବୟାନ କରିବା ସମ୍ଭବ ନୁହେଁ । ଅଧିନାୟକ ହିସାବରେ ଟିମ୍ର ନେତୃତ୍ୱ ନେବା ମୋ ପାଇଁ ସର୍ବଦା ସମ୍ମାନର କଥା ହେବ । ଅତୁଟ ଭଲପାଇବା ଓ ଏ ଯାତ୍ରାରେ ମୋତେ ସମର୍ଥନ କରିଥିବାରୁ ମୋର ପରିବାର ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ । ୱେଷ୍ଟଇଣ୍ଡିଜ କ୍ରିକେଟ ପାଇଁ ମୋର ଭଲ ପାଇବା କେବେ କମ୍ ହେବ ନାହିଁ । ''
ଏହା ବି ପଢନ୍ତୁ...ମହେନ୍ଦ୍ର ସିଂହ ଧୋନୀଙ୍କୁ ମିଳିଲା ବଡ଼ ସମ୍ମାନ, ICC ହଲ୍ ଅଫ ଫେମ୍ରେ ସାମିଲ
୧୯୯୫ ଅକ୍ଟୋବର ୨ରେ ଜନ୍ମିତ ନିକୋଲସ୍ ୨୦୧୬ରେ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିଲେ । ଏହାର ୩ ବର୍ଷ ପରେ ୨୦୧୯ରେ ଦିନିକିଆରେ ପଦାର୍ପଣ କରିଥିଲେ । ସେ କେବେ ବି ଟେଷ୍ଟ କ୍ରିକେଟ ଖେଳି ନାହାନ୍ତି । ୱେଷ୍ଟଇଣ୍ଡିଜ ପାଇଁ ସେ ୬୧ଟି ଦିନିକିଆ, ୧୦୬ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ସେ ୱେଷ୍ଟଇଣ୍ଡିଜ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ବି ଥିଲେ । ଦିନିକିଆରେ ୧୯୮୩ ରନ୍ ଓ ଟି-ଟ୍ୱେଣ୍ଟିରେ ୨୨୭୫ ରନ୍ କରିଛନ୍ତି ।
ଦିନିକିଆରେ ୩ ଶତକ ଓ ୧୧ ଅର୍ଦ୍ଧଶତକ ତାଙ୍କ ନାମରେ ରହିଛି । ଟି-ଟ୍ୱେଣ୍ଟିରେ ୧୩ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି । ୨୦୨୪ ଡିସେମ୍ବର ୧୯ରେ ବାଂଲାଦେଶ ବିପକ୍ଷରେ ଟି-ଟ୍ୱେଣ୍ଟି ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଥିଲା । ଆଇପିଏଲ୍ରେ ସେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଟିମ୍ରେ ଅଛନ୍ତି । ଚଳିତ ସିଜନ୍ରେ ସେ ୫ ଶହରୁ ଅଧିକ ରନ୍ ସଂଗ୍ରହ କରିଥିଲେ । ଫ୍ରାଞ୍ଚାଇଜ୍ କ୍ରିକେଟରେ ବିସ୍ଫୋରଣ ବ୍ୟାଟିଂ ପାଇଁ ଜଣାଶୁଣା ନିକୋଲସ୍ ପୂରନ୍ ।