ପୋଲସରା, ୧୮/୧୦: ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ୍ ଓଡ଼ିଶାର ସହଯୋଗରେ ନବରଙ୍ଗପୁରରେ ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ "ମା ଦୂର୍ଗା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ" ରେ ଗଞ୍ଜାମ ଜିଲ୍ଲା ପକ୍ଷରୁ ପ୍ରତିନିଧିତ୍ୱ କରିବେ ପୋଲସରାର ଉଦୀୟମାନ ଖେଳାଳି ନିଗମାନନ୍ଦ ମହାରଣା ।
ପୋଲସରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ଶ୍ରେଣୀର ଛାତ୍ର ନିଗମାନନ୍ଦ ଜଣେ ଶିକ୍ଷକ ପରିବାରରୁ ଆସିଥିବା ପ୍ରତିଭାଶାଳୀ କ୍ରୀଡାପ୍ରେମୀ । ସେ ପୁରୁଷୋତ୍ତମପୁର ବ୍ଲକ ଭୀମପୁର ସ୍ଥିତ ଗୁପ୍ତେଶ୍ୱର ହାଇସ୍କୁଲର କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ମହାରଣା ଓ ଜଣେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟିତ୍ରୀ କୁନି ଦେବୀଙ୍କ ପୁଅ । ବ୍ୟାଡମିଣ୍ଟନ ପ୍ରତି ପିଲାଦିନରୁ ଦୁର୍ବଳତା ଥିବା ନିଗମାନନ୍ଦ ପୋଲସରାରେ ଥିବା ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମରେ ନିୟମିତ ଭାବରେ ପ୍ରଶିକ୍ଷଣ ନେଉଛନ୍ତି । ସେ ପ୍ରଥମେ ବ୍ଲକ ସ୍ତରରେ, ଏହାପରେ ଜୋନ ସ୍ତରୀୟ ଓ ଛତ୍ରପୁରରେ ଜିଲ୍ଲାସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ଯ ବିବେଚିତ ହୋଇଛନ୍ତି ।
ଅକ୍ଟୋବର ୧୭ ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ ହେଉଥିବା ଏହି ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ନିଜର କ୍ଷମତା ଓ ଦକ୍ଷତାକୁ ପ୍ରଦର୍ଶନ କରିବେ ନିଗମାନନ୍ଦ । ଯାହାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ, କ୍ରୀଡା କେନ୍ଦ୍ରର ସହ ପ୍ରତିଯୋଗୀ, ପ୍ରଶିକ୍ଷକ ପଦ୍ମଚରଣ ନନ୍ଦ, ପୋଲସରା ମିଡିଆ ହାଉସ, ପରିବାର ବର୍ଗ ଓ ଅଞ୍ଚଳବାସୀ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ନିଗମାନନ୍ଦଙ୍କ ଏହି ପ୍ରୟାସ ଅନ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରେରଣାଦାୟକ ହେବ ।