ଗୋପ ୦୫/୦୧: ଗୋପ ବଜାରରେ ଉଚ୍ଛେଦ। ଏକାଧିକ ଦୋକାନୀରେ ବୁଲିଲା ବୁଲଡୋଜର । ସରକାରୀ ଜାଗା ମାଡ଼ି ବସି ଦୋକାନ କରିଥିବାରୁ ଭାଙ୍ଗିଲା ପ୍ରଶାସନ। ଉଚ୍ଛେଦ ବେଳେ ନିମାପଡା ଡିଏସପି, ଗୋପ, କୋଣାର୍କ, ଚାରିଛକ ଏବଂ ନିମାପଡା ଥାନା ଅଧିକାରୀ, ଗୋପ ତହସିଦାରଙ୍କ ସମେତ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୪ଟି ଜେସିବି ଦ୍ୱାରା ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।ଦୋକାନ ଭଙ୍ଗା ପ୍ରକ୍ରିୟା ସରିବା ପରେ ୬୦ ଫୁଟିଆ ରାସ୍ତା ନିର୍ମାଣ କରାଯିବ ନେଇ ଗୋପ ପ୍ରଶାସନର ସୂଚନା।
ଶତାଧିକ ବ୍ୟବସାୟୀ ଦୀର୍ଘଦିନ ହେବ ଗୋପ ବଜାରରେ ଦୋକାନ କରି ପରିବାର ଗୁଜୁରାଣ ମେଣ୍ଟାଉ ଥିଲେ । ଅନେକ ଉଠା ଦୋକାନୀ ମଧ୍ୟ ଏହି ବଜାର ଉପରେ ନିର୍ଭର କରୁଥିଲେ । ବର୍ତ୍ତମାନ ପର୍ଯ୍ୟଟନ ଋତୁରେ ଗୋପ ବଜାର ଦେଇ ପ୍ରତିଦିନ ଶତାଧିକ ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଯାଉଛନ୍ତି । ଫେରିବା ବେଳେ ଗୋପ ବଜାର ଟ୍ରାଫିକ ଭିଡ଼ରେ ଘଣ୍ଟା ଘଣ୍ଟା ଫସୁଛନ୍ତି । ନାହିଁ ନଥିବା ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଗୋପ ତହସିଲ୍ ପ୍ରଶାସନ ଏକ ମାସ ପୂର୍ବରୁ ମାପଚୁପ କରି ସରକାରୀ ଜାଗାରେ ଥିବା ଦୋକାନଗୁଡ଼ିକୁ ଉଚ୍ଛେଦ ଲାଗି ନୋଟିସ୍ କରିଥିଲେ। ଜାଗା ମାପଚୁପ୍ ପରେ ଡାକବାଜି ଯନ୍ତ୍ର ଦ୍ବାରା ଉଚ୍ଛେଦ ପାଇଁ ପ୍ରଚାର କରାଯାଇଥିଲା। ଉଚ୍ଛେଦରେ ପାଖାପାଖି ୫ ଶହରୁ ଅଧିକ ଦୋକାନୀ ପ୍ରଭାବିତ ହେବେ ବୋଲି ସୂଚନା ମିଳିଛି।
ଆଜି ଗୋପ-କୋଣାର୍କ, ଗୋପ-ଚାରିଛକ, ଗୋପ-ବାଲିଘାଇ ଓ ଗୋପ-ନିମାପଡ଼ା ରାସ୍ତାର ଦୁଇ ପାର୍ଶ୍ବ ଅନେକ ଉଠା ଦୋକାନୀ ଓ ବ୍ୟବସାୟୀ ସରକାରୀ ଜାଗାରେ ଦୋକାନ କରିଥିଲେ । ଉଚ୍ଛେଦ ପରେ ସେମାନେ କିପରି ପରିବାର ଚଳାଇବେ ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ପ୍ରଶାସନ ପକ୍ଷରୁ ତୁରନ୍ତ ଥଇଥାନ କରିବାକୁ ବ୍ୟବସାୟୀ ସଂଘ ଦାବି କରିଛି ।
ସୂଚନାଯୋଗ୍ୟ, ପୂର୍ବରୁ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ସ୍ଥାନକୁ ପ୍ରଶାସନ ଚିହ୍ନଟ କରି ସେଠାରେ ଜବରଦଖଲ ଭଙ୍ଗା ଯାଇଥିଲା । ଏହାଦ୍ୱାରା ଅନେକ ବ୍ୟବସାୟୀ ଜୀବିକା ହରାଇ ଥିଲେ । ଏ ପର୍ଯ୍ୟନ୍ତ ସେମାନଙ୍କୁ ଥଇଥାନ କରାଯାଇନି ।