କଟକ,୩୦/୧୨: ଚୌଦ୍ୱାର ଜେଲରେ ସଜା କାଟୁଥିବା କଏଦୀ ସ୍ୱତନ୍ତ୍ର ଅନୁମତି ବା ପାରୋଲ୍‌ରେ ସାମୟିକ ଭାବେ ମୁକୁଳି ଘରକୁ ଗଲେ । ମାତ୍ର ନିର୍ଦ୍ଧାରିତ ପାରୋଲ୍ ସମୟ ପରେ ଆଉ ଜେଲ୍କୁ ଫେରିଲେନି । ମାସେ କି ଦୁଇ ମାସ, କି ବର୍ଷେ ନୁହେଁ³ ଗଲା ୨୫ ବର୍ଷ ହେବ ସଂପୃକ୍ତ କଏଦୀ ଜେଲ୍କୁ ଫେରି ନାହାନ୍ତି । ଗୁରୁତ୍ୱପୂର୍ଣ୍ଣ ହେଉଛି ଏଭଳି ୯ ଜଣ କଏଦୀ ଅଢ଼େଇ ଦଶନ୍ଧି ହେବ ଫେରାର୍ ଥିବାବେଳେ ଜେଲ୍ କର୍ତ୍ତୃପକ୍ଷ ବି ସେମାନଙ୍କୁ ଠିକ୍ ଢଙ୍ଗରେ ଖୋଜାଲୋଡ଼ା କରି ନାହାନ୍ତି ।

ଚୌଦ୍ୱାର ସର୍କଲ୍ ଜେଲ୍ କର୍ତ୍ତୃପକ୍ଷଙ୍କ ଏଭଳି ଖାମ୍‌ଖିଆଲ କାରବାର ଓ ଚରମ ଅବହେଳା ଏବେ ପଦାକୁ ଆସିଛି । ବିଭାଗର କିଛି ବରିଷ୍ଠ ଅଧିକାରୀ ଏନେଇ ଖୋଳତାଡ଼ କରିବାରୁ ଜେଲ୍ ଅଧୀକ୍ଷକଚୌଦ୍ୱାର ଥାନାରେ ସମସ୍ତ ଫେରାର୍ କଏଦୀଙ୍କ ନାଁରେ ଏତଲା ଦେଇଛନ୍ତି । ଚୌଦ୍ୱାର ଥାନା ପୁଲିସ ଜିରୋ ଏଫ୍ଆଇଆର୍ କରି କଏଦୀଙ୍କ ବାସସ୍ଥାନ ନିକଟସ୍ଥ ସଂପୃକ୍ତ ଥାନାକୁ ମାମଲା ସ୍ଥାନାନ୍ତର କରିଛି ।

ପୂର୍ବରୁ ଚାଉଳିଆଗଞ୍ଜ ଥାନା ଓ ଏବେକାର ସିଆର୍ଆର୍ଆଇ ଥାନା ଅଞ୍ଚଳର ସୁମନ୍ତ ଦଳାଇ ଚୌଦ୍ୱାର ଜେଲ୍ରେ ସଜା କାଟୁଥିଲା । ୨୦୦୨ ମସିହା ଜୁଲାଇ ମାସରେ ୫ ଦିନ ପାଇଁ ସ୍ୱତନ୍ତ୍ର ଅନୁମତି ନେଇ ସେ ଘରକୁ ଆସିଲା । ୫ ଦିନ ପରେ ଜେଲ୍ରେ ହାଜର ହେବା କଥା, ହେଲେ ସେ ଫେରିଲାନି । ସେହିପରି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅଞ୍ଚଳର କାଳିଆ ଓରଫ କାଳନ୍ଦୀ ରାଉତ ୨୦୦୩ ଏପ୍ରିଲ୍ ମାସରେ ୫ ଦିନ ପାଇଁ ସ୍ୱତନ୍ତ୍ର ଅନୁମତି ବା ପାରୋଲ୍ରେ ଘରକୁ ଯାଇଥିଲା । ହେଲେ ମଧ୍ୟ ୫ ଦିନ ପରେ ଆଉ ଜେଲ୍କୁ ଫେରିଲାନି । ତେବେ ସୁମନ୍ତ ଦଳେଇ ୨୦୦୨ରୁ ଓ କାଳନ୍ଦୀ ରାଉତ ୨୦୦୩ରୁ ଏଯାବତ ଜେଲ୍‌କୁ ଫେରିନାହାନ୍ତି । ଖାଲି ଏହି ଦୁଇ ଜଣ ନୁହନ୍ତି ନୟାଗଡ଼ ଟାଉନ୍ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ୧୯୯୯ ମସିହାରୁ, କଟକ ଜଗତପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ୧୯୯୯ ମସିହାରୁ ଓ ଅନ୍ୟ ଜଣେ ୨୦୦୧ ମସିହାରୁ, କେନ୍ଦ୍ରାପଡ଼ା ରାଜନଗର ଥାନା ଅଞ୍ଚଳର ଜଣେ ବ୍ୟକ୍ତି ୨୦୦୨ ମସିହାରୁ, କଟକ ମାହାଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତି ୨୦୦୦ ମସିହାରୁ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳର ଜଣେ ବ୍ୟକ୍ତି ୨୦୦୨ ମସିହାରୁ ଓ କୁଆଖିଆ ଥାନା ଅଞ୍ଚଳର ଜଣେ ବ୍ୟକ୍ତି ୨୦୦୩ ମସିହାରୁ ପାରୋଲ୍ରେ ଯାଇ ଫେରିନାହାନ୍ତି ।

ଏହି କଏଦୀମାନେ ଜେଲ୍‌ରୁ ନଫେରିବାରୁ ଜେଲ୍ କର୍ତ୍ତୃପକ୍ଷ ସ୍ଥାନୀୟ ଥାନାକୁ ଏନେଇ ଚିଠି ଲେଖି ଅବଗତ କରିଥିଲେ । କିଛି ଘଟଣାରେ ଜିଲ୍ଲା ପୁଲିସ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା । ହେଲେ କୌଣସି ଘଟଣାରେ କଏଦୀଙ୍କର କ’ଣ ସ୍ଥିତି ତାହା ଜେଲ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଗଲା ନାହିଁ । ଆଉ ଆଶ୍ଚର୍ଯ୍ୟର ବିଷୟ, ଦୀର୍ଘ ଅଢ଼େଇ ଦଶନ୍ଧି ହେବ ସେହି କଏଦୀମାନେ ଜେଲ୍ରୁ ଫେରାର ଥିବା ବେଳେ ସେମାନଙ୍କ ବିରୋଧରେ ଜେଲ୍ କର୍ତ୍ତୃପକ୍ଷ କୌଣସି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଘଟଣା ନେଇ ଥାନାରେ ଏତଲା ଦିଆଯାଇନି କିମ୍ବା କୋର୍ଟକୁ ମଧ୍ୟ ଅବଗତ କରାଯାଇନି । ଯଦି ସଂପୃକ୍ତ କଏଦୀ ଏବେ ଜେଲ୍‌ ଥାଆନ୍ତେ ତାହେଲେ ପ୍ରାୟ ସବୁ କଏଦୀଙ୍କର ସଜା ପୂରଣ ହୋଇସାରନ୍ତାଣି ।

ଆଉ ଏତେ ଦିନ ହେବ ଜେଲ୍ କର୍ତ୍ତୃପକ୍ଷ ଚୁପ୍ ହୋଇ ବସିବା ପୂରା ଜେଲ୍ ବିଭାଗକୁ କାଠଗଡ଼ାରେ ଛିଡ଼ା କରିଛି । ଜଣେ କି ଦୁଇ ଜଣ ନୁହନ୍ତି ସମାନ ଢଙ୍ଗରେ ୯ ଜଣ କଏଦୀ ପୂରା ଗାଏବ ହୋଇଯିବା ଘଟଣାକୁ ଚୌଦ୍ୱାର ଜେଲ୍ କର୍ତ୍ତୃପକ୍ଷ ଘଣ୍ଟ ଘୋଡ଼ାଇ ରଖିଥିଲେ । କିଛି ଦିନ ପୂର୍ବରୁ ବିଭାଗର କିଛି ବରିଷ୍ଠ ଅଧିକାରୀ ତନାଘନା କରିବା ପରେ ଗତ ୨୭ ତାରିଖ ଦିନ ଚୌଦ୍ୱାର୍ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳ ଚୌଦ୍ୱାର ଥାନାରେ ଏତଲା ଦାଏର କରିଛନ୍ତି । ପୁଲିସ ଏହି ଏତଲା ପାଇ ସଂପୃକ୍ତ ଅଞ୍ଚଳର ଥାନାକୁ ପଠାଇଛି । ସଂପୃକ୍ତ ଅଞ୍ଚଳର ଥାନା ମଧ୍ୟ ମାମଲା ରୁଜୁ କରି ତନାଘନା କରୁଥିବା ସୂଚନା ମିଳିଛି ।