ଭୁବନେଶ୍ବର, ୨୬/୦୧: ମୃତ୍ୟୁ ନିୟତିର ନିଷ୍ଠୁର ସତ୍ୟ । ବେଳେ ବେଳେ ବିଶ୍ବାସ ହୁଏ ନାହିଁ । ହେଲେ ଏହାକୁ ମାନିବାକୁ ପଡ଼ିବ । କାରଣ ଜୀବନ ଅଛି ମାନେ ମୃତ୍ୟୁ ନିଶ୍ଚିତ । ଏଇ ଯେମିତି ବିଶିଷ୍ଠ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁନାହାନ୍ତି ତାଙ୍କ ବନ୍ଧୁ ତଥା ଗୀତିକାର ନିର୍ମଳ ନାୟକ । ଅଭିଜିତଙ୍କ ଆବର୍ତ୍ତମାନକୁ ତିରିଶ ଘଣ୍ଟା ବିତି ଗଲା ପରେ ସେ ନିଜ ଫେସବୁକ୍ ପେଜରେ ଭାବବିହ୍ବଳ ଭରା ପୋଷ୍ଟ କରିଛନ୍ତି । ନିର୍ମଳ ନାୟକ ଲେଖିଛନ୍ତି, 'ତମେ ଆଉ ନାହଁ, ଏହା ବିଶ୍ବାସ ହେଉନି । ସେଥିପାଇଁ କିଛି ପୋଷ୍ଟ କରିନଥିଲି । ହେଲେ ଏବେ ଧୀରେ ଧୀରେ ବିଶ୍ୱାସ କରିବାକୁ ବାଧ୍ୟ ହେଉଛି । କାହିଁକିନା ଏଇଟା ହେଉଛି ଜୀବନର ଚରମ ସତ୍ୟ ।'
'ମନେ ପଡୁଛି ଅଭିଜିତ୍ ? ତମର ମୋର ଦେଖା ସାକ୍ଷାତ୍ ହେଇଥିଲା ୧୯୮୮ ମସିହା ଡିସେମ୍ବର ମାସରେ । ତମ ସାନଭାଇ ମନୋଜିତ୍ ମଜୁମଦାର (ମନୁ) ମୋ ସହିତ ଡ୍ରାମା କରୁଥିଲେ। ସେତେବେଳେ ମୁଁ ଡ୍ରାମା ରାଇଟର୍ ସହିତ ରେଡିଓରେ ଗୀତ ଲେଖିବା ଆରମ୍ଭ କରିଥିଲି । ମାନୁ ମୋତେ ମାମୁ ଡାକୁଥିଲେ । ତୁମ ସହିତ ମୋର ପରିଚୟ କରେଇଥିଲେ। ତାଙ୍କ ଦେଖାସିଖାରେ ତୁମେ ମତେ ମାମୁଁ ଡାକିବା ଆରମ୍ଭ କଲ। ତୁମେ ମେଲୋଡିରେ ଗୀତ ଗାଉଥିଲ। ତୁମର ମୋର ସମ୍ପର୍କ ଆରମ୍ଭ ହେଲା ପରେ ମୁଁ ଡ୍ରାମା ଛାଡ଼ି ସଙ୍ଗୀତ ଆଡ଼କୁ ଟାଣି ହେଇଆସିଲି । ଆଉ ସବୁଦିନ ପାଇଁ ତୁମେ ମୋ ସହିତ ଯୋଡି ହେଇଗଲ । ରେଡିଓ ପାଇଁ ଗୀତ ତିଆରି କଲେ , ବହୁତ୍ ପ୍ରୋଗ୍ରମ୍ କଲେ ୧୯୯୦ ମସିହାରେ ତୁମେ ମତେ କହିଲ ଗୋଟେ ସମ୍ବଲପୁରୀ କ୍ୟାସେଟ୍ ତିଆରି କରିବା । ପ୍ରଥମେ ମନା କରୁଥିଲି ତାପରେ ରାଜି ହେଲି । ତା’ପରେ ଆମେ "ଧସ୍-କିଗଲା" କ୍ୟାସେଟ୍ ତିଆରି କଲେ । ସବୁ ଗୀତ ମୁଁ ଲେଖିଥିଲି ସବୁ ଗୀତ ତମେ ଗାଇଥିଲ। କ୍ୟାସେଟ୍ ଟି ସୁପର୍ ଡୁପର୍ ହିଟ୍ ହେଲା । ତା’ପରେ ତୁମେ ଗଣିତ ଅଧ୍ୟାପକ ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କଲ । ମୁଁ ହୋମିଓପାଥି ଡିଗ୍ରୀ Complete କରି କ୍ଲିନିକ୍ ଖୋଲିଲି । ବାହା ସାହା ହେଇ ସଂସାର କଲେ । ପରେ ଦୁଇ ମାମୁଁ ଭଣଜା ସଙ୍ଗୀତ ମାୟାରେ ଏମିତି ପଡ଼ିଲେ ଯେ ତୁମେ ପରିବାର ଧରି କଟକ ପଳେଇ ଆସିଲ ।'
'ବର୍ଷେ ପରେ ମୁଁ ପରିବାର ଛାଡ଼ି କଟକ ପଳେଇ ଆସିଲି । ଆରମ୍ଭ ହେଲା ଦୁଇ ଜଣକ ଜୀବନର ନୂଆ ଅଧ୍ୟାୟ । ଅନେକ ସଂଘର୍ଷ ପରେ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ପାଦ ଥାପିଲେ । ଅନେକ ଗୁଡ଼ିଏ କ୍ୟାସେଟରେ କାମ କଲେ ସେଗୁଡିକ ଫ୍ଲପ୍ ହେଲା । ତା’ପରେ ମା’ ତାରିଣୀଙ୍କ ଦୟାରୁ ଆମ ଦୁଇଜଣଙ୍କ ଗୋଟେ ଗୀତ "ନଡ଼ିଆରେ ଲାଗିଥାଉ କତା" ସୁପର୍ ଡୁପର୍ ହିଟ୍ ହେଲା । ସେଇଦିନଠୁ ଆମେ ଦୁଇଜଣ ପଛକୁ ଚାହିଁଲେ ନାହିଁ । ୧୯୮୮ ମସିହାରେ ତମେ "କାଶିଆ କପିଳା "ସିନେମାରେ ସଙ୍ଗୀତ ଦେଲ, ମୁଁ ଗୀତ ଲେଖିଲି । ତା’ପରେ ଆଲବମ୍ ସଂଖ୍ୟା ସିନେମା ସଂଖ୍ୟା ବଢ଼ି ଚାଲିଲା । ୩୦୦୦ ଆଲବମ୍, ୧୦୦ ପାଖାପାଖି ସିନେମାରେ ଦୁହେଁ ଏକାଠି କାମ କରିଛେ । ଭୋକ ଉପାସରେ କଟକରେ ପଡ଼ି ରହିଛେ। ମା’ ଝାଞ୍ଜିରୀ ମଙ୍ଗଳାଙ୍କ ଦୟାରୁ ସବୁଥିରେ ସଫଳ ହେଇଛେ, ଆଉ ନିଜ ଗୋଡ଼ରେ ନିଜେ ଠିଆ ହେଇଛେ । କଟକରେ ରହିବାର ୩୦ବର୍ଷ ଭିତରେ ଏମିତି ଗୋଟେ ଦିନ ନାହିଁ ଯୋଉ ଦିନ ଦୁହେଁ ଦୁହିଁଙ୍କୁ ଛାଡ଼ିକି ରହିଛେ । ସବୁଦିନ ସକାଳୁ ତମ ଫୋନ୍ କଲ୍ ମୋ ପାଖକୁ ଆସୁଥଲା, ନହେଲେ ମୋ ଫୋନ୍ କଲ୍ ତମ ପାଖକୁ ଯାଉଥିଲା ।'
'ଆମେ ଆମ ପରିବାରକୁ ଯେତିକି ସମୟ ନ ଦେଇଛେ, ପରସ୍ପରକୁ ସେତିକି ସମୟ ଦେଇଛେ଼। ହେଲେ ଆଜି ହଠାତ୍ ତୁମେ ଏତେ ସ୍ୱାର୍ଥପର କେମିତି ହେଇଗଲ ? ମତେ ଏକା କରି ଚାଲିଗଲ? ନିର୍ମଳ ନାୟକରୁ ମୁଁ ତୁମ ପାଇଁ ଇଣ୍ଡଷ୍ଟ୍ରିରେ ମାମୁ ବୋଲି ସମ୍ବୋଧନ ପାଇଲି, ହେଲେ ଆଜି କ’ଣ ଏଇଦିନ ଦେଖିବାକୁ ? ଏଇ ୩୫ ବର୍ଷରେ ତୁମ ମୋ ଭିତରେ କେତେ ମିଠା ସ୍ମୃତି, କେତେ ମିଛି କିଛି ରାଗ ଅଭିମାନ । ତା’ ସହିତ ଭଲରେ ମନ୍ଦରେ ଦୁଇଜଣ ଦୁଇଜଣଙ୍କୁ ଆକଟିଛେ । ସବୁ ଏ ଜନ୍ମରେ ସରିଗଲା । ଭାବିଲେ ଭାରି କଷ୍ଟ ଲାଗୁଛି । ମାତ୍ର ଆଜି ମା’ ଝାଞ୍ଜିରି ମଙ୍ଗଳାଙ୍କୁ ପ୍ରାର୍ଥନା କରୁଛି ତୁମେ ଯୋଉଠି ଅଛ ଭଲରେ ଥାଅ। ଈଶ୍ୱର ତୁମ ଆତ୍ମକୁ ଶାନ୍ତି ଦିଅନ୍ତୁ' । ହେଲେ ମୁଁ ଯେତେଦିନ ଯାଏ ବଞ୍ଚିଥିବି, ମୋ ପ୍ରତି ନିଃଶ୍ୱାସରେ ତୁମକୁ ପାଉଥିବି ବୋଲି ଫେସବୁକରେ ଲେଖିଛନ୍ତି ବିଶିଷ୍ଟ ଗୀତିକାର ନିର୍ମଳ ନାୟକ ।
ଅଭିଜିତ ମଜୁମଦାର୍ ଅମର ରହେ ..