ମୁମ୍ବାଇ ୦୭/୧୧: ନିତେଶ ତିୱାରୀଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ରାମାୟଣ’କୁ ନେଇ ଔପଚାରିକ ଘୋଷଣା ହୋଇଛି । ଫିଲ୍ମଟି ଦୁଇ ଭାଗରେ ମୁକ୍ତିଲାଭ କରିବ। ପ୍ରଥମ ଭାଗ ୨୦୨୬ ମସିହା ଓ ୨ୟ ଭାଗ ୨୦୨୭ ଦୀପାବଳି ଅବସରରେ ମୁକ୍ତିଲାଭ କରିବ । ଫିଲ୍ମରେ ଶ୍ରୀରାମ ଭୂମିକାରେ ଅଭିନୟ କରିଛନ୍ତି ରଣବୀର କପୁର । ସୀତା ଭୂମିକାରେ ନଜର ଆସିବେ ସାଈ ପଲ୍ଲବୀ । ରାବଣ ଭୂମିକା ନିର୍ବାହ କରିଛନ୍ତି କେଜିଏଫ୍ ଷ୍ଟାର୍ ୟଶ।
ଫିଲ୍ମର ପ୍ରଥମ ପୋଷ୍ଟର୍ ଶେୟାର କରି ପ୍ରଯୋଜକ ନମିଲ ମଲହୋତ୍ରା ଲେଖିଛନ୍ତି ‘ମୁଁ ଏହି ମହାକାବ୍ୟକୁ ବଡ଼ ପରଦାକୁ ଆଣିବା ପାଇଁ ଏକ ମହାନ ଅନ୍ୱେଷଣ ଆରମ୍ଭ କରିଥିଲି । ଏହା ୫୦୦୦ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରିଛି । ମୁଁ ଏହାକୁ ସୁନ୍ଦର ଆକାର ଦେବା ନେଇ ଖୁବ୍ ରୋମାଞ୍ଚିତ । ଆମ ଟିମ୍ର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆମ ଇତିହାସ, ଆମ ସତ୍ୟ ଓ ଆମ ସଂସ୍କୃତି- ଆମ ରାମାୟଣର ସବୁଠୁ ପ୍ରାମାଣିକ ଓ ପବିତ୍ର ରୂପ ବିଶ୍ୱବାସୀଙ୍କ ସାମ୍ନାରେ ଉପସ୍ଥାପନ କରିବା । ଆମ ସହ ଯୋଡ଼ିହୁଅନ୍ତୁ । କାରଣ ଆମେ ଆମ ମହାନତମ ମହାକାବ୍ୟକୁ ଗର୍ବ ଓ ଶ୍ରଦ୍ଧାର ସହ ଜୀବନ୍ତ କରିବାର ସ୍ୱପ୍ନକୁ ପୂରଣ କରୁଛୁ ।’
ନିକଟରେ ୟଶ୍ ଦ ହଲିଉଡ୍ ରିପୋର୍ଟର୍ ସହ ସାକ୍ଷାତକାରରେ ରାବଣ ଭୂମିକା ନିର୍ବାହ କରିବା ବିଷୟରେ ସ୍ପଷ୍ଟ କରିଥିଲେ । ୫୦୦ କୋଟିରୁ ଅଧିକ ବଜେଟ୍ରେ ନିର୍ମାଣ ହେଉଥିବା ଏହି ଫିଲ୍ମ ହିନ୍ଦୀ, ତାମିଲ, ତେଲୁଗୁ ସମେତ ଅନେକ ଭାଷାରେ ରିଲିଜ୍ ହେବ । ଏହାର ଭିଏଫ୍ଏକ୍ସରେ ଓସ୍କାର ବିଜେତା କମ୍ପାନି ଡିଏନ୍ଇଜି କାମ କରିବ । ସଙ୍ଗୀତ ଓ ମୂଳ ସ୍କୋର ଉପରେ ହାନ୍ସ ଜିମର ଓ ଏଆର୍ ରହମାନଙ୍କ ଭଳି ଓସ୍କାର ବିଜେତା କଳାକାର କାମ କରୁଛନ୍ତି।