ଭୁବନେଶ୍ୱର, ୩୧।୧୨: ଫେବ୍ରୁଆରୀ ୧ରେ ହେବ ଏନ୍‌ଏମ୍‌ଏମ୍‌ଏସ୍‌ ପରୀକ୍ଷା । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ (ଏସ୍‌ସିଇଆରଟି) ପରିଚାଳିତ ଜାତୀୟ ଆୟ ଭିତ୍ତିକ ମେଧାବୃତ୍ତି ପରୀକ୍ଷା (ଏନ୍‌ଏମ୍‌ଏମ୍‌ଏସ୍‌) ଆସନ୍ତା ଫେବ୍ରୁଆରୀ ୧ ତାରିଖରେ ହେବ । ଏନେଇ ଏସ୍‌ସିଇଆରଟି ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି । ଏନ୍‌ଏମ୍‌ଏମ୍‌ଏସ୍‌ ୨୦୨୫-୨୬ ପାଇଁ ଡିସେମ୍ବର ୭ ତାରିଖକୁ ଚୂଡ଼ାନ୍ତ ହୋଇଥିଲା । ହେଲେ ଆଡମିଟ୍‌ କାର୍ଡ ଡାଉନଲୋଡ ସମୟରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିନଥିଲେ । ଓଏଭିରେ ପଢ଼ୁଥିବା ପିଲାଙ୍କୁ ଏହି ପରୀକ୍ଷା ଦେବାରୁ ବଞ୍ଚିତ ହେବା ନେଇ ଖବର ଆସିବାରୁ କୋର୍ଟରେ ମାମଲା ପହଞ୍ଚିଥିଲା । ଏହାପରେ ପରୀକ୍ଷା ସ୍ଥଗିତ ହୋଇଥିଲା ।  

ତେବେ କୋର୍ଟରେ ମାମଲା ଥିବାରୁ ଏସ୍‌ସିଇଆରଟି ଜାନୁଆରୀ ମାସରେ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ, ମାମଲା ତୁଟି ନଥିବାରୁ ପୁଣି ପରୀକ୍ଷା ସ୍ଥଗିତ ହୋଇଛି । ତେବେ ଏସ୍‌ସିଇଆରଟି ପକ୍ଷରୁ ଫେବ୍ରୁଆରୀ ମାସରେ ପରୀକ୍ଷା କରିବାକୁ ପୁଣି ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ୩୩୧୪ଟି ଜାତୀୟ ଆୟା ଭିତ୍ତିକ ମେଧା ବୃତ୍ତି ଦିଆଯିବ । ଏହା କେବଳ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଅଣଆବାସିକ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି । କିନ୍ତୁ, ଓଏଭି ଆବାସିକ ସ୍କୁଲ ହୋଇଥିବାରୁ ଓଏଭି ପିଲାଙ୍କୁ ପରୀକ୍ଷାରୁ ବଞ୍ଚିତ କରିବାକୁ ନିଷ୍ପତ୍ତି ନେଇଛି ଏସ୍‌ସିଇଆରଟି । ଜଣେ ଅଧିକାରୀ କହିଛନ୍ତି, କୋର୍ଟରେ ମାମଲା ଯଦି ସମାଧାନ ହୁଏ ତେବେ ଧାର୍ଯ୍ୟ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ ।