ନୂଆଦିଲ୍ଲୀ,୨୩।୭: ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇ ବର୍ଷ ତଳ ପୁରୁଣା ଗାଇଡଲାଇନ୍କ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଭାରତୀୟ ଦଣ୍ଡ ସଂହିତା (ବିଏନ୍ଏସ)ର ଧାରା 498A ଅନ୍ତର୍ଗତ ରୁଜୁ ହୋଇଥିବା ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ଗିରଫ କରିପାରିବନି। କୋର୍ଟ କହିଛନ୍ତି ଯେତେବେଳେ କୌଣସି ମହିଳା ନିଜ ଶାଶୁଘର ଲୋକଙ୍କ ବିରୋଧରେ 498A ଅନ୍ତର୍ଗତ ଘରୋଇ ହିଂସା କିମ୍ବା ଯୌତୁକ ନିର୍ଯାତନା ମାମଲା ରୁଜୁ କରନ୍ତି, ତେବେ ପୋଲିସ ତାଙ୍କ ସ୍ବାମୀ କିମ୍ବା ସମ୍ପର୍କୀୟଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ଗିରଫ କରିବନି। କୋର୍ଟ ଦୁଇ ମାସର ସମୟକୁ କୁଲିଂ ପିରିୟଡ ବା ଶାନ୍ତିର ସମୟସୀମା ବୋଲି କହିଛନ୍ତି। ସୁପ୍ରିମକୋର୍ଟ ମଙ୍ଗଳବାର ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କ ସହ ଜଡିତ ମାମଲାର ଶୁଣାଣି ବେଳେ ଏହି ନିର୍ଦେଶ ଦେଇଛନ୍ତି। କୋର୍ଟ ସେହି ମହିଳା ଅଧିକାରୀଙ୍କୁ ତାଙ୍କ ସ୍ବାମୀ ଏବଂ ସମ୍ପର୍କୀୟଙ୍କୁ ନିର୍ଯାତନା ପାଇଁ ଖବର କାଗଜରେ କ୍ଷମା ପ୍ରାର୍ଥନା କରିବାକୁ ନିର୍ଦେଶ ଦେଇଛନ୍ତି।

ଆହ୍ଲାବାଦ ହାଇକୋର୍ଟ ୨୦୨୨ ର ଗାଇଡଲାଇ ଅନୁସାରେ, ମାମଲା ରୁଜୁ ହେବାର ଦୁଇ ମାସ ପର୍ଯ୍ୟନ୍ତ ଶାନ୍ତି ସମୟସୀମା ଦିଆଯାଇଥିଲା। ଏହି ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ରୋକିଥିଲା। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ, ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ଧାରା 498A ଅନୁସାରେ, ରୁଜୁ ମାମଲାକୁ ପୂର୍ବ ସମ୍ପର୍କିତ ଜିଲ୍ଲାର ପରିବାର କଲ୍ୟାଣ କମିଟି(ଏଫ୍ଡବ୍ଲ୍ୟୁସି)କୁ ସମାଧାନ ପାଇଁ ପଠାଯିବା ଦରକାର। ଏହି ସମୟରେ ଅର୍ଥାତ ପ୍ରଥମ ଦୁଇ ମାସ ପର୍ଯ୍ୟନ୍ତ ପୋଲିସ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବନି। ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର ଗଭଇ ଓ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ମଙ୍ଗଳବାର ଏହି ଗାଇଡଲାଇନକୁ ପୁରା ଭାରତରେ ଲାଗୁ କରିବାକୁ ନିର୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ନିର୍ଦେଶରେ କହିଛନ୍ତି, ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ୧୩ ଜୁନ୍ ୨୦୨୨ ରେ କ୍ରିମିନାଲ ରିଭଜନ୍ ନମ୍ବର୧୧୨୬/୨୦୨୨ର ବିବାଦୀୟ ରାୟରେ ଅନୁଚ୍ଛେଦ ୩୨ରୁ ୩୮ ପର୍ଯ୍ୟନ୍ତ ଆଇପିସିର ଧାରା 498A ର ଅପବ୍ୟବହାର ରୋକିବା ପାଇଁ ପରିବାର କଲ୍ୟାଣ କମିଟି ଗଠନ ସମ୍ପର୍କରେ ପ୍ରସ୍ତୁତ କରାଯାଇଥିବା ଗାଇଡଳାଇନ୍ ପ୍ରଭାବଶାଳୀ ରହିବ ଓ ଉପଯୁକ୍ତ ଅଧିକାରୀଙ୍କ ଦ୍ବାରା ବଳବତ୍ତର ରହିବ। ଏହା ସହ ତାକୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବ।’ ରିପୋର୍ଟ ଅନୁସାରେ, ଆହ୍ଲାବାଦ ହାଇକୋର୍ଟ ଦ୍ବାରା ଜାରି ଏହି ଗାଇଡଲାଇନ୍ ୨୦୧୭ ରେ ରାଜେଶ ଶର୍ମା ବନାମ ଉତ୍ତର ପ୍ରଦେଶ ରାଜ୍ୟ ଏବଂ ଅନ୍ୟ ମାମଲାରେ ଦିଆଯାଇଥିବା ନିଷ୍ପତ୍ତି ଉପରେ ଆଧାରିତ।