ନୂଆଦିଲ୍ଲୀ,୧୦/୦୨; ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଅନସ୍ଥା ପ୍ରସ୍ତାବ ଆଣିଛନ୍ତି । ନିୟମ ୯୪(ଗ) ଅନୁଯାୟୀ ଅନାସ୍ଥା ପ୍ରସ୍ତାବର ନୋଟିସ୍ ଦେଇଛନ୍ତି । କଂଗ୍ରେସ, ସପା, ବାମପନ୍ଥୀ, ଆରଜେଡି ସମେତ ପ୍ରାୟ ସମସ୍ତ ବିରୋଧୀ ଦଳର ୧୧୮ ଜଣ ସାଂସଦ ଏହି ଅନାସ୍ଥା ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି । ହେଲେ ଟିଏମସି ଏଥିରେ ଓହରିଛି । ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ବାଚସ୍ପତି ଗୃହର କାର୍ଯ୍ୟରେ ପକ୍ଷପାତିତା ମନୋଭାବ ପୋଷଣ କରି ବିରୋଧୀଙ୍କ ସ୍ୱରକୁ ଦମନ କରୁଛନ୍ତି । ବିରୋଧୀ ଅନାସ୍ଥା ପ୍ରସ୍ତାବର ନୋଟିସ୍ ଲୋକସଭା ମହାସଚିବଙ୍କୁ ପ୍ରଦାନ କରିଛନ୍ତି । ନିଜ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନୋଟିସର ତୁରନ୍ତ ଯାଞ୍ଚ କରିବାକୁ ସଚିବାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ଓମ୍ ବିର୍ଲା । ନୋଟିସ୍ତୁ ପରୀକ୍ଷା କରନ୍ତୁ ଏବଂ ତ୍ୱରାନ୍ୱିତ କରନ୍ତୁ ବୋଲି ନିଜେ କହିଛନ୍ତି ବାଚସ୍ପତି ।
ପଦକ୍ଷେପ କାହିଁକି ନିଆଗଲା ? କଂଗ୍ରେସ ସାଂସଦ ସୁରେଶ କୋଡିକୁନିଲ, ଗୌରବ ଗୋଗୋଇ, ମହମ୍ମଦ ଜାଭେଦ ନୋଟିସ୍ ଦେବା ପାଇଁ ଲୋକସଭା ମହାସଚିବଙ୍କ ନିକଟରେ ପହଞ୍ଚିଥିଲେ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି, ବାଚସ୍ପତି ମିଛ ବିବୃତି ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେହି ବିରୋଧ କରିବା ଅବା ନକରିବାର ପ୍ରଶ୍ନ ଉଠୁନି । ବାଚସ୍ପତିଙ୍କ ଉପରେ ସରକାରଙ୍କ ଚାପ ରହିଛି । ତେଣୁ ସେ ଏପରି କହିଥିଲେ କାରଣ ପ୍ରଧାନମନ୍ତ୍ରୀ ମୋଦି ସେହି ଦିନ ଗୃହକୁ ଆସିବାକୁ ସାହସ କରି ନଥିଲେ । ତେଣୁ, ବାଚସ୍ପତି ଏକ ଭୁଏ୍ ସ୍ପଷ୍ଟୀକରଣ ଦେଇଥିଲେ । ଲୋକସଭା ବାଚସ୍ପତିଙ୍କୁ ବହିଷ୍କାର କରିବା ପ୍ରକ୍ରିୟାରେ ସଂସଦ ନିୟମ ଅନୁସାରେ ସମ୍ବିଧାନର ଧାରା ୯୪ ଏବଂ ଲୋକସଭାର କାର୍ଯ୍ୟପଦ୍ଧତି ଏବଂ କାର୍ଯ୍ୟ ନିୟମର ଧାରା ୨୦୦ ଦ୍ୱାରା ନିୟନ୍ତ୍ରିତ ହୁଏ । ବାଚସ୍ପତି କିମ୍ବା ଡେପୁଟି ବାଚସ୍ପତିଙ୍କ ବହିଷ୍କାର ପାଇଁ ପ୍ରସ୍ତାବର ନୋଟିସ ଦେବାକୁ ଚାହୁଁଥିବା ସଦସ୍ୟ ଏପରି ପ୍ରସ୍ତାବର ସମ୍ପୂର୍ଣ୍ଣ ପାଠ୍ୟକୁ ଲିଖିତ ଭାବରେ ମହାସଚିବଙ୍କ ନିକଟରେ ଦାଖଲ କରିବେ । ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ, ଏହା କେତେକ ସର୍ତ୍ତ ପୂରଣ କରିବା ଆବଶ୍ୟକ । ଏଥିରେ ଅଭିଯୋଗଗୁଡ଼ିକ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯିବା ଉଚିତ୍ ।
୧. ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କହିବାକୁ ଅନୁମତି ଦିଆଗଲା ନାହିଁ ।
୨. ୮ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଗଲା ।
୩. ଜଣେ ବିଜେପି ସାଂସଦଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ଅନୁମତି ଦିଆଗଲା ।
୪. ବାଚସ୍ପତି କଂଗ୍ରେସ ସାଂସଦମାନଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଲେ ।
Lok Sabha Speaker directs Secretary General-Lok Sabha to examine the notice and take appropriate action: Lok Sabha Secretariat sources https://t.co/q1G5RrujOR
— ANI (@ANI) February 10, 2026
ଲୋକସଭାରେ ଅନାସ୍ଥା ତିଷ୍ଠି ରହିବ କି ? ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିବା ଅତ୍ୟନ୍ତ କଷ୍ଟକର । କଂଗ୍ରେସ ସମେତ ବିରୋଧୀଙ୍କ ପାଖରେ ମୋଟ ୨୨୦ ରୁ ଅଧିକ ସାଂସଦ ଅଛନ୍ତି । ତେଣୁ, ବିରୋଧୀଙ୍କୁ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡ଼ିବନାହିଁ । ତଥାପି, ଲୋକସଭାରେ ଏହାକୁ ପାରିତ କରିବା କଷ୍ଟକର ହେବ, କାରଣ ସେଠାରେ ଏନଡିଏର ସଂଖ୍ୟାଗରିଷ୍ଠତା ଅଛି ।