ମାଲକାନଗିରି,୨୩/୧୦ : ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅଧକ୍ଷ ଜିତୁ ବୁରୁଡିଙ୍କ ମନମୁଖି କାର୍ଯ୍ୟ ପ୍ରତିବାଦରେ ଗତ ୧ ତାରିଖ ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ପାଇଁ ଦରଖାସ୍ତ ଦେଇଥିଲେ ବ୍ଲକର ୧୦ଜଣ ସଭ୍ୟ ଓ ସଭ୍ୟା । ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଅନାସ୍ଥାପ୍ରସ୍ତାବ ପାଇଁ ଭୋଟିଂ ଥିଲା । ସକାଳ ୧୦ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ କର୍ମଚାରି ଉପସ୍ଥିତ ରହିଥିଲେ ମଧ୍ୟ କୋରକୁଣ୍ଡା ବ୍ଲକର କେହିବି ଜଣେ ହେଲେ ଭୋଟ ଦେବାକୁ ଆସିନଥିଲେ । ଏମିତି କି ଯେଉଁ ୧୦ଜଣ ଅନାସ୍ଥା ପ୍ରସ୍ତାବ ପାଇଁ ଆବେଦନ କରିଥିଲେ ସେମାନେ ମଧ୍ୟ ଆସିନଥିବା ଜଣା ପଡିଛି ।
କୋରକୁଣ୍ଡା ବ୍ଲକର ୧୨ଜଣ ସମିତି ସଭ୍ୟସଭ୍ୟା, ୧୨ଜଣ ସରପଞ୍ଚ, ୨ଜଣ ବିଧାୟକ ଓ ଜଣେ ସାଂସଦ ମୋଟ ୨୭ଜଣ ଅନାସ୍ଥାପ୍ରସ୍ତାପ ପାଇଁ ଭୋଟ ଦେବା ଲାଗି ଯୋଗ୍ୟ ଥିବାବେଳେ ଏକ ତୃତୀୟାଶଂ ଅର୍ଥାତ ୧୮ଜଣ ସଦସ୍ୟ ହେଲେ ଅନାସ୍ଥା ପ୍ରସ୍ତାବ ଯୋଗ୍ୟ ବିବେଚିତ ହୋଇ ଭୋଟିଂ ହୋଇପାରିବ । ଆଜିର ଅନାସ୍ଥା ପ୍ରସ୍ତାବ ଭୋଟିଂରେ କେହି ବି ଜଣେ ସଭ୍ୟ କିମ୍ବା ସଭ୍ୟା ଭୋଟ ଦେବାକୁ ଆସିନଥିବା ରୁ ପୂର୍ବ ପରି ଅଧ୍ୟକ୍ଷଙ୍କ ପଦବି କାଏମ ରହିଛି । ଆଉ ଏକ ବର୍ଷ ପର୍ଯ୍ୟନ୍ତ ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୧ତାରିଖ ଦିନ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ପଞ୍ଚାୟତ ସମିତିର ୧୦ଜଣ ସମିତି ସଭ୍ୟ/ସଭ୍ୟା ବ୍ଲକ୍ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପ ଜିଲ୍ଲାପାଳଙ୍କୁ ଭେଟି ଦରଖାସ୍ତ ଦେଇଥିଲେ । ଉପ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଥିବା ଆବେଦନପତ୍ରରେ ଉଲ୍ଲେଖ ଥିଲା ବ୍ଲକ ଅଧ୍ୟକ୍ଷ ଜିତୁ ବୁରୁଡି ସରକାରଙ୍କ ଆଇନକୁ ଅଣ ଦେଖା କରି ନିଜସ୍ବ ଆଇନରେ ପଞ୍ଚାୟତ ସମିତିରେ ମନମୁଖୀ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତ ସମିତିର କାର୍ଯ୍ୟ ଖସଡା ପ୍ରସ୍ତୁତି ହେଉ କିମ୍ବା କୌଣସି ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମିତିର ସଭ୍ୟ ଓ ସଭ୍ୟା ଜାଣିବାକୁ ଚାହିଁଲେ ବି ସେ କୌଣସି ପ୍ରକାର ସହଯୋଗର ହାତ ବଢାନ୍ତି ନାହିଁ ।
ସମିତିର ସଭ୍ୟମାନଙ୍କ ସହ କୌଣସି ଆଲୋଚନା କରନ୍ତି ନାହିଁ । ନିଜର ଇଛା ମୁତାବକ କାର୍ଯ୍ୟ କରନ୍ତି । ସେ ପଞ୍ଚାୟତ ସମିତିର ସମସ୍ତ କାର୍ଯ୍ୟକୁ ନିଜ ପାଖ ଲୋକଙ୍କୁ ବିକ୍ରି କରି ଦିଅନ୍ତି । ଏହାକୁ ବିରୋଧ କରି ପୂର୍ବରୁ ବହୁ ଥର ବୈଠକ ବର୍ଜନ କରିବା ଦ୍ବାରା ମଧ୍ୟ କୌଣସି ପ୍ରକାର ସୁଫଳ ମିଳିଲା ନାହିଁ । ତେଣୁ ଗତ ୨୭ ତାରିଖରେ ହୋଇଥିବା ପଞ୍ଚାୟତ ସମିତି ବୈଠକକୁ ବର୍ଜନ କରାଯାଇଥିଲା। ସରକାରଙ୍କ ପଞ୍ଚାୟତ ସମିତି ଆଇନ ଧାରା ୪୬ (ଖ)ରେ ଥିବା ବିଧି ବ୍ୟବସ୍ଥାକୁ ନେଇ କୋରକୋଣ୍ଡା ବ୍ଲକର ଅଧ୍ୟକ୍ଷ ଜିତୁ ବୁରୁଡିଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ପାଇଁ ୧୦ଜଣ ସଭ୍ୟ ସଭ୍ୟା ଆବେଦନ କରିଥିଲେ । ଆଜି ସେହି ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ଥିଲା।