ଭଞ୍ଜନଗର,୨୨/୫: ସୋରଡା ବ୍ଳକ୍ ଅନ୍ତର୍ଗତ ରାଇବନ୍ଧ ପଂଚାୟତରେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ଆଠ ଜଣ ୱାର୍ଡ ମେମ୍ବର। ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଉମାଶଙ୍କର ବେହେରାଙ୍କୁ ଭେଟି ପଞ୍ଚାୟତର ୮ ଜଣ ଓ୍ବାର୍ଡ ସଭ୍ୟସଭ୍ୟା ଏଥିନେଇ ଦରଖାସ୍ତ ଦେଇଛନ୍ତି। ଉପଜିଲ୍ଲାପାଳ ମଧ୍ୟ ଉକ୍ତ ଦରଖାସ୍ତ ଉପରେ ତର୍ଜମା କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଏହି ଓ୍ବାର୍ଡ ସଭ୍ୟ ସଭ୍ୟା ସୂଚନା ଦେଇଛନ୍ତି। ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ନୋଟିସ ଦେଇଥିବା ୮ ଜଣ ଓ୍ବାର୍ଡ ସଭ୍ୟ ସଭ୍ୟା ହେଲେ ଦିଲ୍ଳୀପ ପ୍ରଧାନ, କୃଷ୍ଣ ଚନ୍ଦ୍ର ନାୟକ, ମିନତି କୁମାରୀ ସ୍ୱାଇଁ, ଅପସରି ପାତ୍ର, ନର୍ମଦା ସ୍ୱାଇଁ, ରବୀନ୍ଦ୍ର ଗୌଡ଼, ତାରିଣୀ ନାୟକ ଓ ସୁନିତା ନାୟକ।
ଉପରୋକ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କ ଅଭିଯୋଗ ହେଲା ରାଇବନ୍ଧ ପଞ୍ଚାୟତର ସରପଞ୍ଚ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ସହଯୋଗ କରୁନାହାନ୍ତି। ପଞ୍ଚାୟତର ବିକାଶ ଦିଗରେ ଏମାନଙ୍କ ସହ ଆଲୋଚନା ମଧ୍ୟ କରୁନାହାନ୍ତି। ଯାହା ଫଳରେ ପଞ୍ଚାୟତର ବିକାଶ ଏକପ୍ରକାର ଠପ୍ ହୋଇଯାଇଛି। ପଞ୍ଚାୟତର ବିକାଶ ପାଇଁ ଥିବା ୬୦ ଲକ୍ଷ ଟଙ୍କା ଜନ ସାଧାରଣଙ୍କ ହିତରେ ନଲାଗି ପଡି ରହିଛି। ତେଣୁ ଗୁରୁବାର ୮ ଜଣ ୱାର୍ଡ ସଭ୍ୟ ସଭ୍ୟା ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ଭେଟି ତାଙ୍କୁ ଏ ବିଷୟରେ ଅବଗତ କରାଇବା ସହ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ୱାର୍ଡ ମେମ୍ଵରମାନେ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ ଦେବା ସହ ଏହାର ଏକ ନକଲ ସୋରଡା ବିଡିଓଙ୍କୁ ଦେଇଛନ୍ତି।
ଏହି ଅନାସ୍ଥା ପ୍ରସ୍ତାବ ଆଗତ ହେବା ପରେ ସୋରଡା ରାଜନୀତିରେ ଉଷ୍ମତା ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଯେ ରାଇବନ୍ଧ ପଞ୍ଚାୟତର ମୋଟ ୧୧ ଜଣ ଓ୍ୱାର୍ଡ ସଭ୍ୟ ସଭ୍ୟା ମଧ୍ୟରୁ ଏବେ ୮ ଜଣ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରକଟ କରିଛନ୍ତି। ମିଳିଥିବା ଅନାସ୍ଥା ଦରଖାସ୍ତ ଉପରେ ତର୍ଜମା କରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସୂଚନା ଦେଇଛନ୍ତି।